‘ଓଡ଼ିଶା ଉପକୂଳରେ ଆକସ୍ମିକ ଜୁଆର ମାଡ଼ିବାର ସମ୍ଭାବନା ନାହିଁ’


ଭୁବନେଶ୍ୱର (ସତ୍ୟଶିଖା): ‘ଅମ୍ଫାନ’ ଏବେ ଘଣ୍ଟାକୁ ୧୫ କିମି ବେଗରେ ଆଗକୁ ବଢ଼ୁଛି। ଏହା ପ୍ରଭାବରେ କାଲି ସକାଳ ଠାରୁ ସଂଧ୍ୟା ଯାଏ ୬ ଜିଲ୍ଲାରେ ପ୍ରବଳ ବର୍ଷା ହେବ। ପବନର ବେଗ ୧୧୦ରୁ ୧୨୦ କିମି ରହିବ। ସ୍ଥଳ ବିଶେଷରେ ୧୩୫ କିମି ମଧ୍ୟ ହୋଇପାରେ। ଏହି ସୂଚନା ଦେଇଛନ୍ତି ସ୍ୱତନ୍ତ୍ର ରିଲିଫ କମିଶନର (ଏସ୍ଆର୍ସି) ପ୍ରଦୀପ ଜେନା।
ସେ କହିଛନ୍ତି, ଓଡ଼ିଶା ଉପକୂଳରେ ଆକସ୍ମିକ ଜୁଆର ମାଡ଼ିବାର ସମ୍ଭାବନା ନାହିଁ। କିଛି ଜିଲ୍ଲାରେ ଲୋକଙ୍କୁ ସ୍ଥାନାନ୍ତରଣ ପ୍ରକ୍ରିୟା ଆରମ୍ଭ ହୋଇଛି। ଗଜପତିରେ ଭୂସ୍ଖଳନ ଆଶଙ୍କାରେ କିଛି ଲୋକଙ୍କୁ ସ୍ଥାନାନ୍ତରଣ ହୋଇଛି।
ଆହୁରି ପଢ଼ନ୍ତୁ
ଏସ୍ଆରସି ଆହୁରି କହିଛନ୍ତି, ବାତ୍ୟା ମୁକାବିଲା ପାଇଁ ପ୍ରଭାବିତ ହେବାକୁ ଥିବା ଅଞ୍ଚଳକୁ ମୋଟ ୩୧ଟି ଏନ୍ଡିଆରଏଫ୍ ଏବଂ ଓଡ୍ରାଫ୍ ଟିମ୍ ପଠାଯାଇଛି। ଆମେ ୫ଟି ଏନଡିଆରଏଫ୍ଓ ୫ଟି ଓଡ୍ରାଫ୍ ଟିମ୍ ରିଜର୍ଭ ରଖିଛୁ। ଏହାସହ ଜଳ ସଂପଦ, ପୂର୍ତ୍ତ, ଶକ୍ତି ବିଭାଗକୁ ନେଇ ରାପିଡ ରେସପନ୍ସ ଟିମ୍ ଗଠନ ହୋଇଛି। ଶକ୍ତି ବିଭାଗ ଅତିରିକ୍ତ ବିଦ୍ୟୁତ ଖୁଣ୍ଟ ବିଭିନ୍ନ ଜିଲ୍ଲାକୁ ପଠାଇଛି। ପାନୀୟ ଜଳ ଯୋଗାଣ ପାଇଁ ସମସ୍ତ ପ୍ରକାର ପ୍ରସ୍ତୁତି ପର୍ବ ସରିଛି।ପରିସ୍ଥିତି ଦେଖି ଲୋକଙ୍କୁ ସତର୍କ ମେସେଜ ଦିଆଯିବ ଓ ସାଇରନ ବାଜିବ।
ପବନ ହେଲା ବେଳେ ବାହାରକୁ ନ ବାହାରିବା ସହ ଗାଡ଼ି ଚଳାନ୍ତୁ ନାହିଁ ବୋଲି ଏସ୍ଆରସି ପରାମର୍ଶ ଦେଇଛନ୍ତି। ଏହାସହ ପ୍ରବାସୀ ଶ୍ରମିକଙ୍କୁ ରାସ୍ତା ଉପରକୁ ଆସିବାକୁ ବାରଣ କରାଯାଇଛି।