ନଭେମ୍ବରରେ ଆସିପାରେ କରୋନାର ୩ୟ ତରଙ୍ଗ

ସତ୍ୟଶିଖା(ନୂଆଦିଲ୍ଲୀ) ୦୬ .୦୫.୨୦୨୧: କରୋନା ସଂକ୍ରମଣର ୨ୟ ତରଙ୍ଗ ଏବେ ଦେଶର ସ୍ବାସ୍ଥ୍ୟ ବ୍ୟବସ୍ଥାକୁ ପ୍ରଭାବିତ କରିଛି। ସଂକ୍ରମିତଙ୍କୁ ଉପଯୁକ୍ତ ଚିକିତ୍ସା ସୁବିଧା ଯୋଗାଇଦେବାରେ ସରକାର ବିଫଳ ହୋଇଛନ୍ତି। ରୋଗୀଙ୍କୁ ଡାକ୍ତରଖାନାରେ ଶଯ୍ୟା ମିଳୁ ନ ଥିବାବେଳେ ଅମ୍ଳଜାନ ସଙ୍କଟ ଗମ୍ଭୀର ପରିସ୍ଥିତି ସୃଷ୍ଟି କରିଛି। ଏଭଳି ସ୍ଥିତିରେ ଆଉ କିଛି ମାସ ପରେ ଅର୍ଥାତ ନଭେମ୍ବର ମାସ ବେଳକୁ ମହାମାରୀର ୩ୟ ତରଙ୍ଗ ଆସିପାରେ ବୋଲି ସ୍ବାସ୍ଥ୍ୟ ବିଶେଷଜ୍ଞମାନେ ଆଶଙ୍କା ପ୍ରକାଶ କରିଛନ୍ତି। ୩ୟ ତରଙ୍ଗ ଆସିବ ବୋଲି ବିଶେଷଜ୍ଞମାନେ ନିଶ୍ଚିତ ଅଛନ୍ତି, କିନ୍ତୁ କେବେ ସୁଦ୍ଧା ଆସିବ ସେନେଇ କିଛି ସ୍ପଷ୍ଟ ହୋଇପାରି ନାହିଁ।

କେନ୍ଦ୍ର ସରକାରଙ୍କ ପ୍ରମୁଖ ବୈଜ୍ଞାନିକ ପରାମର୍ଶଦାତା ପ୍ରଫେସର ବିଜୟ ରାଘବନ କହିଛନ୍ତି ଯେ, ୨ୟ ତରଙ୍ଗ ପରେ ୩ୟ ତରଙ୍ଗ ବି ଆସିବ। କିନ୍ତୁ କେବେ ଆସିବ ଏବଂ ତାହା କେତେ ବିପଜ୍ଜନକ ହେବ ସେ ସମ୍ପର୍କରେ ଏବେ କିଛି କହିହେବ ନାହିଁ। କରୋନା ଭୂତାଣୁର ରୂପ ବାରମ୍ବାର ବଦଳୁଛି। ସେଥିଲାଗି ଆମକୁ ୩ୟ ତରଙ୍ଗ ପାଇଁ ବି ପ୍ରସ୍ତୁତ ରହିବାକୁ ପଡ଼ିବ। ସେ ଆହୁରି କହିଛନ୍ତି, ଆମ ଟିକା ବେଶ୍‌ ପ୍ରଭାବୀ। ଆମ ବୈଜ୍ଞାନିକମାନେ ତାହାକୁ ଆହୁରି ବିକଶିତ କରିବା ଲାଗି କାର୍ଯ୍ୟ କରୁଛନ୍ତି।

୩ୟ ତରଙ୍ଗ କେବେ ସୁଦ୍ଧା ଆସିବ ସେ ନେଇ ବେଙ୍ଗାଲୁରୁସ୍ଥିତ ଭାରତୀୟ ଜନସ୍ବାସ୍ଥ୍ୟ ପ୍ରତିଷ୍ଠାନର ମହାମାରୀ ବିଶେଷଜ୍ଞ ଡା. ଗିରିଧର ବାବୁ କୁହନ୍ତି, ଥଣ୍ଡା ସମୟରେ ଏହା ଆସିବାର ଆଶଙ୍କା ରହିଛି। ନଭେମ୍ବର ମାସ ଶେଷ ବେଳକୁ କିମ୍ବା ଡିସେମ୍ବର ପ୍ରାରମ୍ଭରେ ୩ୟ ତରଙ୍ଗ ଆସିପାରେ। ସେଥିଲାଗି ଏହି ସଂକ୍ରମଣରୁ ଯେଉଁମାନଙ୍କ ପ୍ରତି ସର୍ବାଧିକ ବିପଦ ରହିଛି ସେମାନଙ୍କୁ ତୁରନ୍ତ ଟିକାକରଣ କରାଯିବା ଦରକାର। ଡା. ଗିରିଧର କର୍ଣ୍ଣାଟକରେ ଜାତୀୟ କୋଭିଡ ଟାସ୍କଫୋର୍ସର ସଦସ୍ୟ ଏବଂ ପରାମର୍ଶଦାତା ଅଛନ୍ତି। ତେବେ ଆଗାମୀ ତରଙ୍ଗ ଯୁବପିଢ଼ିଙ୍କୁ ପ୍ରଭାବିତ କରିପାରେ ବୋଲି ସେ କହିଛନ୍ତି।

Exit mobile version