ନ୍ୟୁଜ୍ବାଣିଜ୍ୟ

ସେନ୍ସେକ୍ସ ଦୁଇ ଦିନରେ ୩୫୦୦ ପଏଣ୍ଟ୍‌ ବୃଦ୍ଧି

ସତ୍ୟଶିଖା (ମୁମ୍ବାଇ) ୦୩/୦୨/୨୦୨୧ : ଗତକାଲି ଅର୍ଥମନ୍ତ୍ରୀ ୨୦୨୧-୨୨ ଆର୍ଥିକ ବର୍ଷର ବଜେଟ୍ ଘୋଷଣା କରିବା ପରଠାରୁ ବମ୍ବେ ଷ୍ଟକ ବଜାର ସେନ୍‌ସେକ୍ସ ଦ୍ରୁତ ଗତିରେ ଆଗକୁ ମାଡ଼ି ଚାଲିଛି । ପୁଞ୍ଜିପ୍ରତ୍ୟାହାରକୁ ପ୍ରାଧାନ୍ୟ, ବୀମା କ୍ଷେତ୍ରରେ ଏଫ୍‌ଡିଆଇ ସୀମା ୭୪%କୁ ବୃଦ୍ଧି କରାଯିବ, ଦୁଇଟି ବ୍ୟାଙ୍କ ଓ ଗୋଟିଏ ବୀମା କଂପାନିର ଘରୋଇକରଣ, ସ୍ଵାସ୍ଥ ଓ ଭିତ୍ତିଭୂମିରେ ବିପୁଳ ନିବେଶ କରାଯିବ ବୋଲି ଘୋଷଣା କରାଯିବା ପରେ ନିବେଶକମାନେ ବେଶ ଉତ୍ସାହିତ ହୋଇପଡ଼ିଛନ୍ତି । ସେମାନେ ବ୍ୟାଙ୍କ ଓ ଆର୍ଥିକ ସଂସ୍ଥାର ସେୟାର ଅଧିକ ମାତ୍ରାରେ କିଣୁଛନ୍ତି ।

ବଜେଟ୍‌ ଘୋଷଣା ହେବାର ପୂର୍ବ ଚାରିଟି କାରବାର ଦିନରେ ସେନ୍‌ସେକ୍ସରେ ୨୪୦୦ ପଏଣ୍ଟ୍‌ର ହ୍ରାସ ଘଟିଥିଲା । ସେହି କ୍ଷତି ବଜେଟ୍ ଦିନ ଭରଣା ହୋଇଯାଇଥିଲା । ଆଜି ସେନ୍‌ସେକ୍ସରେ ପୁଣି ୧୧୯୭ ପଏଣ୍ଟ୍‌ର ବୃଦ୍ଧି ହୋଇଛି । ଆଜି କାରବାର ଶେଷ ବେଳକୁ ୧୧୯୭ ପଏଣ୍ଟ୍‌ର ବୃଦ୍ଧି ସହ ସେନ୍‌ସେକ୍ସ ୪୯,୭୯୭ ପଏଣ୍ଟ୍‌ରେ ବନ୍ଦ ହୋଇଛି । ସେହିପରି ନ୍ୟାସନାଲ୍ ଷ୍ଟକ ଏକ୍ସଚେଞ୍ଜ୍‌ର ନିଫ୍‌ଟି ମଧ୍ୟ ୩୬୬ ପଏଣ୍ଟ୍‌ ବୃଦ୍ଧି ପାଇ ୧୪,୬୪୭ ପଏଣ୍ଟ୍ ଭଳି ସ୍ତରରେ ବନ୍ଦ ହୋଇଛି । ଦୁଇଦିନରେ ସେନ୍‌ସେକ୍ସ ୩୫୦୦ ପଏଣ୍ଟ୍‌ ବୃଦ୍ଧି ପାଇଛି । ବଜେଟ୍‌ ପରେ ସେନ୍‌ସେକ୍ସରେ ଏଭଳି ଧରଣର ବୃଦ୍ଧି ୧୯୯୭ ପରେ ପ୍ରଥମ ଥର ଲାଗି ଦେଖିବାକୁ ମିଳିଛି । ଦୁଇଦିନରେ ‌ଷ୍ଟକ ବଜାର ନିବେଶକମାନଙ୍କୁ ୧୦ ଲକ୍ଷ ୪୮ ହଜାର କୋଟି ଟଙ୍କାରୁ ଅଧିକ ମୂଲ୍ୟର ଲାଭ ମିଳିଛି । ଆଜି ସେମାନଙ୍କ ସମ୍ପତ୍ତିରେ ପ୍ରାୟ ୪ ଲକ୍ଷ କୋଟି ଟଙ୍କାର ବୃଦ୍ଧି ହୋଇଛି । ବଜେଟ୍ ପୂର୍ବରୁ ୬ଟି କାରବାର ଦିନରେ ନିବେଶକମାନେ ପ୍ରାୟ ୧୧.୫ ଲକ୍ଷ କୋଟି ଟଙ୍କା ହରାଇଥିଲେ । ଦୁଇ ଦିନ ଭିତରେ ଏହି କ୍ଷତିର ସିଂହ ଭାଗ ଭରଣା ହୋଇପାରିଛି ।

Show More
Back to top button