ଖେଳଦେଶନ୍ୟୁଜ୍

ସଞ୍ଜୟ ବାଙ୍ଗର ଆର୍‌ସିବି ମୁଖ୍ୟ କୋଚ୍ ନିଯୁକ୍ତ

ସତ୍ୟଶିଖା(ବେଙ୍ଗାଲୁରୁ : )୧୦.୧୧ .୨୦୨୧: ଇଣ୍ଡିଆନ୍ ପ୍ରିମିୟର୍ ଲିଗ୍ (ଆଇପିଏଲ୍‌) ଫ୍ରାଞ୍ଚାଇଜି ରୟାଲ୍ ଚାଲେଞ୍ଜର୍ସ ବାଙ୍ଗାଲୋର (ଆର୍‌ସିବି) ଟିମ୍ ଇଣ୍ଡିଆର ପୂର୍ବତନ ବ୍ୟାଟିଂ କୋଚ୍ ସଞ୍ଜୟ ବାଙ୍ଗରଙ୍କୁ ମଙ୍ଗଳବାର ଆଗାମୀ ଦୁଇ ବର୍ଷ ପାଇଁ ଟିମ୍‌ର ମୁଖ୍ୟ କୋଚ୍ ନିଯୁକ୍ତ କରିଛି । ଗତ ଫେବୃଆରୀରେ ଟିମ୍‌ର ବ୍ୟାଟିଂ ପରାମର୍ଶଦାତା ଭାବେ ନିଯୁକ୍ତି ପାଇଥିବା ବାଙ୍ଗର ମାଇକ୍ ହେସନ୍‌ଙ୍କ ସ୍ଥାନରେ ମୁଖ୍ୟ କୋଚ୍ ଦାୟିତ୍ୱ ସମ୍ଭାଳିବେ । ଅନ୍ୟପକ୍ଷରେ ହେସନ୍ ପୂର୍ବପରି ଟିମ୍‌ର କ୍ରିକେଟ୍ ଅପରେସନ୍ ନିର୍ଦ୍ଦେଶକ ଭୂମିକା ତୁଲାଇବେ ।

ଅଷ୍ଟ୍ରେଲିଆର ସାଇମନ୍ କାଟିଚ୍ ବ୍ୟକ୍ତିଗତ କାରଣରୁ ମୁଖ୍ୟ କୋଚ୍ ପଦରୁ ହଟିଯିବା ପରେ ହେସନ୍‌ଙ୍କୁ ୟୁଏଇରେ ଅନୁଷ୍ଠିତ ଆଇପିଏଲ୍ ୨୦୨୧ର ଦ୍ୱିତୀୟ ଚରଣରେ ଅତିରିକ୍ତ ଭାବେ ଟିମ୍‌ର ମୁଖ୍ୟ କୋଚ୍ ଦାୟିତ୍ୱ ପ୍ରଦାନ କରାଯାଇଥିଲା । ଆର୍‌ସିବିର ଅଫିସିଆଲ୍ ଟ୍ୱିଟର୍ ହ୍ୟାଣ୍ଡଲ୍‌ରେ ଜାରି ଏକ ବିବୃତିରେ ମାଇକ୍ ହେସନ୍ ବାଙ୍ଗରଙ୍କ ନିଯୁକ୍ତି ସମ୍ପର୍କରେ ସୂଚନା ଦେଇ କହିଛନ୍ତି ‘ବାଙ୍ଗର ଜଣେ ବହୁ ସମ୍ମାନିତ କୋଚ୍ । ମୁଖ୍ୟ ରୂପରେ ସେ ଜଣେ ବ୍ୟାଟିଂ କୋଚ୍ ଭାବେ ଜଣାଶୁଣା ।

ମାତ୍ର ତାଙ୍କ ନିକଟରେ ଏହାଠାରୁ ବହୁ ଅଧିକ ବିଶେଷଜ୍ଞତା ରହିଛି ।’ ଅନ୍ୟପକ୍ଷରେ ବାଙ୍ଗର କହିଛନ୍ତି, ଏପରି ଏକ ଫ୍ରାଞ୍ଚାଇଜିର ମୁଖ୍ୟ କୋଚ୍ ପଦରେ ନିଯୁକ୍ତ ହେବା ମୋ ପାଇଁ ବଡ଼ ସୁଯୋଗ ଏବଂ ସମ୍ମାନର ବିଷୟ । ଟିମ୍‌ରେ ଥିବା କେତେକ ଅସାଧାରଣ ଓ ପ୍ରତିଭାଶାଳୀ ଖେଳାଳିଙ୍କ ସହ କାମ କରିଛି । ଟିମ୍‌କୁ ପରବର୍ତ୍ତୀ ସ୍ତର ପର୍ଯ୍ୟନ୍ତ ନେବା ପାଇଁ ଅପେକ୍ଷା କରିପାରୁ ନାହିଁ ।

ଆଇପିଏଲ୍ ମେଗା ଅକ୍ସନ୍ ଏବଂ ପରବର୍ତ୍ତୀ ସିନଜ୍ ପାଇଁ ବହୁ କାମ କରିବାର ଆବଶ୍ୟକତା ରହିଛି । ତେବେ ମ୍ୟାନେଜମେଣ୍ଟ୍ ଓ ସପୋର୍ଟ ଷ୍ଟାଫ୍‌ଙ୍କ ନିୟମିତ ସହଯୋଗ ମିଳିଲେ ଆମେ ଭଲ ପ୍ରଦର୍ଶନ ସହ ପ୍ରଶଂସକଙ୍କ ମୁହଁରେ ନିଶ୍ଚିତ ହସ ଫୁଟାଇପାରିବୁ । ୨୦୦୧ରୁ ୨୦୦୪ ମଧ୍ୟରେ ଭାରତ ପକ୍ଷରୁ ୧୨ଟି ଟେଷ୍ଟ ଓ ୧୫ଟି ଦିନିକିଆ ମ୍ୟାଚ୍ ଖେଳିଥିବା ୪୯ ବର୍ଷୀୟ ବାଙ୍ଗରଙ୍କ ନିକଟରେ କୋଚିଂର ଅପାର ଅନୂଭବ ରହିଛି । ସେ ୨୦୧୪ରୁ ୨୦୧୯ ପର୍ଯ୍ୟନ୍ତ ୫ ବର୍ଷ ଧରି ଭାରତୀୟ ସିନିୟର୍ ଟିମ୍‌ର ବ୍ୟାଟିଂ କୋଚ୍ ଥିଲେ ।

Show More
Back to top button