ସତ୍ୟଶିଖା(ନୂଆଦିଲ୍ଲୀ) ୨୧.୦୭.୨୦୨୧: ଆଜି ଠାରୁ ୧୫ ଅଗଷ୍ଟ ପର୍ଯ୍ୟନ୍ତ ଲାଲକିଲ୍ଲା ବନ୍ଦ । ସ୍ୱାଧୀନତା ଦିବସ ପାଇଁ ପ୍ରସ୍ତୁତିକୁ ଦୃଷ୍ଟିରେ ରଖି ସାଧାରଣ ନାଗରିକଙ୍କ ପାଇଁ ଲାଲକିଲ୍ଲା ବନ୍ଦ କରାଯାଇଛି । ଯେଉଁମାନେ ଜୁଲାଇ ୨୧ ରୁ ଅଗଷ୍ଟ ୧୫ ପର୍ଯ୍ୟନ୍ତ ଲାଲକିଲ୍ଲା ବୁଲିବାକୁ ଯୋଜନା କରିନ୍ତି, ତାଙ୍କୁ ଭିତରକୁ ପ୍ରବେଶ କରିବାକୁ ଦିଆଯିବ ନାହିଁ । ଏଥିପାଇଁ କିଛି ଦିନ ପାଇଁ ଲାଲକିଲ୍ଲା ବୁଲିବା ଯୋଜନାକୁ ସ୍ଥଗିତ କରିବାକୁ ପଡ଼ିବ ।
ମଙ୍ଗଳବାର ସନ୍ଧ୍ୟାରେ ଲାଲକିଲ୍ଲା ବନ୍ଦ ହେବା ସମ୍ପର୍କରେ ଭାରତୀୟ ପ୍ରତ୍ନତତ୍ତ୍ୱ ସର୍ବେକ୍ଷଣ (ଏଏସଆଇ) ପକ୍ଷରୁ ସୂଚନା ଦିଆଯାଇଛି । ଏକ ନିର୍ଦ୍ଦେଶ ପତ୍ର ଜାରି କରି ଦିଲ୍ଲୀ ସର୍କଲର ସମସ୍ତ ଅଧିକାରୀ, ଉତ୍ତର ଜିଲ୍ଲା ପୋଲିସ୍ ଏବଂ ଲାଲକିଲ୍ଲାରେ ସୁରକ୍ଷା ବ୍ୟବସ୍ଥା ପରିଚାଳନା କରୁଥିବା ସିଏସ୍ଏଫ୍ କମାଣ୍ଡାଣ୍ଟଙ୍କୁ ସୂଚନା ଦେଇଛନ୍ତି ଏଏସଆଇ ଏନକେ ପାଠକ୍ ।
ସୁରକ୍ଷା ଦୃଷ୍ଟିରୁ ଜୁଲାଇ ୧୫ରୁ ଲାଲକିଲ୍ଲା ବନ୍ଦ କରିବାକୁ ଏଏସଆଇକୁ କହିଥିଲା ଦିଲ୍ଲୀ ପୋଲିସ । ତେବେ ବର୍ତ୍ତମାନ ଜୁଲାଇ ୧୫ ବଦଳରେ ଜୁଲାଇ ୨୧ରୁ ଲାଲକିଲ୍ଲା ବନ୍ଦ କରିବାକୁ ନିଷ୍ପତ୍ତି ନେଇଛି । ଦିଲ୍ଲୀ ପୋଲିସ ପୂର୍ବ ତୁଳନାରେ ବର୍ତ୍ତମାନ ପାଇଁ ଲାଲକିଲ୍ଲା ଏବଂ ଏହାର ଆଖପାଖ ଅଞ୍ଚଳରେ ସୁରକ୍ଷା ବ୍ୟବସ୍ଥା ବୃଦ୍ଧି କରିଛି ।