ସତ୍ୟଶିଖା (ବେଙ୍ଗାଲୁରୁ) ୭ .୦୯.୨୦୨୦ : ସଫା ଚାଉଳର ଭାତ(ସଫା ଭାତ) ଡାଇବେଟିସ୍ର କାରଣ । ବିଶେଷ କରି ଦକ୍ଷିଣ ଏସିଆ ଦେଶଗୁଡ଼ିକରେ ଏହାର ବିପଦ ଅଧିକ । ୨୧ଟି ଦେଶରେ ୧,୩୦,୦୦୦ ବୟସ୍କ ବ୍ୟକ୍ତିଙ୍କୁ ନେଇ କରାଯାଇଥିବା ଗବେଷଣାରୁ ଏଭଳି ଭୟଙ୍କର ତଥ୍ୟ ସାମ୍ନାକୁ ଆସିଛି ।
ଭାରତ, ବ୍ରାଜିଲ, ଚୀନ ଭଳି ଦେଶର ଗବେଷକମାନେ ଏସିଆ, ଆଫ୍ରିକା, ଆମେରିକା ଓ ୟୁରୋପରେ ୧୦ ବର୍ଷ ଧରି ଗବେଷଣା କରି ଏଭଳି ତଥ୍ୟ ଦେଇଛନ୍ତି । ଭାବାଧରିଣୀ ବାଲାଜୀଙ୍କ ନେତୃତ୍ୱରେ ଗଠିତ ଟିମ୍ ପ୍ରସ୍ତୁତ କରିଥିବା ତଥ୍ୟ ଡାଇବେଟିସ୍ କେୟାର ଜର୍ଣ୍ଣାଲରେ ସେପ୍ଟେମ୍ବର ସଂସ୍କରଣରେ ପ୍ରକାଶ ପାଇଛି ।
ସଫା ଚାଉଳର ଭାତ ଓ ଡାଇବେଟିସ୍
ଧାନରୁ ୩ଟି ସ୍ତର ବାହର କରିବା ପରେ ଧଳା ରଙ୍ଗର ଚାଉଳ ପ୍ରସ୍ତୁତ ହୋଇଥାଏ । ମିଲ୍ ମାଧ୍ୟମରେ ଏହି ଚାଉଳକୁ ପଲିସ୍ କରିବା ଦ୍ୱାରା ଏଥିରୁ ଭିଟାମିନ୍—ବି ନଷ୍ଟ ହୋଇଥାଏ । ଧଳା ବା ସଫା ଚାଉଳ ଖାଇବା ଦ୍ୱାରା ଏସିଆରେ ବେରିବେରି ବ୍ୟାପିଥିଲା ଯାହାକି ଭିଟାମିନ୍ ବି-୧ ଅଭାବରୁ ହୋଇଥାଏ । ଏହାସହ ଅଧିକ ଖାଇବା ଦ୍ୱାରା ରକ୍ତରେ ସୁଗାର ସ୍ତର ବୃଦ୍ଧି ପାଉଥିବା ଜଣାପଡ଼ିଥିଲା । ଏବେ ବିଶ୍ୱରେ ୪୨.୫ କୋଟି ଲୋକ ଡାଇବେଟିସ୍ରେ ପୀଡ଼ିତ । ୨୦୪୫ ସୁଦ୍ଧା ଏହି ସଂଖ୍ୟା ୬୨.୯ କୋଟିରେ ପହଞ୍ଚିବ ବୋଲି ଅନ୍ତର୍ଜାତୀୟ ଡାଇବେଟିସ୍ ଫେଡ୍ରେସନ୍ ପକ୍ଷରୁ ସୂଚନା ମିଳିଛି ।
ପ୍ରଥମେ ୨୦୧୨ରେ ପ୍ରକାଶ ପାଇଥିବା ତଥ୍ୟ ଅନୁସାରେ ଅଧିକ ସଫା ଚାଉଳର ଭାତ ଖାଇଲେ ଡାଇବେଟିସ୍ର ଆଶଙ୍କା ୧୧ ପ୍ରତିଶତ ବୃଦ୍ଧି ପାଇବ । କିନ୍ତୁ ପରବର୍ତ୍ତୀ ସମୟରେ ବିଭିନ୍ନ ଦେଶରେ ହୋଇଥିବା ସର୍ଭେ ଅନୁସାରେ ଏହା ଭୁଲ ବୋଲି ପ୍ରମାଣିତ ହୋଇଥିଲା । ସିଙ୍ଗାପୋରରେ ୪୫ ହଜାର ଅଂଶଗ୍ରହଣକାରୀଙ୍କୁ ଭାତ ଖାଇବା ଦ୍ୱାରା ଡାଇବେଟିସ୍ ହୋଇନଥିବା ଜଣାପଡ଼ିଥିଲା ।
