ଖେଳଦେଶରାଜ୍ୟ

ଟି-୨୦ ବିଶ୍ଵ କପ୍ ପାଇଁ ରାତି ୯ଟାରେ ଦଳ ଘୋଷଣା

ସତ୍ୟଶିଖା ( ନୂଆଦିଲ୍ଲୀ ) ୦୮ /୦୯ /୨୦୨୧: ଟି-୨୦ ବିଶ୍ଵ କପ୍ ପାଇଁ  ଭାରତୀୟ କ୍ରିକେଟ୍ ଦଳରେ କେଉଁ କେଉଁ ଖେଳାଳିଙ୍କୁ ସ୍ଥାନ ମିଳିବ ଏହି ପ୍ରଶ୍ନର ଉତ୍ତର ବୁଧବାର ରାତି ୯ଟାରେ ମିଳିଯିବ। ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ ବୋର୍ଡ ଏକ ପ୍ରେସ ବିଜ୍ଞପ୍ତି ଜରିଆରେ ଏହାର ସୂଚନା ଦେଇଛି। ଟି-୨୦ ବିଶ୍ଵ କପ୍ ଅକ୍ଟୋବର ୧୭ରୁ ଆରମ୍ଭ ହେବ। ଫାଇନାଲ ମୁକାବିଲା ନଭେମ୍ବର ୧୪ରେ ଖେଳାଯିବ। ଭାରତର ପ୍ରଥମ ମୁକାବିଲା ପାକିସ୍ତାନ ସହ ରହିଛି। ଏହି ହାଇ ଭୋଲଟେଜ୍ ମ୍ୟାଚ୍ ଅକ୍ଟୋବର ୨୪ରେ ଖେଳଯିବ। ଆଜି ୧୫ ଜଣିଆ ଦଳ ଘୋଷଣା କରାଯିବ। ଦଳ ସହ ୩ ଜଣ ରିଜର୍ଭ ଖେଳାଳିଙ୍କୁ ମଧ୍ୟ ୟୁଏଇ ପଠାଯିବ।

ଭାରତୀୟ ଦଳରେ ୧୦ ଖେଳାଳିଙ୍କ ସ୍ଥାନ ପ୍ରାୟତଃ ନିଶ୍ଚିତ ଲାଗୁଛି। ଏଥିରେ ବିରାଟ କୋହଲି, ରୋହିତ ଶର୍ମା, କେଏଲ ରାହୁଲ, ଋଷଭ ପନ୍ତ, ରବୀନ୍ଦ୍ର ଜାଡେଜା, ଯଶପ୍ରୀତ ବୁମରାଙ୍କ ପରି ଖେଳାଳି ସାମିଲ। ହେଲେ ସ୍ପିନର ବିଭାଗ ପାଇଁ ଚୟନକର୍ତ୍ତାଙ୍କ ମଧ୍ୟରେ ଖୁବ୍ ଆଲୋଚନା ହୋଇପାରେ। ରାହୁଲ ଚହର ଓ ବରୁଣ ଚକ୍ରବର୍ତ୍ତୀଙ୍କ ମଧ୍ୟରେ କଡା ଟକ୍କର ହେଉଥିବା କୁହାଯାଉଛି। ଏହା ଆଶା କରାଯାଉଛି ଯେ, ୟୁଜବେନ୍ଦ୍ର ଚହଲଙ୍କ ବ୍ୟାକଅପ୍ ଭାବେ ରାହୁଲ ଚହରଙ୍କୁ ଦଳରେ ସୁଯୋଗ ମିଳିପାରେ। ମାତ୍ର ବରୁଣ ଚକ୍ରବର୍ତ୍ତୀ ମଧ୍ୟ ନିଜ ପ୍ରତିଭା ବଳରେ ନିଜକୁ ପ୍ରବଳ ଦାବିଦାର କରି ପାରିଛନ୍ତି। ସେହି ପରି ପୃଥ୍ଵୀ ଶ, ଇଶାନ କିଶନ ଓ ଶାର୍ଦ୍ଦୁଳ ଠାକୁରଙ୍କୁ ବ୍ୟାକଅପ୍  ଭାବେ ଦଳରେ ରଖାଯାଇପାରେ।

ଟି-୨୦ ବିଶ୍ଵ କପ୍ ପାଇଁ ଭାରତର ସମ୍ଭାବିତ ଦଳ

ବିରାଟ କୋହଲି(ଅଧିନାୟକ), ରୋହିତ ଶର୍ମା(ଉପ ଅଧିନାୟକ), କେଏଲ ରାହୁଲ, ସୂର୍ଯ୍ୟକୁମାର ଯାଦବ, ଋଷଭ ପନ୍ତ, ହାର୍ଦ୍ଦିକ ପାଣ୍ଡ୍ୟା, ରବୀନ୍ଦ୍ର ଜାଡେଜା, ୟୁଜବେନ୍ଦ୍ର ଚହଲ, ଯଶପ୍ରୀତ ବୁମରା, ମହମ୍ମଦ ଶାମି, ଭୁବନେଶ୍ଵର କୁମାର, ଦୀପକ ଚହର, ମହମ୍ମଦ ସିରାଜ, ଶ୍ରେୟସ ଆୟର, ବରୁଣ ଚକ୍ରବର୍ତ୍ତୀ/ରାହୁଲ ଚହର।

Show More
Back to top button