ସତ୍ୟଶିଖା (ନୂଆଦିଲ୍ଲୀ) ୨୩/୧୦/୨୦୨୦ : ଏବେ ଆଉ ଜିନିଷପତ୍ର ଧରି ରେଳ ଷ୍ଟେସନ ଯିବାକୁ ପଡ଼ିବ ନାହିଁ । ଏଣିକି ରେଲଓ୍ବେ ଘରୁ ଜିନିଷପତ୍ର ନେଇ ଷ୍ଟେସନରେ ପହଞ୍ଚାଇବ । ଦୀପାବଳି ପୁର୍ବରୁ ରେଲଓ୍ବେ ‘ବ୍ୟାଗ ଅନ ହ୍ବିଲ ସେବା’ (ବିଓଡବ୍ଲୁ ଆପ) ଆରମ୍ଭ ହେବାକୁ ଯାଉଛି । ଏହି ସେବା ଅନ୍ତର୍ଗତ ରେଲଓ୍ବେକୁ ଜିନିଷ ପଠାଇବା ପାଇଁ ଆପରେ ବୁକିଂ କରିବାକୁ ହେବ । ଏହା ସହ ଘରୁ ଜିନିଷ ନେଇ ବଗିରେ ପହଞ୍ଚାଇବା କାମ ରେଲଓ୍ବେ କରିବ । ପ୍ରାରମ୍ଭିକ ଭାବେ ଏହି ସୁବିଧା ଦିଲ୍ଲୀ-ଏନସିଆରର ସାତଟି ଷ୍ଟେସନର ଉପଲବ୍ଧ ହେବ । ଯାତ୍ରୀଙ୍କ ଘରୁ, ଅଫିସ ଆଦି ସ୍ଥାନରୁ କୋଚ ପର୍ଯ୍ୟନ୍ତ ଜିନିଷ ନେବା ଓ ପହଞ୍ଚାଇବାର ସୁବ୍ୟବସ୍ଥା କରାଯାଉଛି । ଏହି ଆପର ବ୍ୟବହାର ଆଣ୍ଡ୍ରଏଡ ଓ ଆଇ ଫୋନ ବ୍ୟବହାରକାରୀ କରିପାରିବେ ।
ରେଳଯାତ୍ରୀ ନିଜ ଜିନିଷକୁ ଘରୁ ରେଳ ଷ୍ଟେସନ ପର୍ଯ୍ୟନ୍ତ ଅଥବା ରେଲଓ୍ବେରୁ ଘର ପର୍ଯ୍ୟନ୍ତ ପହଞ୍ଚାଇବା ପାଇଁ ଆପରେ ଆବେଦନ କରିପାରିବେ । ଏ ପାଇଁ ଉଚିତ ମୂଲ୍ୟ ମଧ୍ୟ ଯାତ୍ରୀଙ୍କ ଠାରୁ ନିଆଯିବ । ବରିଷ୍ଠ ନାଗରିକ, ଦିବ୍ୟାଙ୍ଗ ଓ ଏକୁଟିଆ ଯାତ୍ରୀ କରୁଥିବା ମହିଳା ଯାତ୍ରୀ ଏ ସୁବିଧାର ଅଧିକ ଲାଭ ଉଠାଇବେ । ନୂଆଦିଲ୍ଲୀ, ଦିଲ୍ଲୀ ଜଙ୍କସନ, ହଜରତ ନିଜାମୁଦିନ, ଦିଲ୍ଲୀ ଛାବନୀ, ଦିଲ୍ଲୀ ସରାୟ, ରୋହିଲ୍ଲା, ଗାଜିୟାବାଦ ଓ ଗୁରୁଗ୍ରାମରେ ଷ୍ଟେସନରେ ଏହି ସେବା ଉପଲବ୍ଧ ହେବ ।
ଖୁବଶୀଘ୍ର ଘରେ ବସି ରେଲଓ୍ବେରୁ ପାର୍ସଲ ମଧ୍ୟ ପଠାଇପାରିବେ। ପାର୍ସଲ ପଠାଇବା ପାଇଁ ଲୋକଙ୍କୁ ଷ୍ଟେସନ ଓ ରେଲଓ୍ବେ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଯିବାକୁ ପଡ଼ିବ ନାହିଁ। କେବଳ ଗୋଟିଏ ଫୋନରେ ହାତପାହାନ୍ତରେ ସବୁ କିଛି ହୋଇଯିବ। ରେଳ ଅଧିକାରୀଙ୍କ ଅନୁସାରେ ଏ ପାଇଁ ଅତିଶୀଘ୍ର ଏକ ନମ୍ବର ଜାରି କରାଯିବ। ଯାହାକୁ ଫୋନରେ ବୁକିଂ କରିପାରିବେ। ତେବେ ଗ୍ରାହକଙ୍କୁ କେବଳ ଓଜନ ଓ ଦୂରତ୍ବ ହିସାବରେ ଭଡ଼ା ଦେବାକୁ ପଡ଼ିବ।