ସତ୍ୟଶିଖା ୨୬/୦୭/୨୦୨୫: ବର୍ଷକ ମଧ୍ୟରେ କେତେ ଦକ୍ଷତାର ସହ କାମ କରିଛନ୍ତି ? ନିଜ ବିଭାଗର ସଫଳତାର ହାର କେତେ ପ୍ରତିଶତ? କେତେ ଜିଲ୍ଲାକୁ ଗସ୍ତରେ ଯାଇ ଲୋକଙ୍କ ସମସ୍ୟାର ସମାଧାନ ପାଇଁ ବ୍ୟକ୍ତିଗତ ସ୍ତରରେ ଉଦ୍ୟମ କରିଛ? ସୋସିଆଲ ମିଡିଆରେ ମନ୍ତ୍ରୀମାନେ କେତେ ସକ୍ରିୟ ଅଛନ୍ତି ? ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କ ସୋସିଆଲ ମିଡିଆ ପୋଷ୍ଟକୁ କେତେ ସେୟାର କରିଛନ୍ତି ? ନିଜ ସହଯୋଗୀ ମନ୍ତ୍ରୀମାନଙ୍କୁ ଏମିତି ରିପୋର୍ଟ ତଲବ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ନିର୍ଦ୍ଧାରିତ ଫର୍ମାଟରେ ମନ୍ତ୍ରୀମାନେ ନିଜ କାର୍ଯ୍ୟଦକ୍ଷତା ରିପୋର୍ଟ ଦେବେ।
ବିଭାଗଗୁଡ଼ିକ ଏ ସଂପର୍କିତ ବିବରଣୀ ପ୍ରସ୍ତୁତ କରିବେ। ବିଭାଗୀୟ ମନ୍ତ୍ରୀ ଏହି ରିପୋର୍ଟ କାର୍ଡକୁ ମୁଖ୍ୟମନ୍ତ୍ରୀଙ୍କ ଆଗରେ ରଖିବେ। ମୁଖ୍ୟମନ୍ତ୍ରୀଙ୍କ ଏଭଳି ଆଭିମୁଖ୍ୟ ମନ୍ତ୍ରୀମଣ୍ଡଳ ଅଦଳବଦଳର ପୂର୍ବ ସୂଚନା ବୋଲି ପାଓ୍ବାର କରିଡରରେ ଚର୍ଚ୍ଚା ହେଉଛି। ରାଜ୍ୟ ମନ୍ତ୍ରିମଣ୍ଡଳ ଅଦଳବଦଳ ଚର୍ଚ୍ଚା ଭିତରେ ବଡ଼ ସୂଚନା ଦେଇଛନ୍ତି ରାଜ୍ୟ ବିଜେପି ପ୍ରଭାରୀ ବିଜୟ ପାଲ ସିଂହ ତୋମାର। ଦିଲ୍ଲୀରୁ ଆସି ଭୁବନେଶ୍ବରେ ପହଞ୍ଚିବା ପରେ ଏୟାରପୋର୍ଟରେ ସାମ୍ବାଦିକଙ୍କ ପ୍ରଶ୍ନର ଉତ୍ତର ଦେଇ ବିଜୟ ପାଲ କହିଛନ୍ତି ଶୀଘ୍ର ନୂଆ ଟିମ୍ ଗଠନ କରାଯିବ। କିଛି ଅପାରଗ ମନ୍ତ୍ରୀ ମନ୍ତ୍ରିମଣ୍ଡଳ ସଂପ୍ରସାରଣରେ ବାଦ୍ ପଡ଼ିବା ନିଶ୍ଚିତ ବୋଲି ଆଲୋଚନା ହେଉଛି। ମୁଖ୍ୟମନ୍ତ୍ରୀ ଜୁଲାଇ ଦ୍ଵିତୀୟ ସପ୍ତାହରେ ନୂଆଦିଲ୍ଲୀ ଗସ୍ତରୁ ଫେରିବା ପରେ ମୁଖ୍ୟ ଶାସନ ସଚିବ ବିଭାଗଗୁଡ଼ିକୁ ରିପୋର୍ଟ ପ୍ରସ୍ତୁତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।
ପୂର୍ବରୁ ମନ୍ତ୍ରିମଣ୍ଡଳ ସଂପ୍ରସାରଣ ହେବା ନେଇ ମୁଖ୍ୟମନ୍ତ୍ରୀ ଓ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ମଧ୍ୟ ସୂଚନା ଦେଇଥିଲେ । ମୋହନଙ୍କ କ୍ୟାବିନେଟରେ ୬ଟି ମନ୍ତ୍ରୀ ପଦ ଖାଲି ପଡ଼ିଛି। ଦିଲ୍ଲୀ ସୂତ୍ର କହୁଛି, ନିକଟରେ ନୂଆ ସଭାପତି ଚୟନ ପରେ ମୁଖ୍ୟମନ୍ତ୍ରୀ ଦିଲ୍ଲୀରେ ମନ୍ତ୍ରିମଣ୍ଡଳ ଅଦଳବଦଳ ନେଇ ହାଇକମାଣ୍ଡଙ୍କ ସହ ଆଲୋଚନା କରିଛନ୍ତି । ସଂଗଠନ ଓ ସରକାର ହାତ ଧରାଧରି ହୋଇ ବାଟ ଚାଲିବାକୁ ବିଜେପି ନିଷ୍ପତ୍ତି ନେଇଥିଲା ବେଳେ ମନ୍ତ୍ରୀ ନିଯୁକ୍ତିରେ ମୁଖ୍ୟମନ୍ତ୍ରୀଙ୍କ ସହ ମନମୋହନଙ୍କ ପସନ୍ଦ ଓ ସମର୍ଥନର ମଧ୍ୟ ବଡ଼ ଭୂମିକା ରହିବ । ମୋହନ ମନ୍ତ୍ରୀଙ୍କ ଦକ୍ଷତା ନେଇ ରିପୋର୍ଟ ମାଗିବା ମନ୍ତ୍ରିମଣ୍ଡଳରେ ଆଗକୁ ବଡ଼ଧରଣର ପରିବର୍ତ୍ତନ ହୋଇପାରେ ବୋଲି ରାଜନୈତିକ ମହଲ ଅନୁମାନ କରୁଛି।