ଖାଦ୍ୟରାଜ୍ୟ

ପୁରୀ ର ସେବାୟତ ମାନେ ‘ଓଡ଼ିଆ ଅଭଡ଼ା’ ହୋଟେଲ ବିରୋଧରେ ଏତଲା କଲେ

ସତ୍ୟଶିଖା ୨୪ /୧୨/୨୦୨୦ : ସମ୍ବଲପୁର ଚାରଭାଟି ଛକରେ ଖୋଲିଥିବା ‘ଓଡ଼ିଆ ଅଭଡ଼ା’ ରେଷ୍ଟୁରାଣ୍ଟ ନାଁରେ ପୁରୀ ସିଂହଦ୍ବାର ଥାନାରେ ଏତଲା ଦିଆଯାଇଛି । ଏଥିସହ ପୁରୀ ଜିଲ୍ଲା ଯୁବ ଅଧିବକ୍ତା ସଂଘର ଆବାହକ ଆଇନଜୀବୀ ଅନୀଲ କୁମାର ସାହୁ ଏହି ଘଟଣାରେ ରେଷ୍ଟୁରାଣ୍ଟର ମାଲିକଙ୍କୁ ଏକ ଲିଗାଲ୍ ନୋଟିସ୍ ପଠାଇଛନ୍ତି । ଅବଢ଼ା (ଶ୍ରୀମନ୍ଦିରର ମହାପ୍ରସାଦ) ନାଁରେ ରେଷ୍ଟୁରାଣ୍ଟରେ ଟେବୁଲ ଉପରେ ଖାଦ୍ୟ ବିକ୍ରି ମହାପ୍ରସାଦ ଓ ଶ୍ରୀଜଗନ୍ନାଥଙ୍କ ପ୍ରତି ଅସମ୍ମାନ ବୋଲି ଦର୍ଶାଇ ଏହି ରେଷ୍ଟୁରାଣ୍ଟ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ସଂଘ ପକ୍ଷରୁ ପୁରୀ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସାମ୍ନାରେ ବିକ୍ଷୋଭ ପ୍ରଦର୍ଶନ ମଧ୍ୟ କରାଯାଇଛି ।ତେବେ ଏହି ବିବାଦକୁ ନେଇ ରେଷ୍ଟୁରାଣ୍ଟ ମାଲିକ ଅଜିତ ମହାନ୍ତି ପ୍ରତିକ୍ରିୟା ରଖିଛନ୍ତି । ଜଗନ୍ନାଥଙ୍କ ମହାପ୍ରସାଦ କିମ୍ବା ଜଗନ୍ନାଥଙ୍କୁ ଅବମାନନା କି ଅପମାନ କରିବା ଆଦୌ ତାଙ୍କ ଉଦ୍ଦେଶ୍ୟ ନୁହେଁ ବୋଲି ସେ କହିଛନ୍ତି । ସମ୍ବଲପୁର ଗ୍ରାହକଙ୍କୁ ନିଆରା ଢଙ୍ଗରେ ଶୁଦ୍ଧ ନିରାମିଷ ବ୍ୟଞ୍ଜନ ପରଷିବା ତାଙ୍କର ଉଦ୍ଦେଶ୍ୟ ଥିଲା । ଏହି ରେଷ୍ଟୁରାଣ୍ଟ ପାଇଁ ତାଙ୍କୁ ଖାଦ୍ୟ ସୁରକ୍ଷା ଲାଇସେନ୍ସ ମିଳିଥିବା ଶ୍ରୀ ମହାନ୍ତି କହିଛନ୍ତି । ତଥାପି ଯଦି କାହାରି ଧର୍ମୀୟ ଭାବନା ପ୍ରତି ଆଘାତ ଆସିଥିବ, ତେବେ ସେ ନାମ ପରିବର୍ତ୍ତନ ପାଇଁ ଚିନ୍ତା କରିବେ ବୋଲି ସମ୍ବାଦକୁ କହିଛନ୍ତି  । ରାଜ୍ୟର ବିଭିନ୍ନ ସ୍ଥାନରେ ମହାପ୍ରସାଦ, ନିର୍ମାଲ୍ୟ ନାଁରେ ହୋଟେଲ ଚାଲୁଥିବାର ମଧ୍ୟ ସେ କହିଛନ୍ତି ।ସେପଟେ ପୁରୀ ଯୁବ ଅଧିବକ୍ତା ସଂଘ ଅଭିଯୋଗ କରିଛି ଯେ, ମହାପ୍ରଭୁଙ୍କ ଅବଢ଼ାର ଅସମ୍ମାନ କରି ହୋଟେଲର ଡାଇନିଂ ଟେବୁଲ ଉପରେ କଦଳୀ ପତ୍ର ପକାଇ ଲୋକଙ୍କୁ ଅବଢ଼ା ନାଁରେ ଭାତ, ଡାଲି, ବେସର ପରଷାଯାଉଛି  । ଏହାଦ୍ବାରା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ମହାପ୍ରସାଦକୁ ଅବମାନନା କରାଯାଇଛି । ପ୍ରଭୁ ଶ୍ରୀଜଗନ୍ନାଥଙ୍କ ମହାପ୍ରସାଦକୁ ତଳେ ବସି ଖାଇବାର ପ୍ରଥା ରହିଛି । କିନ୍ତୁ ଟଙ୍କା ଉପାର୍ଜନ ପାଇଁ କୋଟି କୋଟି ଓଡ଼ିଆଙ୍କ ଭାବନା ସହ ଖେଳ ଖେଳାଯାଉଛି ଓ ଅବଢ଼ା ନାମରେ ଭ୍ରମ ସୃଷ୍ଟି କରି କୁଡୁଆରୁ ଭାତ, ଡାଲି, ବେସର ପରସା ଯାଉଥିବା ଅଭିଯୋଗ ହୋଇଛି  । ଏ ନେଇ ଜିଲାପାଳଙ୍କୁ ଅବଗତ କରାଯିବା ସହିତ ଅବଢ଼ା ପ୍ରତି ଏପରି ଅପମାନକୁ ସହ୍ୟ କରାଯିବ ନାହିଁ ବୋଲି ଶ୍ରୀମନ୍ଦିର ଉନ୍ନୟନ ପ୍ରଶାସକ ଗଣମାଧ୍ୟମକୁ କହିଛନ୍ତି ।

Show More
Back to top button