ସତ୍ୟଶିଖା (ଭୁବନେଶ୍ୱର) ୧୧/୧୨/୨୦୨୦ : ୨୦୧୫ ଓ ୨୦୧୬ ପାଇଁ ଓଡ଼ିଶା ସାହିତ୍ୟ ଏକାଡେମି ପୁରସ୍କାର ପ୍ରଦାନ କରାଯିବ । ୨୦୧୯ ମସିହା ପାଇଁ ମନୋନୀତ ୧୫ଜଣ ସାରସ୍ଵତ ପ୍ରତିଭାଙ୍କୁ ମଧ୍ୟ ଆସନ୍ତା ୧୫ ତାରିଖରେ ଆୟୋଜିତ ଉତ୍ସବରେ ସମ୍ବର୍ଧିତ କରାଯିବ । ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଏଥର ସାରସ୍ଵତ ପ୍ରତିଭାମାନଙ୍କୁ ପରିବର୍ଦ୍ଧିତ ପୁରସ୍କାର ରାଶି ଦେଇ ସମ୍ମାନିତ କରାଯିବ । ଏକାଡେମି ପୁରସ୍କାର ବାବଦରେ ୨ଲକ୍ଷ ଏବଂ ସମ୍ବର୍ଧନା ବାବଦରେ ୧ଲକ୍ଷ ଟଙ୍କା ପୁରସ୍କାର ପ୍ରଦାନ କରାଯିବ । ସାରସ୍ଵତ ପ୍ରତିଭାଙ୍କ ପ୍ରତି ସରକାରଙ୍କ ଏହି ଆଭିମୁଖ୍ୟକୁ ବିଭିନ୍ନ ମହଲରେ ସ୍ୱାଗତ କରାଯାଇଛି । ତେବେ ସେହି ୨୦୧୯ ମସିହା ପାଇଁ ଓଡ଼ିଶା ସାହିତ୍ୟ ଏକାଡେମିର ସର୍ବୋଚ୍ଚ ସମ୍ମାନ ଅତିବଡ଼ୀ ପୁରସ୍କାର ପାଇଥିବା ବିଶିଷ୍ଟ ସାହିତ୍ୟିକା ବୀଣାପାଣି ମହାନ୍ତିଙ୍କୁ କାହିଁକି ୧ଲକ୍ଷ ଟଙ୍କାର ପୁରସ୍କାର ରାଶିରେ ସୀମିତ ରଖାଯିବ, ସେନେଇ ବିଭିନ୍ନ ମହଲରେ ପ୍ରଶ୍ନ ଉଠିଛି ।
ଗତ ମାର୍ଚ୍ଚ ମାସରେ ୨୦୧୯ ମସିହା ନିମନ୍ତେ ଅତିବଡ଼ୀ ପୁରସ୍କାର ପାଇଁ ବୀଣାପାଣି ମହାନ୍ତି ଓ ସମ୍ବର୍ଧନା ଲାଗି ୧୫ଜଣ ସାହିତ୍ୟିକଙ୍କ ନାମ ଘୋଷଣା କରାଯାଇଥିଲା । ତେବେ କରୋନା ଯୋଗୁଁ ପୁରସ୍କାର ଉତ୍ସବ ଆୟୋଜନ ହୋଇପାରିନଥିଲା । କିନ୍ତୁ ବୀଣାପାଣି ମହାନ୍ତି ଅସୁସ୍ଥ ଥିବାରୁ ଓ ବୟସାଧିକ ହେତୁ ତାଙ୍କୁ ଗତ ଜୁଲାଇ ମାସରେ ଘରେ ୧ଲକ୍ଷ ଟଙ୍କାର ଅର୍ଥରାଶି ସହ ଅତିବଡ଼ୀ ପୁରସ୍କାର ପ୍ରଦାନ କରାଯାଇଥିଲା । ଏହାପରେ ସେପ୍ଟେମ୍ବରରେ ଐତିହ୍ୟ କ୍ୟାବିନେଟ୍ରେ ସର୍ବୋଚ୍ଚ ପୁରସ୍କାର ରାଶି ୧ଲକ୍ଷରୁ ୫ଲକ୍ଷ, ଏକାଡେମି ପୁରସ୍କାର ୫୦ ହଜାରରୁ ୨ଲକ୍ଷ ଏବଂ ସମ୍ବର୍ଧନା ରାଶି ୧ଲକ୍ଷ ଟଙ୍କାକୁ ବୃଦ୍ଧି କରାଯାଇଥିଲା । ଏଇ ଆଧାରରେ ଆସନ୍ତା ୧୫ ତାରିଖରେ ଅନୁଷ୍ଠିତ ହେବାକୁ ଯାଉଥିବା ଏକାଡେମି ଓ ସମ୍ବର୍ଧନା ରାଶି ପୁରସ୍କାର ସ୍ଵରୂପ ପ୍ରଦାନ କରାଯିବ । ଏପରିକି ୨୦୧୫-୧୬ ମସିହାର ଏକାଡେମି ପୁରସ୍କାର ରାଶି ମଧ୍ୟ ୨ଲକ୍ଷ ଟଙ୍କା ଲେଖାଏଁ ଦିଆଯିବ ।