କଙ୍ଗାରୁ ଦଳର ବ୍ୟାଟିଂ ବିପର୍ଯ୍ୟୟ

ସତ୍ୟଶିଖା ୧୮/୧୨/୨୦୨୦ : ଭାରତ-ଅଷ୍ଟ୍ରେଲିଆ ପ୍ରଥମ ଟେଷ୍ଟ ମ୍ୟାଚର ୨ୟ ଦିନ ଖେଳ ଶୁକ୍ରବାର ଜାରି ରହିଛି । ଭାରତ ପ୍ରଥମେ ବ୍ୟାଟିଂ କରି ୨୪୪ ରନ୍‌ରେ ଅଲଆଉଟ୍‌ ହୋଇଯାଇଛି । ଘରୋଇ ଦଳ ପ୍ରଥମ ଇନିଂସ ବ୍ୟାଟିଂ ଆରମ୍ଭ କରିଛି । ତେବେ ପ୍ରାରମ୍ଭରୁ ଭାରତୀୟ ଦ୍ରୁତ ବୋଲର ଯଶପ୍ରୀତ୍‌ ବୁମ୍‌ରା ଏବଂ ସ୍ପିନର ଆର. ଅଶ୍ଵିନ କଙ୍ଗାରୁ ଦଳକୁ ବଡ଼ ଝଟ୍‌କା ଦେଇଛନ୍ତି । ଏହି ଦୁଇ ଭାରତୀୟ ବୋଲରଙ୍କ ସାମ୍ନା କରି ନ ପାରି କଙ୍ଗାରୁ ଦଳ ପ୍ରାରମ୍ଭିକ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଛନ୍ତି ।୨ୟ ଦିନର ଦ୍ବିତୀୟ ସେସନ୍‌ ସୁଦ୍ଧା ଅଷ୍ଟ୍ରେଲିଆ ଏହାର ପ୍ରଥମ ଇନିଂସରେ ୪୬ ଓଭରରେ ୮୫ ରନ୍‌ ସଂଗ୍ରହ କରି ମୂଲ୍ୟବାନ୍‌ ୫ଟି ୱିକେଟ୍‌ ହରାଇଛି । ଫଳରେ ଦଳ ୧୫୯ ରନ୍‌ରେ ପଛୁଆ ରହିଛି । ବୁମ୍‌ରା ୧୩ ଓଭରରେ ୧୫ ରନ୍‌ ବିନିମୟରେ ୨ଟି ୱିକେଟ୍‌ ନେଇଥିବାବେଳେ ଅଶ୍ଵିନ ୧୦ ଓଭରରେ ୨୫ ରନ୍‌ ନେଇ ୩ଟି ୱିକେଟ ଅକ୍ତିଆର କରିଛନ୍ତି । ଅଷ୍ଟ୍ରେଲିଆର ଦୁଇ ଓପନର ମ୍ୟାଥ୍ୟୁ ୱାଡେ ଏବଂ ଜୋ ବର୍ନ୍‌ସ ୮ ରନ୍‌ ଲେଖାଏ କରିଥିବାବେଳେ ଷ୍ଟିଭ୍‌ ସ୍ମିଥ୍‌ ୧, ଟ୍ରାଭିସ୍‌ ହେଡ୍‌ ୭ ଓ କ୍ୟାମେରନ୍‌ ଗ୍ରୀନ୍‌ ୧୧ ରନ୍‌ କରି ଆଉଟ ହୋଇଛନ୍ତି । ମାର୍ନସ ଲାବୁସ୍‌ଚେଞ୍ଜ ୪୫ ଏବଂ ୱିକେଟ୍‌ ରକ୍ଷକ ଅଧିନାୟକ ଟିମ୍‌ ପେନ୍‌ ୫ ରନ୍‌ କରି ଅପରାଜିତ ରହିଛନ୍ତି ।

Exit mobile version