ଓଲିଉଡ଼ କଳି ତୁଟୁନି , ବାହାରୁନି ସମାଧାନର ରସ୍ତା


ସତ୍ୟଶିଖା (ଭୁବନେଶ୍ୱର )୦୪.୧୧.୨୦୨୩ : ଗତ କିଛି ଦିନ ଧରି ହାତ ଗଣତି କେଇଜଣ ଅଭିନେତା ଓ ପ୍ରଯୋଜକଙ୍କୁ ନେଇ ଉଠୁଛି ପଡ଼ୁଛି ଓଲିଉଡ଼ । କାରଣ ଅନେକ ଥିଲେ ବି ଏହାକୁ ନେଇ କଳାକାରଙ୍କଠୁ ସିନେ ପ୍ରେମୀଙ୍କ ଯାଏଁ ସମସ୍ତଙ୍କ ଭିତରେ ଆରୋପ-ପ୍ରତ୍ୟାରୋପ ଚାଲିଛି । ଦେଖିବାକୁ ଗଲେ ଓଲିଉଡ଼ ବିବାଦ ନୂଆ ନୁହେଁ । କିନ୍ତୁ ସାମ୍ପ୍ରତ୍ତିକ ବିବାଦ ପ୍ରାୟତଃ ଗୋଷ୍ଠୀକୈନ୍ଦ୍ରିକ ହୋଇଯାଇଥିବା ପରି ଦେଖାଯାଉଛି । ଆଉ ଏହାରି ଭିତରେ ବଳି ପଡୁଛନ୍ତି ଦର୍ଶକ ।
ଏହାରି ଭିତରେ ଅଭିନେତା ମନୋଜ ମିଶ୍ରଙ୍କୁ ଓଲିଉଡ ସିନେ ପ୍ରଯୋଜକ ସଂଘର ବ୍ୟାନ ପ୍ରସଙ୍ଗ ଏବେ ବଢ଼ିବାରେ ଲାଗିଛି । ମନୋଜ ମିଶ୍ର ଓ ଓଲିଉଡର କିଛି କଳାକାର ଏବଂ ପ୍ରଯୋଜକଙ୍କ ମଧ୍ୟରେ ଆରମ୍ଭ ହୋଇଥିଲା ବାକ୍ ଯୁଦ୍ଧ । ଆଉ ଏବେ ସିଏ ନେଲାଣି ରାଜନୈତିକ ଝଡ ।
ଚର୍ଚ୍ଚା ସେତେବେଳେ ବଢିଥିଲା ଯେତେବେଳେ ମନୋଜ କହିଥିଲେ ବ୍ୟାନ କଥା ସେ ଜାଣନ୍ତି ନାହିଁ । ଏମିତିକି ମିଡିଆରୁ ସେ ବ୍ୟାନ ନେଇ ଚର୍ଚ୍ଚା ପାଇଲେ । ଆଉ ପ୍ରଶ୍ନ କରିଥିଲେ ଟୁଟୁ ତାଙ୍କୁ ବ୍ୟାନ କରିବାକୁ କିଏ ?
ସେପଟେ ମନୋଜଙ୍କୁ ବାସନ୍ଦ କରାଯିବା ପ୍ରସଙ୍ଗରେ ସୋସିଆଲ ମିଡିଆରେ ମୁହାଁମୁହିଁ ହୋଇଥିଲେ ଅନୁଭବ ଓ ମନୋଜ । ଅନୁଭବ ସୋସିଆଲ ମିଡିଆରେ ପୋଷ୍ଟ ସେୟାର କରି ମନୋଜ ମିଶ୍ରଙ୍କୁ ସମାଲୋଚନା କରିଥିଲେ । କେବଳ ସେତିକି ନୁହେଁ ମନୋଜଙ୍କ ବ୍ୟକ୍ତିଗତ ପ୍ରସଙ୍ଗକୁ ମଧ୍ୟ ସେ ଟାର୍ଗେଟ କରିଥିଲେ ।
ଅବଶ୍ୟ ପରେ ଅନୁଭାବଙ୍କୁ ଜବାବ ଦେଇଥିଲେ ମନୋଜ । କହିଥିଲେ କିଛି ଲୋକ ସେମାନଙ୍କ ମଧ୍ୟରେ ଝଗଡ଼ା ଲଗାଇବାକୁ ଚକ୍ରାନ୍ତ ଚଳାଇଛନ୍ତି । ଏ ସମ୍ପର୍କରେ ସେ ଫୋନକଲ ଏବଂ ମେସେଜ ମାଧ୍ୟରେ ବାରମ୍ବାର ଅନୁଭବଙ୍କୁ ଜଣାଇବାକୁ ଚେଷ୍ଟା କରିଥିଲେ ମଧ୍ୟ ଅନୁଭବଙ୍କ ପକ୍ଷରୁ କୌଣସି ଉତ୍ତର ପାଇନଥିଲେ ।
