ସତ୍ୟଶିଖା(ମାଲକାନଗିରି) ୨୦.୦୭.୨୦୨୧: ନଅ ବର୍ଷ ଧରି ମାଓ ସଂଗଠନ ପାଇଁ କାର୍ଯ୍ୟ କରିଥିବା ନକ୍ସଲ ସାଥୀକୁ ହତ୍ୟା କଲେ ଲାଲ୍ ବାହିନୀ । ମାଲକାନଗିରି ଛତିଶଗଡ ସୀମାନ୍ତ ବିଜାପୁର ଜିଲ୍ଲାରେ ଘଟିଛି ଏପରି ଏକ ଅଭାବନୀୟ ଘଟଣା ।
ସୂଚନା ଅନୁସାରେ, ଗାଙ୍ଗାଲୁର ଗ୍ରାମର ରାଜୁ ବେଞ୍ଜାମ ଗତ ନଅ ବର୍ଷ ଧରି ମାଓ ସଂଗଠନରେ ରହି କାର୍ଯ୍ୟ କରୁଥିଲେ । ଏହା ସହ ଛତିଶଗଡ ଓ ତେଲେଙ୍ଗାନା ରାଜ୍ୟରେ ଅନେକ ହିଂସା କାଣ୍ଡ ଘଟାଇଥିଲେ । ହେଲେ ନିଜ ପରିବାର କଥା ଚିନ୍ତା କରି ଶେଷରେ ପୋଲିସ ପାଖରେ ଆତ୍ମସମର୍ପଣ କରିଥିଲେ । ଗାଁରେ ରହି ନିଜ ପରିବାର ସହ ଚାଷବାସ କରୁଥିଲେ ରାଜୁ ।
ତେବେ ସୋମବାର ରାତିରେ ୧୫ ଜଣ ସଶସ୍ତ୍ର ନକ୍ସଲ ତାଙ୍କୁ ଘରେ ପଶି ଅପହରଣ କରିଥିଲେ । ଆଉ ମଙ୍ଗଳବାର ସକାଳେ ହତ୍ୟା କରି ବିଜାପୁର ଗାଙ୍ଗାଲୁର ରାସ୍ତାରେ ମୃତଦେହକୁ ଫିଙ୍ଗି ଦେଇଥିଲେ । ପୋଲିସ ଘଟଣାସ୍ଥଳରେ ପହଁଚି ତଦନ୍ତ ଆରମ୍ଭ କରିଛି ।