ସତ୍ୟଶିଖା( ଭୁବନେଶ୍ୱର )୧୬.୦୨.୨୦୨୨ : ରାଜ୍ୟରେ ପୁଣି ବର୍ଷା ହେବାର ସମ୍ଭାବନା ରହିଛି । ଆସନ୍ତା ୧୮ ଓ ୧୯ ତାରିଖରେ ରାଜ୍ୟର କିଛି ସ୍ଥାନରେ ହାଲୁକା ବର୍ଷା ହୋଇପାରେ । ଆସନ୍ତା ୩ ଦିନରେ ରାତି ତାପମାତ୍ରା ୩ରୁ ୫ ଡିଗ୍ରୀ ପର୍ଯ୍ୟନ୍ତ ବୃଦ୍ଧି ହେବ । ଯାହା ଫଳରେ ସର୍ବନିମ୍ନ ତାପମାତ୍ରା ସ୍ୱାଭାବିକକୁ ଫେରିଆସିବ ।
ଏହାସହିତ ରାଜ୍ୟରେ ଶୀତର ପ୍ରକୋପ କମିବ । ଏନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଭାଗ କେନ୍ଦ୍ର ପକ୍ଷରୁ କୁହାଯାଇଛି । ଆସନ୍ତା ୨ ଦିନ ପାଗ ଶୁଖିଲା ରହିବା ପରେ ୧୮ ତାରିଖରେ ସୁନ୍ଦରଗଡ, କେନ୍ଦୁଝର ଓ ମୟୂରଭଞ୍ଜରେ ହାଲୁକା ବର୍ଷା ହୋଇପାରେ ।
ସେହିପରି ୧୯ ତାରିଖ ଦିନ ଝାରସୁଗୁଡା, କେନ୍ଦୁଝର, ମୟୂରଭଞ୍ଜ, ଦେବଗଡ, ବାଲେଶ୍ୱର, ଯାଜପୁର ଆଦି ଜିଲ୍ଲାରେ ହାଲୁକା ବର୍ଷା ହେବ । ୨୦ ତାରିଖରୁ ପାଗରେ ପରିବର୍ତ୍ତନ ହେବ ଓ ପାଗ ଖରାଟିଆ ରହିବ । ଆଜି ଭୁବନେଶ୍ୱର ଓ ଏହାର ଆଖପାଖ ଅଞ୍ଚଳର ସର୍ବାଧିକ ତାପମାତ୍ରା ୩୦ ଡିଗ୍ରୀ ଓ ସର୍ବନିମ୍ନ ତାପମାତ୍ରା ୧୬ ଡିଗ୍ରୀ ମଧ୍ୟରେ ରହିବ ।
ଗତ ୨୪ ଘଣ୍ଟାରେ ରାଜ୍ୟର ସମସ୍ତ ଜିଲ୍ଲାରେ ପାଗ ଶୁଖିଲା ରହିଥିଲା । ସର୍ବନିମ୍ନ ତାପମାତ୍ରା ଫୁଲବାଣୀଠାରେ ୮ ଡିଗ୍ରୀ ରେକର୍ଡ ରହିଛି । ଏହାସହିତ ଦାରିଙ୍ଗବାଡି ଓ ଜି. ଉଦୟଗିରି ମଧ୍ୟ ୮ ଡିଗ୍ରୀ ରାତି ତାପମାତ୍ରା ରେକର୍ଡ ହୋଇଛି । ଭୁବନେଶ୍ୱରରେ ରାତି ତାପମାତ୍ରା ୧୪ ଡିଗ୍ରୀ ରହିଥିଲା ଯାହାକି ସ୍ୱାଭାବିକ ରାତି ତାପମାତ୍ରା ଠାରୁ ୫ ଡିଗ୍ରୀ କମ୍ ଅଟେ ।