ତେଣୁ ଗବେଷକ ଡାଇବେଟିସ୍ର କାରଣ ଜାଣିବା ପାଇଁ ପୁଣି ୨୧ ଦେଶରେ ଗବେଷଣା ଆରମ୍ଭ କରିଥିଲେ । ୨୧ଟି ଦେଶ-ଆର୍ଜେଣ୍ଟିନା, ବାଂଲାଦେଶ, ବ୍ରାଜିଲ, କାନାଡା, ଚିଲି, ଚୀନ, କଲୋମ୍ବିଆ, ଭାରତ, ଇରାନ, ମାଲେସିଆ, ପାଲେସ୍ତିଆନ, ପାକିସ୍ତାନ, ଫିଲିପାଇନ୍ସ, ପୋଲାଣ୍ଡ, ସାଉଥ ଆଫ୍ରିକା, ସାଉଦି ଆରବ, ସ୍ବେଡନ୍, ତାଞ୍ଜାନିଆ, ତୁର୍କୀ, ୟୁଏଇ ଓ ଜିମ୍ବାଓ୍ବେ । ଏହିସବୁ ଦେଶରେ ଗବେଷଣା ପରେ ଜଣାପଡ଼ିଲା ସଫା ଚାଉଳର ଭାତ ଖାଇବା ଦ୍ୱାରା ଦକ୍ଷିଣ ଏସିଆ ଦେଶର ଲୋକଙ୍କୁ ଡାଇବେଟିସ୍ ହେବାର ବିପଦ ଅଧିକ ରହିଛି । ଏହାସହ ସେମାନଙ୍କ ଜୀବନଶୈଳୀ ଓ ଜୈବିକ କାରଣ ବି ଡାଇବେଟିସ୍ର କାରଣ ।
କଣ ମିଳିଲା ତଥ୍ୟ ?
ସଫା ଚାଉଳର ଭାତ ଓ ଡାଇବେଟିସ୍ର ସମ୍ପର୍କ ବିଷୟରେ ଜାଣିବା ପାଇଁ ଗବେଷକ ଦକ୍ଷିଣ ଏସିଆର ଭାରତ, ବାଂଲାଦେଶ ଓ ପାକିସ୍ତାନକୁ ବାକି ବିଶ୍ୱ ସହ ତୁଳନା କରିଥିଲେ । ତେବେ ୨୧ ଦେଶରେ ହୋଇଥିବା ଗବେଷଣାରେ ମୋଟ ୧୩୨୩୭୩ ଜଣଙ୍କ ମଧ୍ୟରୁ ୬,୧୨୯ ଜଣଙ୍କ ଡାଇବେଟିସ୍ ଲକ୍ଷଣ ଦେଖାଦେଇଥିଲା । ୧୫୦ ଗ୍ରାମରୁ ଅଧିକ ଚାଉଳର ଭାତ ଖାଉଥିବା ବ୍ୟକ୍ତିଙ୍କୁ ଡାଇବେଟିସ୍ ହେଉଥିବା ଜଣାପଡ଼ିଥିଲା ।
କିନ୍ତୁ ଭାରତ ଓ ଚୀନ ଭଳି ଦେଶରେ ମୁଖ୍ୟ ଖାଦ୍ୟ ଭାତ ହୋଇଥିବା ବେଳେ ଦକ୍ଷିଣ ଏସିଆରେ ଜଣେ ବ୍ୟକ୍ତି ଦିନକୁ ୬୫୦ ଗ୍ରାମ ଚାଉଳର ଭାତ ଖାଉଛନ୍ତି । କିନ୍ତୁ ଚୀନରେ ୨୦୦ ଗ୍ରାମ ପ୍ରତି ଦିନ । ଅଧିକ ଭାତ ଖାଉଥିବା ବେଳେ ଏମାନେ ଗହମ, ଲାଲ ମାଂସ, କ୍ଷୀର ଆଦି କମ ଖାଉଛନ୍ତି । ଏହାସହ ଦ୍ରୁତ ସହରୀକରଣ, ଆର୍ଥିକ ବିକାଶ, କମ୍ ରୋଜଗାର କରୁଥିବା ପରିବାରମାନଙ୍କ ଖାଦ୍ୟ ଗ୍ରହଣ କରିବାର ପ୍ରକାର, ଶାରୀରିକ ପରିଶ୍ରମ ଆଦି ମୋଟାପଣ ଆଉ ବିଶେଷକରି ଡାଇବେଟିସର କାରଣ ପାଲଟୁଛି ବୋଲି ରିପୋର୍ଟରେ ପ୍ରକାଶ ପାଇଛି ।