ଆଇପିଏଲ ୨୦୨୧ ପାଇଁ ଫେବୃଆରୀ ୧୮ରେ ଚେନ୍ନାଇରେ ହେବ ଖେଳାଳିଙ୍କ ନିଲାମୀ

ସତ୍ୟଶିଖା (ନୂଆଦିଲ୍ଲୀ) ୨୭/୦୧/୨୦୨୧ : ଚଳିତ ବର୍ଷ ଆଇପିଏଲ ୨୦୨୧ ଖେଳାଳିଙ୍କ ନିଲାମୀ ଫେବୃଆରୀ ୧୮ ତାରିଖରେ ଚେନ୍ନାଇରେ ହେବ । ବୁଧବାର ଦିନ ଆଇପିଏଲ ଗଭର୍ଣ୍ଣିଙ୍ଗ କାଉନ୍ସିଲ ଅଫିସିଆଲ ଟ୍ୱିଟର ଆକାଉଣ୍ଟରେ ଏ ସମ୍ବନ୍ଧରେ ଘୋଷଣା କରିଛନ୍ତି । ଭାରତ ଇଂଜିଲ୍ୟାଣ୍ଡ ମଧ୍ୟରେ ହେବାକୁଥିବା ୪ଟି ଟେଷ୍ଟ ମ୍ୟାଚରେ ପ୍ରଥମ ଦୁଇଟି ମ୍ୟାଚ ଚେନ୍ନାଇ ଆୟୋଜନ କରିବ । ଦ୍ୱିତୀୟ ଟେଷ୍ଟ ମ୍ୟାଚ ଫେବୃଆରୀ ୧୭ ତାରିଖରେ ଶେଷ ହେବ । ୧୮ ତାରିଖରେ ଆଇପିଏଲ ଖେଳାଳିଙ୍କ ନିଲାମୀ ହେବ । ଖେଳାଳିଙ୍କୁ ରିଟେନ କରିବାର ଶେଷ ତାରିଖ ଜାନୁଆରୀ ୨୦ ତାରିଖ ଥିଲା । ଫେବୃଆରୀ ୪ ତାରିଖ ଯାଏଁ ଟ୍ରେଡିଂ ୱିଣ୍ଡୋ ଜାରି ରହିବ । ଟିମରୁ ରିଲିଜ କରାଯାଇଥିବା ଖେଳାଳି ଅଷ୍ଟ୍ରେଲିଆର ଷ୍ଟିଭ ସ୍ମିଥ (ରାଜସ୍ଥାନ ରୟାଲ୍ସ) ଓ ଗ୍ଲେନ ମ୍ୟାକ୍ସୱେଲ (କିଙ୍ଗ୍ସ ଇଲେଭେନ ପଞ୍ଜାବ)ରେ ସାମିଲ ଅଛନ୍ତି ।

ସୂଚନାଯୋଗ୍ୟ ଯେ ଆଇପିଏଲ ୨୦୨୧ ନିଲାମୀ ଅତ୍ୟନ୍ତ ରୋମାଞ୍ଚକ ହେବ । କାରଣ ପ୍ରାୟ ସବୁ ଟିମ ବଡ ଖେଳାଳିଙ୍କୁ ନିଲାମୀ ପୂର୍ବରୁ ରିଲିଜ କରିଦେଇଛନ୍ତି । ରାଜସ୍ଥାନ ରୟାଲ୍ସ ନିଜ କ୍ୟାପଟେନ ଷ୍ଟିଭ ସ୍ମିଥଙ୍କୁ ରିଲିଜ କରିଦେଇଛି । ତେବେ ଷ୍ଟିଭଙ୍କ ଉପରେ କେଉଁ ଟିମ ଟଙ୍କା ଲଗାଇବ ତାହା ଦେଖିବା ବାକି ରହିଲା । ଗ୍ଲେନ ମ୍ୟାକ୍ସୱେଲ ଭଳି ଟି-୨୦ ସ୍ପେସିଆଲିଷ୍ଟଙ୍କୁ ବି ଟିମ ରିଲିଜ କରିଦେଇଛି ।

ଖେଳାଳିଙ୍କୁ ରିଲିଜ କରିବା ପରେ କିଙ୍ଗ୍ସ ଇଲେଭେନ ପଞ୍ଜାବ ପାଖରେ ସବୁଠାରୁ ଅଧିକ ଟଙ୍କା ଅଛି । ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ପାଖରେ ମୋଟ ୩୫.୭୦ କୋଟି ଟଙ୍କା, ଚେନ୍ନାଇ ସୁପରକିଙ୍ଗ୍ସ ପାଖରେ ୨୨.୯୦ କୋଟି ଟଙ୍କା, ରାଜସ୍ଥାନ ରୟାଲ୍ସ ପାଖରେ ୩୪.୮୫ କୋଟି ଟଙ୍କା, ଦିଲ୍ଲୀ କ୍ୟାପିଟାଲ୍ସ ପାଖରେ ୧୨.୮ କୋଟି ଟଙ୍କା, ସନରାଇଜର୍ସ ହାଇଦ୍ରାବାଦ ପାଖରେ ୧୨.୮ କୋଟି ଟଙ୍କା, କିଙ୍ଗ୍ସ ଇଲେଭେନ ପଞ୍ଜାବ ପାଖରେ ସବୁଠାରୁ ଅଧିକ ୫୩.୨ କୋଟି ଟଙ୍କା, ମୁମ୍ବାଇ ଇଂଡିଆନ୍ସ ପାଖରେ ୧୫.୩୫ କୋଟି ଓ କୋଲକାତା ପାଖରେ ୧୦.୮୫ କୋଟି ଟଙ୍କା ଅଛି ।

Exit mobile version