
ସତ୍ୟଶିଖା (କଟକ) ୨୮/୧୧/୨୦୨୦ : କଟକ ନୟାସଡକ ସ୍ଥିତ .I.I.F.Lରୁ ସୁନା ଲୁଟ୍ ମାମଲାରେ ଆଉ ୨ ଜଣଙ୍କୁ ଗିରଫ କଲା ପୋଲିସ । ଗିରଫ ବ୍ୟକ୍ତି ହେଲେ ମଙ୍ଗଳାବାଗ ଥାନା ଅଞ୍ଚଳର ସୁନା ଦୋକାନୀ ସରୋଜ କୁମାର ପୃଷ୍ଟି ଏବଂ ଲାଲବାଗ ଥାନା ଆଲମଚାନ୍ଦ ବଜାର ଅଞ୍ଚଳର ଲଲିତ କୁମାର ସୋନି । ଗିରଫ ପରେ ଉଭୟଙ୍କୁ କୋର୍ଟ ଚାଲାଣ କରାଯାଇଛି । ଏମାନଙ୍କୁ ମିଶାଇ ସୁନା ଲୁଟ୍ ମାମଲାରେ ଗିରଫ ସଂଖ୍ୟା ୧୦କୁ ବୃଦ୍ଧି ପାଇଛି । ଉଭୟ ମୁଖ୍ୟ ଅଭିଯୁକ୍ତ ଲାଲା ଅମ୍ରିତ ରାୟର ସହଯୋଗୀ ଥିବା ସୂଚନା ମିଳିଛି ।ପୂର୍ବରୁ I.I.F.L ଶାଖାରୁ ସୁନା ଲୁଟ୍ ଘଟଣାରେ ୮ ଜଣଙ୍କୁ ପୋଲିସ ଗିରଫ କରିଥିଲା । ଏଥିସହ ସୁନା ମଧ୍ୟ ପୋଲିସ ଜବତ କରିଥିଲା । .I.I.F.Lରୁ ସୁନା ଲୁଟ୍ ଘଟଣାରେ ମୁଖ୍ୟ ଅଭିଯୁକ୍ତ ଲାଲା ଅମ୍ରିତ ରାୟଙ୍କ ସହ ସହଯୋଗୀ ନୀଳିମା ଲେଙ୍କାଙ୍କୁ ମଧ୍ୟ ପୋଲିସ ଗିରଫ କରିଥିଲା । ସୁନା ଲୁଟ୍ କରି ଅୟସ କରୁଥିଲା ଲାଲା ଅମ୍ରିତ ରାୟ । ଆଉ ଏଥିରେ ସହଯୋଗ କରିଥିଲେ I.I.F.Lର ଆକାଉଣ୍ଟାଣ୍ଟ ନୀଳିମା ଲେଙ୍କା । କଟକ ବଜ୍ରକବାଟି ମାନାପୁରମ୍ ଗୋଲ୍ଡ ଲୋନ୍ ଶାଖାର ମ୍ୟାନେଜରଙ୍କୁ ମଧ୍ୟ ବାନ୍ଧିଛି ପୋଲିସ । ସୁନା ହେରଫେର ମାମଲାରେ ମ୍ୟାନେଜର ପୀତାମ୍ବର ସାହୁଙ୍କୁ ପୋଲିସ ଗିରଫ କରିଛି ।
ସୂଚନାଯୋଗ୍ୟ ଯେ, ଗତ ୧୯ ତାରିଖ ଦିନ କଟକ ନୟାସଡ଼କ ସ୍ଥିତ I.I.F.L ଶାଖାରୁ ୨୦ କୋଟି ଟଙ୍କାର ସୁନା ଲୁଟିନେଇଥିଲେ ଦୁର୍ବୃତ୍ତ । ଲୁଟ୍ ସମୟରେ I.I.F.Lର ସିସିଟିଭ କାମ କରୁନଥିଲା । ଘଟଣାର ତଦନ୍ତ ଓ ଛାନ୍ଭିନ୍ କରିବା ପାଇଁ କମିଶନରେଟ୍ ପୋଲିସ ପକ୍ଷରୁ ସ୍ୱତନ୍ତ୍ର ଟିମ୍ ଗଠନ କରାଯାଇଥିଲା । ବିଭିନ୍ନ ସ୍ଥାନରେ ମଧ୍ୟ ଚଢାଉ କରିଥିଲା ପୋଲିସ । ମାତ୍ର ୬ ଦିନ ପରେ ପୋଲିସ ଲୁଟ୍ ଘଟଣାର ପର୍ଦ୍ଦାଫାଶ କରିଥିଲା ।