

ସତ୍ୟଶିଖା (ପୁରୀ) ୧୮/୧୨/୨୦୨୦ : ଆସନ୍ତା ୨୩ ତାରିଖରୁ ଖୋଲିବ ଶ୍ରୀମନ୍ଦିର । ପ୍ରଥମ ପର୍ଯ୍ୟାୟରେ ସେବାୟତ ପରିବାରର ସଦସ୍ୟଙ୍କୁ ଜଗନ୍ନାଥଙ୍କ ଦର୍ଶନ ପାଇଁ ଅନୁମତି ମିଳିବ । ଏହି ସୁଯୋଗ ପରେ ପରେ ୱାର୍ଡ ଅନୁଯାୟୀ ଟୋକନ ମାଧ୍ୟମରେ ପୁରୀ ପୌରାଞ୍ଚଳ ବାସୀଙ୍କୁ ଦର୍ଶନ ପାଇଁ ସୁବ୍ୟବସ୍ଥା କରାଯାଇଛି । ଏହି ସମୟରେ ଭକ୍ତଙ୍କ ପାଇଁ କୋଭିଡ ନେଗେଟିଭ୍ ରିପୋର୍ଟ ଆବଶ୍ୟକ ନାହଁ । ଜାନୁଆରୀ ୩ ତାରିଖରୁ ପୁରୀ ଶ୍ରମନ୍ଦିର ସମେତ ସମସ୍ତ ଜଗନ୍ନାଥପ୍ରେମୀଙ୍କୁ ଦର୍ଶନ ପାଇଁ ଶ୍ରୀମନ୍ଦିର ପ୍ରଶାସନ, ଜିଲ୍ଲା ଓ ପୋଲିସ ପ୍ରଶାସନର ବ୍ୟାପକ ପ୍ରସ୍ତୁତି କରିଛି । ୩ ତାରିଖଠାରୁ ଦର୍ଶନ ବ୍ୟବସ୍ଥା ପାଇଁ କୋଭିଡ ନେଗେଟିଭ୍ ରିପୋର୍ଟର ଆବଶ୍ୟକ ରହିଛି । ଶ୍ରୀମନ୍ଦିର ଖୋଲିବା ନେଇ ଜିଲ୍ଲାପାଳ ବଲୱନ୍ତ ସିଂଙ୍କ ସୂଚନା ଦେଇଛନ୍ତି ।
ଦୀର୍ଘ ୯ ମାସ ହେବ ମହାପ୍ରଭୁ ଜଗନ୍ନାଥଙ୍କ ବିନା ଦର୍ଶନରେ ଭକ୍ତ ବଡ ଦାଣ୍ଡରୁ ଫେରି ଯାଉଥିଲେ । ସତେ ଯେପରି ଭକ୍ତ ଓ ଭଗବାନଙ୍କ ମଝିରେ କରୋନା ପାଚେରୀ ହୋଇ ଛିଡା ହୋଇଥିଲା । ପୁରୀ ଶ୍ରୀମନ୍ଦିର ଖୋଲିବା ଖବର ଆସିବା ପରେ ଭକ୍ତଙ୍କ ମନରେ ଖୁସିର ଲହରୀ ଖେଳି ଯାଇଛି । କରୋନା କଟକଣା ସମୟରେ ଦେଶବିଦେଶରୁ ଆସିଥିବା ହଜାର ହଜାର ଭକ୍ତ ଜଗାଙ୍କୁ ଦର୍ଶନ ନ କରି ଆଖି ଛଳଛଳ କରି ଫେରିଯିବାର ଦୃଶ୍ୟ ମଧ୍ୟ ନଜୀର ରହିଛି । ଗତକିଛି ଦିନ ତଳେ ବିଦେଶୀ ଦମ୍ପତି ମହାପ୍ରଭୁଙ୍କ ଦର୍ଶନ ନ ପାଇ ବଡ ଦାଣ୍ଡରେ ତଳେ ବସି ମହାପ୍ରସାଦ ସେବନ କରି ଫେରି ଯାଇଥିଲେ । ପୁଣି ବଡ଼ ଦାଣ୍ଡରେ ଲାଗିବ ଭକ୍ତଙ୍କ ଭିଡ ।