ନ୍ୟୁଜ୍

ଉତ୍ତରକାଶୀ ର ମାଟି ତଳେ ଜୀବନ ଖୋଜା ଚାଲିଛି।

ସତ୍ୟଶିଖା ୦୭/୦୮/୨୦୨୫: ମଙ୍ଗଳବାର ବାଦଲ ଫଟା ବର୍ଷା ପରେ ପାହାଡ଼ ଉପରୁ ଖସି ଆସିଥିଲା ଆତଙ୍କ। କେହି କିଛି ବୁଝିବା ଆଗରୁ ପ୍ରକୃତିର ତାଣ୍ଡବରେ ନିଶ୍ଚିହ୍ନ ହୋଇଗଲା ପୂରା ଧରାଲି ଗାଁ। ଧ୍ବଂସଲୀଳା ପରେ ଧରାଲି ଗାଁରେ ଆଖି ଯୁଆଡ଼େ ବୁଲୁଛି ସେଠି କେବଳ ବଡ଼ ପଥରଖଣ୍ଡ, ଅତଡ଼ା ମିଶା କାଦୁଅ। ଏଯାଏଁ ୨୦୦ରୁ ଅଧିକ ନିଖୋଜଙ୍କୁ ଖୋଜି ବାହାର କରିଛି ଏନ୍‌ଡିଆର୍‌ଏଫ୍‌, ସେନା ଓ ଆଇଟିବିପିର ମିଳିତ ଟିମ୍‌। ଏହି ଘଟଣାରେ ୫ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୧ ଯବାନ ନିଖୋଜ ଅଛନ୍ତି। ପ୍ରାୟ ୨୫ଟି ହୋଟେଲ, ଗେଷ୍ଟ ହାଉସ ଓ ଘର ସମ୍ପୂର୍ଣ୍ଣ ଭାବେ ନଷ୍ଟ ହୋଇଯାଇଛି।ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମୀଙ୍କ ସହ ଫୋନରେ କଥା ହୋଇ ସ୍ଥିତି ସମ୍ପର୍କରେ ଆଲୋଚନା କରିଛନ୍ତି। ଏହା ସହ ସମସ୍ତ ପ୍ରକାର ସହାୟତା ଯୋଗାଇଦେବାକୁ ମଧ୍ୟ ପ୍ରତିଶ୍ରୁତି ଦେଇଛନ୍ତି। ସେପଟେ ମୁଖ୍ୟମନ୍ତ୍ରୀ ଧାମୀ ଆକାଶମାର୍ଗରୁ ଉତ୍ତରକାଶୀ ଏବଂ ଗ୍ରାଉଣ୍ଡ ଜିରୋରେ ଧରାଲି ଗାଁରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଛନ୍ତି। ଘଟଣାରେ ଆହତ ହୋଇଥିବା ଯବାନଙ୍କୁ ମଧ୍ୟ ସେ ଭେଟିଛନ୍ତି।

ଉଦ୍ଧାରକାର୍ଯ୍ୟକୁ ୟୁଦ୍ଧକାଳୀନ ଭିତ୍ତିରେ କରାଯାଉଛି। କିନ୍ତୁ ବାଧକ ସାଜିଛି ବର୍ଷା ଓ ଖରାପ ପାଣିପାଗ । ଉତ୍ତରକାଶୀର ବିଭିନ୍ନ ସ୍ଥାନରେ ଏବେ ବି ବର୍ଷା ହେଉଛି। ଧରାଲିକୁ ସଂଯୋଗ କରୁଥିବା ତିନିଟି ପ୍ରମୁଖ ରାସ୍ତା ବନ୍ଦ । ତେଣୁ ଉଦ୍ଧାର ଓ ରିଲିଫ କାର୍ଯ୍ୟ ବାଧାପ୍ରାପ୍ତ ହୋଇଛି। ରୁଦ୍ରପ୍ରୟାଗରେ ପ୍ରବଳ ବର୍ଷା ଜାରି ରହିଛି। ଫଳରେ ଅଲକାନନ୍ଦା ନଦୀର ଜଳସ୍ତର ବୃଦ୍ଧିପାଇଛି। ଏଥିପାଇଁ ଲୋକଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି କେଦାରନାଥ ଯାତ୍ରାକୁ ସ୍ଥଗିତ ରଖାଯାଇଛି। ପ୍ରବଳବର୍ଷା ନେଇ ରେଡ୍ ଆଲର୍ଟ ଜାରି ହେବାପରେ ଉତ୍ତରାଖଣ୍ଡର ୯ଟି ଜିଲ୍ଲାରେ ସ୍କୁଲ ଛୁଟି ନେଇ ଘୋଷଣା ହୋଇଛି।

Show More
Back to top button