

ବଦଳିବ ବାରଣାସୀର ରୂପରେଖ । ଏନେଇ ସମ୍ପୂର୍ଣ୍ଣ କାଶୀରେ ଉତ୍ସାହର ମାହୋଲ ଦେଖିବାକୁ ମିଳିଛି । କାଶୀ ବିଶ୍ୱନାଥ ଧାମ ପ୍ରକଳ୍ପ ଉଦଘାଟନ ପାଇଁ ବାରଣାସୀରେ ପହଞ୍ଚିଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ପ୍ରଥମେ ଗଙ୍ଗା ଘାଟକୁ ଯାଇ ସେଠାରେ ବୁଡ ପକାଇଥିଲେ । ପରେ ସେଠାରୁ ସୂର୍ଯ୍ୟପୂଜା କରିବା ସହ ପାଣି ଆଣି କାଶୀ ବିଶ୍ୱନାଥ ମନ୍ଦିରରେ ପହଞ୍ଚି ମନ୍ଦିର ପରିକ୍ରମା କରିବା ସହ ପୂଜାରେ ଯୋଗ ଦେଇଛନ୍ତି ପ୍ରଧାନମନ୍ତ୍ରୀ ।
ଅନ୍ୟପଟେ ଆଜି ପ୍ରଧାନମନ୍ତ୍ରୀ ସଂସଦୀୟ କ୍ଷେତ୍ର ବାରଣାସୀରେ ପହଞ୍ଚିବା ପରେ ତାଙ୍କୁ ଭବ୍ୟ ସ୍ୱାଗତ ସମ୍ୱର୍ଦ୍ଧନା ଦିଆଯାଇଥିଲା । ସ୍ଥାନୀୟ ଲୋକେ ମୋଦି ମୋଦି….ହର ହର ମହାଦେବ ନାରା ଦେଇ ପ୍ରଧାନମନ୍ତ୍ରୀଙ୍କୁ ସ୍ୱାଗତ କରିଥିଲେ । ଏହାସହ ପ୍ରଧାନମନ୍ତ୍ରୀଙ୍କ ଉପରେ ପୁଷ୍ପ ବର୍ଷା କରିଥିଲେ ଲୋକେ । କାଶୀ ବିଶ୍ୱନାଥ କରିଡର ପ୍ରକଳ୍ପ ଉଦଘାଟନ ପାଇଁ ଦୁଇ ଦିନିଆ ବାରଣାସୀ ଗସ୍ତରେ ଅଛନ୍ତି ପ୍ରଧାନମନ୍ତ୍ରୀ ।
ପିଏମ ମୋଦୀଙ୍କ ଏହି ଡ୍ରିମ ପ୍ରୋଜେକ୍ଟ ଭାବରେ ଜଣାଶୁଣା କାଶୀ ବିଶ୍ବନାଥ କରିଡର 5000 ହେକ୍ଟର ଜମିରେ ନିର୍ମିତ ହୋଇଛି । 3000ରୁ ଅଧିକ ଦର୍ଶକଙ୍କ ସମେତ ବିଭିନ୍ନ ସାଧୁସନ୍ଥ, ମାନ୍ୟଗନ୍ୟ ବ୍ୟକ୍ତିବିଶେଷ, କଳାକାର ଏବଂ ଅନ୍ୟାନ୍ୟ ବିଶିଷ୍ଟ ବ୍ୟକ୍ତି ଆଜିର ଏହି କାର୍ଯ୍ୟକ୍ରମରେ ଏକତ୍ରିତ ହେବେ ।
ଦେଶର କୋଟି କୋଟି ହିନ୍ଦୁ ଶ୍ରଦ୍ଧାଳୁଙ୍କ କାଶୀ ବିଶ୍ବନାଥ ମନ୍ଦିର ଓ ଗଙ୍ଗା ଘାଟକୁ ଯାତ୍ରା ସହଜସାଧ୍ୟ ହେବାର ସ୍ବପ୍ନକୁ ପୂରଣ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି । 50 ଫୁଟରୁ ଅଧିକ ଉଚ୍ଚତାର କାଶୀ ବିଶ୍ବନାଥ କରିଡୋର ଭଗବାନ ଶିବଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗୀକୃତ ପ୍ରାଚୀନ କାଶୀ ବିଶ୍ବନାଥ ମନ୍ଦିର ଏବଂ ଗଙ୍ଗା ଉପରେ ଦୁଇଟି ଘାଟକୁ ସଂଯୋଗ କରିବ ।