ରାଜ୍ୟ

ଡ୍ରାଇଭିଂ ଲାଇସେନ୍ସ ପ୍ରଦାନ ପ୍ରକ୍ରିୟା କଠୋର ହେବ

ସତ୍ୟଶିଖା (କଟକ) ୧୯.୧୨.୨୦୨୦ : ଆଉ କାମ ଦେବନି ଦଲାଲଙ୍କ ରାଜ୍ । ଆରଟିଓ ଅଫିସରେ ବିନା ପରୀକ୍ଷାରେ ମିଳିବନି ଲର୍ଣ୍ଣିଂ ଲାଇସେନ୍ସ । ଡ୍ରାଇଭିଂ ଲାଇସେନ୍ସ ପ୍ରଦାନ ପ୍ରକ୍ରିୟା ଏଣିକି ଅଧିକ କଠୋର ହେବ । ଲାଇସେନ୍ସ ପ୍ରଦାନରେ ଯେମିତି କୌଣସି କୋହଳ କିମ୍ବା ଅନିୟମିତତା ନହୁଏ ତାର ତଦାରଖ ପାଇଁ ପ୍ରତ୍ୟେକ ଆର୍‌ଟିଓର ଲର୍ଣ୍ଣିଂ ଲାଇସେନ୍ସ (ଏଲ୍‌ଏଲ୍‌) ପରୀକ୍ଷା କେନ୍ଦ୍ରରେ ସିସିଟିଭି କ୍ୟାମେରା ଲଗାଯିବ । ଆସନ୍ତା ଡିସେମ୍ବର ସୁଦ୍ଧା ଏହି କାର୍ଯ୍ୟ ଶେଷ ହେବ ବୋଲି ଜଣାପଡିଛି । ଏଥିସହ ଲର୍ଣ୍ଣିଂ ଲାଇସେନ୍ସ ପାଇଁ ଆବେଦନକାରୀମାନେ ଟଚ୍‌ସ୍କିନ୍‌ କମ୍ପ୍ୟୁଟରରେ ପରୀକ୍ଷା ଦେବେ ବୋଲି ରାଜ୍ୟ କମିସନର କର୍ତ୍ତୃପକ୍ଷ (ଏସ୍‌ଟିଏ) ପକ୍ଷରୁ ଜାରି ହୋଇଥିବା ବିଜ୍ଞପ୍ତିରେ ପ୍ରକାଶ ପାଇଛି ।ଜାରି ହୋଇଥିବା ବିଜ୍ଞପ୍ତିରେ କୁହାଯାଇଛି ଯେ, ରାଜ୍ୟର ୩୮ଟି ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ (ଆର୍‌ଟିଓ)ରେ ସିସିଟିଭି କ୍ୟାମେରା ଲଗାଯିବ । ଏହାର ଭିଡିଓ ଫୁଟେଜ୍‌ ଏସ୍‌ଟିଏ ଦ୍ୱାରା ପରିଚାଳିତ ହେବ । ଏହାଦ୍ୱାରା ପରୀକ୍ଷାରେ ସ୍ୱଚ୍ଛତା ବଜାୟ ରହିବ । କଟକ ଆର୍‌ଟିଓ କେନ୍ଦ୍ରର ଏଲଏଲ୍‌ ଟେଷ୍ଟ ପାଇଲଟ୍‌ ବେସିସ୍‌ରେ ପବ୍ଲିକ୍‌ ଡୋମେନ୍‌ରେ ରହିବ । ଯାହାଦ୍ୱାରା ଜଣେ ବ୍ୟକ୍ତି ଘରେ ବସି ମଧ୍ୟ ଏଲ୍‌ଏଲ୍‌ ଟେଷ୍ଟରେ ଅନ୍ୟ ଜଣେ ବ୍ୟକ୍ତି କ’ଣ ପାଇଁ ବିଫଳ ହେଲେ ତାହା ଜାଣିପାରିବେ ।ସେହିପରି ପୂର୍ବରୁ ଏଲ୍‌ଏଲ୍‌ ପରୀକ୍ଷା ପାଇଁ ୧୦ଟି ପ୍ରଶ୍ନ ରହିଥିଲାବେଳେ ଏବେ ତାହାକୁ ୨୦କୁ ବୃଦ୍ଧି କରାଯାଇଛି । ଏଣିକି ମାଉସ୍‌ ବ୍ୟବହାର ନକରି ପରୀକ୍ଷାର୍ଥୀମାନେ ଟଚ୍‌ସ୍କ୍ରିନ୍‌ କମ୍ପ୍ୟୁଟରରେ ପରୀକ୍ଷା ଦେବେ ବୋଲି ମଧ୍ୟ କୁହାଯାଇଛି ।ଆହୁରି ମଧ୍ୟ ବିଜ୍ଞପ୍ତିରେ କୁହାଯାଇଛି ଯେ, ୨୦୨୧ ମାର୍ଚ୍ଚ ସୁଦ୍ଧା ଟଚ୍‌ସ୍କ୍ରିନ୍‌ କମ୍ପ୍ୟୁଟର ପ୍ରତ୍ୟେକ ଆର୍‌ଟିଓରେ ରହିବ । ପ୍ରତ୍ୟେକ ଆର୍‌ଟିଓରେ ଥିବା କିଓସ୍କୋରେ ଏଲ୍‌ଏଲ୍‌ ପରୀକ୍ଷା ଦେବା ପୂର୍ବରୁ ପରୀକ୍ଷାର୍ଥୀମାନେ ମକ୍‌ ଟେଷ୍ଟ୍‌ (ଅଭ୍ୟାସ ପରୀକ୍ଷା) କରିପାରିବେ । ଏଲ୍‌ଏଲ୍‌ ଟେଷ୍ଟକୁ ଯିବା ପୂର୍ବରୁ କିଓସ୍କୋରେ ଥିବା ପ୍ରଶ୍ନପତ୍ର ସମ୍ପର୍କରେ ପରୀକ୍ଷାର୍ଥୀମାନେ ଜାଣିବା ଉଚିତ୍‌ ବୋଲି ଏସ୍‌ଟିଏ ପକ୍ଷରୁ କୁହାଯାଇଛି । ଏତତ୍ ବ୍ୟତୀତ ଡିଏଲ୍‌ (ଡ୍ରାଇଭିଂ ଲାଇସେନ୍ସ) କେନ୍ଦ୍ରରେ ଆସନ୍ତା ୩୧ ସୁଦ୍ଧା ସିସିଟିଭି ଲାଗିବ ବୋଲି ପରିବହନ କମିସନର ସଞ୍ଜୀବ ପଣ୍ଡା ଟୁଇଟ୍‌ କରି ସୂଚନା ଦେଇଛନ୍ତି ।

Show More
Back to top button