ସରକାରଙ୍କ ସହ ମହାସଂଘର ମାରାଥନ୍ ବୈଠକ ବିଫଳ ହେଲା ପରେ ଷ୍ଟିୟରିଂ ଛାଡ଼ ଆନ୍ଦୋଳନ ଜାରି ରହିଛି ।


ସତ୍ୟଶିଖା ୧୦/୦୭/୨୦୨୫: ଆନ୍ଦୋଳନର ଦ୍ୱିତୀୟ ଦିନରେ ସରକାରଙ୍କ ତରଫରୁ ଆଲୋଚନା ପାଇଁ ଡ୍ରାଇଭର ମହାସଂଘକୁ ଡକାଯାଇ ନଥିଲା । ଡ୍ରାଇଭରଙ୍କ ଆନ୍ଦୋଳନ ଯୋଗୁଁ ରାଜ୍ୟରେ ଯାତ୍ରୀ ଓ ସାମଗ୍ରୀ ପରିବହନ ସଂପୂର୍ଣ୍ଣ ଭାବେ ଠପ୍ ହୋଇ ପଡ଼ିଛି । ତୈଳ ପରିବହନ ସବୁଠାରୁ ଅଧିକ ପ୍ରଭାବିତ ହୋଇଛି । ଆଜି ବହୁ ତେଲ ଟାଙ୍କିରୁ ପେଟ୍ରୋଲ୍, ଡିଜେଲ୍ ସରି ଯାଇଥିବା ଜଣାପଡ଼ିଛି । ଆଜି ପେଟ୍ରୋଲ୍, ଡିଜେଲ୍ ପରିବହନ ନ ହୋଇ ପାରିଲେ ରାଜ୍ୟରେ ତେଲ ସଙ୍କଟ ଦେଖା ଦେବ । ଫଳରେ ସଙ୍ଗିନ ସ୍ଥିତି ସୃଷ୍ଟି ହେବାର ଆଶଙ୍କା ରହିଛି ।
ସେପଟେ ପାରାଦୀପ, ବାଲେଶ୍ବର, ଜଟଣୀ, ଝାରସୁଗୁଡ଼ା ଆଦି ପେଟ୍ରୋଲ ଡିପୋରେ ତୈଳ ପରିବହନ କରୁଥିବା ଡ୍ରାଇଭରମାନେ ଆନ୍ଦୋଳନ ଜାରି ରଖିଛନ୍ତି । ଫଳରେ ଦୁଇ ଦିନ ହେଲା ତେଲ ପରିବହନ ବନ୍ଦ ରହିଛି । ଆଜି ବି ତୈଳ ପରିବହନ ନ ହେଲେ ଅଧିକାଂଶ ତେଲ ଟାଙ୍କିରୁ ତେଲ ସରିଯିବ। ସନ୍ଧ୍ୟା ସୁଦ୍ଧା ରାଜ୍ୟର କୌଣସି ଟାଙ୍କିରେ ପେଟ୍ରୋଲ୍, ଡିଜେଲ୍ ମିଳିବ ନାହିଁ । ତେଣୁ ଆଜି ତେଲ ପରିବହନ ହେବା ଜରୁରୀ।