ସତ୍ୟଶିଖା(ଯାଜପୁର )୨୦.୦୩.୨୦୨୨ : ବଡ଼ସୁଆର ଖରସ୍ରୋତା ନଦୀରେ ୬ ଜଣ ବୁଡ଼ିଯିବା ଘଟଣା । ମିଳିଲା ଶେଷ ବା ୬ଷ୍ଠ ଯୁବକ ବବୁଲ ଜେନାଙ୍କ ମୃତଦେହ । ବବୁଲଙ୍କ ମୃତଦେହକୁ ବହୁ ଖୋଜାଖୋଜି ପରେ ଅଗ୍ନିଶମ ବିଭାଗ ଉଦ୍ଧାର କରିଛି । ଦୀର୍ଘ ୩୬ ଘଣ୍ଟାର ଖୋଜାଖୋଜି ପରେ ବବୁଲଙ୍କ ମୃତଦେହ ଉଦ୍ଧାର କରିଛନ୍ତି ଅଗ୍ନିଶମ କର୍ମଚାରୀ । ପୂର୍ବୁ ଖରସ୍ରୋତା ନଦୀରୁ ୫ଜଣଙ୍କ ମୃତ ଦେହ ଉଦ୍ଧାର ହୋଇଥିଲା । ହେଲେ ବବୁଲଙ୍କ ମୃତଦେହ ମିଳିନଥିଲା । ବହୁ ଖୋଜାଖୋଜି ପରେ ଆଜି ସକାଳୁ ତାଙ୍କର ମୃତଦେହ ଉଦ୍ଧାର କରାଯାଇଛି । ସୂଚନା ମୁତାବକ ଗତ ୧୮ ତାରିଖ ଦିନ ଗାଁର କିଛି ଯୁବକ ହୋଲି ଥିବାରୁ ରଙ୍ଗ ଖେଳିଥିଲେ । ରଙ୍ଗ ଖେଳିସାରିବା ପରେ ଖରସ୍ରୋତା ନଦୀକୁ ଗାଧୋଇବାକୁ ଯାଇଥିଲେ । ଗାଧୋଇବା ସମୟରେ ନଦୀ ପାଣିରେ ବୁଡିଯାଇଥିଲେ । ଏନେଇ ସ୍ଥାନୀୟ ଲୋକ ଜାଣିବା ପରେ ଅଗ୍ନିଶମ ବାହିନୀଙ୍କୁ ଖବର ଦେଇଥିଲେ । ଅଗ୍ନିଶମ ବିଭାଗ ଘଟଣାସ୍ଥଳରେ ପହଞ୍ଚିବା ସହ ନିଖୋଜ ଯୁବକ ମାନଙ୍କୁ ଖୋଜାଖୋଜି କରିଥିଲା । ସେହିଦିନ ୨ଜଣ ଯୁବକଙ୍କୁ ଅଗ୍ନିଶମ ବିଭାଗର କର୍ମଚାରୀମାନେ ଉଦ୍ଧାର କରିଥିବା ବେଳେ ଅନ୍ୟମାନେ ନିଖୋଜ ରହିଥିଲେ । ଗତକାଲି ମଧ୍ୟ ଅନ୍ୟମାନଙ୍କୁ ଅଗ୍ନିଶମ ବିଭାଗ ଉଦ୍ଧାର କରିଥିଲା । ହେଲେ ବବୁଲ ଗତକାଲି ମିଳିନଥିଲେ । ଆଜି ତାଙ୍କ ମୃତଦେହ ଅଗ୍ନିଶମ ବିଭାଗ ଉଦ୍ଧାର କରିଛି । ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଶୋକାକୁଳ ପରିସ୍ଥିତି ସୃଷ୍ଟି ହୋଇଛି ।
ମିଳିଲା ଷଷ୍ଠ ମୃତଦେହ, କାନ୍ଦବୋବାଳିରେ ଫାଟୁଛି ଗାଁ ଦାଣ୍ଡ
