

ସତ୍ୟଶିଖା (ନୂଆଦିଲ୍ଲୀ) ୩୦.୦୩.୨୦୨୨: ସରକାରୀ କର୍ମଚାରୀମାନଙ୍କ ପାଇଁ ଖୁସି ଖବର । ସରକାରୀ କର୍ମଚାରୀମାନଙ୍କ ଦରମା ବଢ଼ିଛି । କେନ୍ଦ୍ର ସରକାର ଆଜି ମହଙ୍ଗା ଭତା ୩% ବୃଦ୍ଧି କରିଛନ୍ତି । ଫଳରେ କେନ୍ଦ୍ର ସରକାରୀ କର୍ମଚାରୀମାନେ ମୂଳ ଦରମା ଉପରେ ୩୪% ମହଙ୍ଗା ଭତା ପାଇବେ । ଜାନୁଆରୀ ପହିଲାରୁ ପିଛିଲା ଭାବେ ଏହା ଲାଗୁ କରାଯିବ । ଜାନୁଆରୀରୁ ଏହି ବର୍ଦ୍ଧିତ ମହଙ୍ଗା ଭତା ଇନଷ୍ଟାଲମେଂଟ ଆକାରରେ କର୍ମଚାରୀମାନଙ୍କୁ ମିଳିବ ।
ସପ୍ତମ ବେତନ କମିଶନଙ୍କ ସୁପାରିଶ ଆଧାରରେ ଏହି ମହଙ୍ଗା ଭତା ନିର୍ଦ୍ଧାରଣ କରାଯାଇଛି । କେନ୍ଦ୍ର କ୍ୟାବିନେଟରେ ଏହି ମହଙ୍ଗା ଭତା ବୃଦ୍ଧି ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଆଜି କ୍ୟାବିନେଟ ବୈଠକ ବସିଥିଲା । ପେନସନଧାରୀମାନେ ମଧ୍ୟ ଏହି ମହଙ୍ଗା ଭତା ବୃଦ୍ଧିରୁ ଲାଭବାନ ହୋଇପାରିବେ । ସେମାନଙ୍କ ପେନସନ ମଧ୍ୟ ବୃଦ୍ଧିପାଇବ । ପୂର୍ବରୁ କେନ୍ଦ୍ର ସରକାରୀ କର୍ମଚାରୀମାନଙ୍କୁ ୩୧% ମହଙ୍ଗା ଭତା ମିଳୁଥିଲା ।
ସମ୍ପ୍ରତି ପାଇକାରୀ ମୁଦ୍ରାସ୍ଫୀତି, ଦରଦାମ ବୃଦ୍ଧି ଅଧିକ ଥିବାବେଳେ ମହଙ୍ଗା ଭତା ବୃଦ୍ଧି ନେଇ କର୍ମଚାରୀ ସଂଘ ପକ୍ଷରୁ ଦାବି କରାଯାଉଥିଲା । ପୂର୍ବରୁ ମଧ୍ୟ ଏନେଇ ସପ୍ତମ ବେତନ କମିଶନ ସୁପାରିଶ କରିଥିଲେ ।