ଆଉ ସବୁ ପରେ ନିଆଁରେ ଘିଅ ଢାଳିଥିଲେ ବଲାଙ୍ଗୀରର ବିଧାୟକ ନରସିଂହ ମିଶ୍ର । ଆଉ ନରସିଂହଙ୍କ ପ୍ରତିକ୍ରିୟା ପରେ ଜବାବ ରଖିଥିଲେ ରାଜ୍ୟ ଚଳଚ୍ଚିତ୍ର ନିଗମ ଅଧ୍ୟକ୍ଷ କୁନା ତ୍ରିପାଠୀ । । ଯାହା ପରବର୍ତ୍ତୀ ସମୟରେ ଆହୁରି ଚର୍ଚ୍ଚା ହୋଇଥିଲା । ସେପଟେ ଓଲିଉଡ ବିବାଦକୁ ନେଇ ରାଜନୀତି ନକରିବାକୁ ରାଜନେତାଙ୍କୁ ଅନୁରୋଧ କରଥିଲେ ଅଭିନେତା ଶ୍ରୀତମ ଦାସ ।
ଏବେ କିନ୍ତୁ ଓଲିଉଡ଼ ବିବାଦ ଧିରେ ଧିରେ ବଢିବାରେ ଲାଗିଛି । ବିବାଦ ଭିତରେ ଜଣକ ପରେ ଜଣେ ଏଣ୍ଟ୍ରି ମାରୁଛନ୍ତି କଳାକାର । ଏବେ କିନ୍ତୁ ଭିନ୍ନ ମୋଡରେ ଅଭିନେତା ମନୋଜ ମିଶ୍ରଙ୍କୁ ବାସନ୍ଦ ଘଟଣା । ମନୋଜଙ୍କ ପ୍ରତି ବଢୁଛି ସମର୍ଥନ । ଜଟିଳ ହେବାରେ ଲାଗିଛି ବିବାଦ । ଓଲିଉଡର ଏହି କଳି ଭିତରେ ଗତ ସୋମବାର ଦିନ ଏଣ୍ଟ୍ରି ମାରିଛନ୍ତି ଚର୍ଚ୍ଚିତ ସମ୍ବଲପୁରୀ ହାସ୍ୟ ଅଭିନେତା ଯୋଗେଶ ଜୋଜୋ । ଖାଲି ଏଣ୍ଟ୍ରି ମାରିନାହାଁନ୍ତି ସିଧା ସଳଖ ଜିତୁ ରାଉତଙ୍କ ଏକ ନିର୍ଦ୍ଦିଷ୍ଟ ପୋଷ୍ଟ ଉପରେ ଆପତ୍ତି ଉଠାଇବା ସହିତ ଅନୁଭବଙ୍କୁ ମଧ୍ୟ କରିଛନ୍ତି କଡା ସମାଲୋଚନା । ଏହା ସହିତ ମନୋଜ ମିଶ୍ରଙ୍କ ପ୍ରତି ସମର୍ଥନ ଜଣାଇଛନ୍ତି ।
ଆରି ଭିତରେ ଆଉ ଜଣେ ଚର୍ଚ୍ଚିତ ସମ୍ବଲପୁରୀ ଗାୟକ ମଣ୍ଟୁ ଛୁରିୟା ଏଣ୍ଟ୍ରି ମାରିଛନ୍ତୁ । ସେ ସିଧାସଳଖ ମନୋଜ ମିଶ୍ରଙ୍କ ପ୍ରତି ସମର୍ଥନ ଦେବା ସହ ଓଲିଉଡ଼ରେ ଚାଲିଥିବା ବିବାଦ ଉପରେ ଏବେ ସମସ୍ତଙ୍କର ନଜର । ଏବେ କିନ୍ତୁ ଓଲିଉଡ କଳାକାର ଓ ପ୍ରଯୋଜକ ସଂଘର ବିବାଦର ପ୍ରଭାବ ଯଲିଉଡ ବା ଯାତ୍ରାଜଗତ ଉପରେ ପଡ଼ିଥିବାର ଦେଖିବାକୁ ମିଳିଛି । ଗତ କାଲି ବଲାଙ୍ଗୀର ଜିଲ୍ଲା ଆଗରପଡ଼ା ବ୍ଲକର ସାଲେଭଟା ଗାଁରେ ରାଜଧାନୀ ଅପେରାର ଯାତ୍ରାକୁ ବନ୍ଦ କରି ଦେଇଛନ୍ତି କୋଶଲ ସେନାର କର୍ମକର୍ତ୍ତା । ଆଗକୁ ଦେଖିବାକୁ ବାକି ରହିଲା କି ମୋଡ଼ ନେଉଛି ଓଲିଉଡ଼ କଳି ।