ସତ୍ୟଶିଖା (ଭୁବନେଶ୍ୱର) ୧୯/୦୧/୨୦୨୧ : ପ୍ରତୀକ୍ଷାର ଅନ୍ତ ହୋଇଛି । ଦୀର୍ଘ ୯ ମାସ ପରେ ମଙ୍ଗଳବାରରୁ ରାଜ୍ୟ ସଂଗ୍ରହାଳୟ ଏବଂ କଟକସ୍ଥିତ ଆନନ୍ଦଭବନ ଖୋଲିବ । ପ୍ରତିଦିନ ୨୦୦ ଲୋକଙ୍କୁ ପରିଦର୍ଶନ କରିବାର ସୁଯୋଗ ମିଳିବ । ମାତ୍ର ସଂଗ୍ରହାଳୟ ଅଧୀନରେ ଥିବା ଆଞ୍ଚଳିକ ସଂଗ୍ରହାଳୟରେ ପୂର୍ବଭଳି କୋଭିଡ ନିୟମ ବଳବତ୍ତର ରହିବ । କୋଭିଡ କଟକଣାକୁ ଦୃଷ୍ଟିରୁ ରଖି ପର୍ଯ୍ୟଟକ ଉଭୟ ଆନନ୍ଦଭବନ ଓ ରାଜ୍ୟ ସଂଗ୍ରହାଳୟ ପରିଦର୍ଶନ କରିବେ ବୋଲି ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ନିର୍ଦେଶକ କହିଛନ୍ତି ।
ରାଜ୍ୟ ସଂଗ୍ରହାଳୟର ଆକର୍ଷଣୀୟ ତ୍ରିରଙ୍ଗା ଆଲୋକ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବ । ଗ୍ୟାଲେରୀରେ ପ୍ରବେଶ କରିବା ମାତ୍ରେ ସଙ୍ଗୀତ ଦର୍ଶକଙ୍କୁ ଆନମନା କରିବ । ତେବେ ଖୋଲିବା ପରେ କେବଳ ନୌବାଣିଜ୍ୟ ଗ୍ୟାଲେରୀ ନୂଆ କରି ଦର୍ଶକ ଦେଖିପାରିବେ । ଉଦ୍ଘାଟନ ହେବାକୁ ଥିବା ୫ ଗ୍ୟାଲେରୀ କିଛି ଦିନ ପରେ ଖୋଲିବ ବୋଲି ଜଣାପଡ଼ିଛି । ଅନ୍ୟପକ୍ଷରେ ସଂଗ୍ରହାଳୟ ଖୋଲିବା ପରେ ପ୍ରତିଦିନ ୨୦୦ ଲୋକଙ୍କୁ ଅନୁମତି ମିଳିବ । ଧାଡ଼ିରେ ସାମାଜିକ ଦୂରତା ବଜାୟ ରଖି ଜଣଙ୍କ ପରେ ଜଣଙ୍କୁ ଭିତରକୁ ପ୍ରବେଶ ଅନୁମତି ଦିଆଯିବ । ଫାଟକ ନିକଟରେ ସମସ୍ତଙ୍କର ର୍ଥମାଲ ସ୍କ୍ରିନିଂ କରାଯିବ । ଏହାସହିତ ସାନିଟାଇଜ୍ ମଧ୍ୟ କରାଯିବ । ତେବେ ପୂର୍ବରୁ କେବଳ ସୋମବାର ବନ୍ଦ ରହୁଥିବାବେଳେ ଏବେ ସରକାରଙ୍କ କୋଭିଡ ନିୟମ ଅନୁସାରେ ଶନିବାର ମଧ୍ୟ ବନ୍ଦ ରହିବ । ଏହାବ୍ୟତୀତ ପ୍ରତିଦିନ ସଂଗ୍ରହାଳୟ ଖୋଲା ରହିବ ।