ସତ୍ୟଶିଖା(ନୂଆଦିଲ୍ଲୀ) ୦୮ .୦୪.୨୦୨୧: ଏବେ ଦେଶରେ କରୋନା ମହାମାରୀ ଭୟାନକ ସୋପାନରେ ପହଂଚି ସାରିଛି । ଏହାକୁ କିଭଳି ରୋକାଯାଇ ପାରିବ ସେନେଇ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀ ମାନଙ୍କ ସହ ଏକ ଭର୍ଚୁଆଲ ବୈଠକ କରିବେ । ହେଲେ ଏହି ବୈଠକରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଯୋଗ ଦେବେ ନାହିଁ ବୋଲି ସୂଚନା ମିଳିଛି । ମାତ୍ର ମୁଖ୍ୟମନ୍ତ୍ରୀଙ୍କ ପ୍ରତିନିଧି ଭାବେ ପଶ୍ଚିମବଙ୍ଗର ମୁଖ୍ୟ ଶାସନ ସଚିବ ଅଲାପନ ବନ୍ଦୋପାଧ୍ୟାୟ ଯୋଗଦେବେ ।
କହିରଖୁ କି ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପାଇଁ ପ୍ରଚାରରେ ବ୍ୟସ୍ତ ଥିବାରୁ ମମତା ବାନାର୍ଜୀ ଏହି ବୈଠକରେ ଯୋଗଦେଇ ପାରିବେ ନାହିଁ । ଏହାପୂର୍ବରୁ ବି କରୋନା ସ୍ଥିତି ସମୀକ୍ଷା ନେଇ ପ୍ରଧାନମନ୍ତ୍ରୀଙ୍କ ବୈଠକରେ ମମତା ବାନାର୍ଜୀ ଯୋଗ ଦେଇନଥିଲେ ।
ଆଜିର ବୈଠକରେ ପ୍ରଧାନମନ୍ତ୍ରୀ ଭିଡିଓ କନଫରେନ୍ସିଂ ମାଧ୍ୟମରେ ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀ ଓ ଉର୍ଚ୍ଚ ଅଧିକାରୀ ମାନଙ୍କ ସହ ବୈଠକ କରିବେ । କହିରଖୁ କି ଦୁଇଦିନ ପୂର୍ବରୁ ବି ପ୍ରଧାନମନ୍ତ୍ରୀ କରୋନା ସ୍ଥିତି ନେଇ ଉଚ୍ଚଅଧିକାରୀ ମାନଙ୍କ ସହ ବୈଠକ କରିଥିଲେ । ବୈଠକ ପରେ କରୋନା ସଂକ୍ରମଣ ରୋକିବାକୁ କଡା ପଦକ୍ଷେପ ନେବାକୁ ସେ ନିର୍ଦ୍ଦେଶ ଦେଇଥିଲେ ।
ଦେଶରେ କରୋନା ସଂକ୍ରମଣ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ବିଶେଷ କରି କିଛି ରାଜ୍ୟରେ ସ୍ଥିତି ଏବେ ସଂଗୀନ ଅବସ୍ଥାରେ ରହିଛି । କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରଣାଳୟର ସୂଚନା ମୁତାବକ ଏବେ ୧୨ ଟି ରାଜ୍ୟରେ ସ୍ଥିତି ଏଭଳି ରହିଛି ।