

ସତ୍ୟଶିଖା(ଭୁବନେଶ୍ୱର )୨୩.୧୦ .୨୦୨୧: ଆଭ୍ୟନ୍ତରୀଣ ଓଡିଶାରେ ଦୁଇ ଦିନ ମଧ୍ୟରେ ୨ ଡିଗ୍ରୀ ସେଲସିୟସ୍ ତାପମାତ୍ରା କମିଛି । ଧୀରେ ଧୀରେ ଆହୁରୀ କମିବ । ସେହିପରି ଆସନ୍ତା ୨୮ ତାରିଖରେ ଦକ୍ଷିଣ ଓ ଉପକୂଳ ଓଡିଶାରେ ସ୍ୱଳ୍ପ ବର୍ଷା ହେବାର ସମ୍ଭାବନା ରହିଛି । ଯାହାର ପ୍ରଭାବରେ ୨୮ ତାରିଖ ପରେ ଉପକୂଳ ଓଡିଶାରେ ବି ତାପମାତ୍ରା କମିବ ବୋଲି ପାଣିପାଗବିତ୍ ପୂର୍ବାନୁମାନ କରିଛନ୍ତି ।
ରାଜ୍ୟରେ ଆସନ୍ତା ୪-୫ ଦିନ ପାଗ ଶୁଖିଲା ରହିବ । ହେଲେ ଧୀରେ ଧୀରେ ତାପମାତ୍ରା କମିବ । ଓଡିଶାରେ ଜିସେମ୍ବର ୧୫ରୁ ଜାନୁଆରୀ ୧୫ ମଧ୍ୟରେ ସର୍ବାଧିକ ଶୀତର ପ୍ରକୋପ ରହିବ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ନିର୍ଦ୍ଦେଶକ ଏଚ ଆର ବିଶ୍ୱାସ ପୂର୍ବାନୁମାନ କରିଛନ୍ତି । ସେହିପରି ଆସନ୍ତା ୨୬ ତାରିଖରେ ସାରା ଦେଶରୁ ମୌସୁମୀ ପ୍ରତ୍ୟାବର୍ତ୍ତନ କରିବ । ମାତ୍ର ଶନିବାର ଓଡିଶାରୁ ମୌସୁମୀ ପ୍ରତ୍ୟାବର୍ତ୍ତନ କରିଯିବ ବୋଲି ଆକଳନ କରାଯାଇଛି ।
ସେହିପରି ସୋଆ ଜଳବାୟୁ ଓ ପାଣିପାଗ କେନ୍ଦ୍ର ନିର୍ଦ୍ଦେଶକ ଡ.ଶରତ ଚନ୍ଦ୍ର ସାହୁ ପୂର୍ବାନୁମାନ କରିଛନ୍ତି ୨୭ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ପାଗ ଶୁଖିଲା ରହିବ । ରାତି ବେଳେ ତାପମାତ୍ରା କମିବ । ସକାଳ ସମୟରେ ବି ଥଣ୍ଡା ରହିବ । ଏବେ ଆଭ୍ୟନ୍ତରୀଣ ଓଡିଶାରେ ୨ ଡିଗ୍ରୀ ତାପମାତ୍ରା କମିଥିବା ବେଳେ ୨୮ରେ ଦକ୍ଷିଣ ଓ ଉପକୂଳ ଓଡିଶାରେ ବର୍ଷା ହେବାର ସମ୍ଭାବନା ରହିଛି । ପରେ ଉପକୂଳରେ ବି ତାପମାତ୍ରା କମିବ ବୋଲି ଆକଳନ କରାଯାଇଛି ।