୨ରୁ ଖୋଲିବ ପ୍ଲାନେଟାରିୟମ୍‌

ସତ୍ୟଶିଖା (ଭୁବନେଶ୍ୱର) ୩୦/୦୧/୨୦୨୧ : ପର୍ଯ୍ୟଟକଙ୍କ ପାଇଁ ଆଉ ଏକ ଖୁସି ଖବର । ଫେବ୍ରୁଆରି ୨ ତାରିଖରୁ ଖୋଲିବ ଭୁବନେଶ୍ୱର ପଠାଣି ସାମନ୍ତ ପ୍ଲାନେଟାରିୟମ୍ ‌। ସେହିପରି ବୁର୍ଲା ପ୍ଲାନେଟାରିୟମ୍‌ ଓ ଖଣ୍ଡପଡ଼ା ପଠାଣି ସାମନ୍ତ ସଂଗ୍ରହାଳୟ ମଧ୍ୟ ଖୋଲିବ । କରୋନା କଟକଣା ଭିତରେ ସାମାଜିକ ଦୂରତା ରକ୍ଷା କରି ଏହି ସବୁ ପ୍ଲାନେଟାରିୟମ୍‌ ଆଗ ଭଳି ସୋମବାର ବ୍ୟତୀତ ଅନ୍ୟ ସବୁ ଦିନ ଖୋଲା ରହିବ । ପ୍ଲାନେଟାରିୟମ୍‌ ପରିସରରେ ମାସ୍କ ପିନ୍ଧିବା ଓ ହାତ ସାନିଟାଇଜ୍‌ କରିବା ବାଧ୍ୟତାମୂଳକ କରାଯାଇଛି ।

ଭୁବନେଶ୍ୱର ପଠାଣି ସାମନ୍ତ ପ୍ଲାନେଟାରିୟମ୍‌ ନିର୍ଦ୍ଦେଶକ ଶୁଭେନ୍ଦୁ ପଟ୍ଟନାୟକ କହିଛନ୍ତି, ବର୍ତ୍ତମାନ ପ୍ରାଥମିକ ପର୍ଯ୍ୟାୟରେ ପ୍ଲାନେଟାରିୟମ୍‌ ଭିତରର ପ୍ରତିଟି ସୋ’ ପାଇଁ ଆମେ ୫୦ଜଣଙ୍କୁ ହିଁ ଅନୁମତି ଦେବୁ । ଭୁବନେଶ୍ୱର ପଠାଣି ସାମନ୍ତ ପ୍ଲାନେଟାରିୟମରେ ପ୍ରତି ସୋ’ ପାଇଁ ୧୭୦ଟି ଲେଖାଏଁ ସିଟ୍‌ ରହିଥିବା ବେଳେ ବୁର୍ଲା ପ୍ଲାନେଟାରିୟମରେ ୧୪୦ଟି ସିଟ୍‌ ରହିଛି । କିନ୍ତୁ ଏବେ ଉଭୟ ପ୍ଲାନେଟାରିୟମ୍‌ର ସୋ’ ପାଇଁ ମାତ୍ର ୫୦ଜଣଙ୍କୁ ହିଁ ଅନୁମତି ଦିଆଯିବ । ସୋ’ ହଲ୍‌କୁ ନିୟମିତ ବ୍ୟବଧାନରେ ବିଶୋଧିତ କରାଯିବ । ୨ଟି ସୋ’ ମଧ୍ୟରେ ସମୟ ଅବଧିକୁ ଏବେ ବଢ଼ାଇ ଦିଆଯାଇଛି । ଫଳରେ ହଲ୍‌କୁ ଭଲ ଭାବେ ବିଶୋଧିତ କରାଯାଇପାରିବ । ଏଥିସହ ପରବର୍ତୀ ଓ ପଛ ସିଟ୍‌କୁ ଛାଡ଼ି ଦର୍ଶକଙ୍କର ବସିବାର ବ୍ୟବସ୍ଥା ହୋଇଛି । ଏବେ ପଠାଣି ସାମନ୍ତ ପ୍ଲାନେଟାରିୟମ୍‌ରେ ୩ଟି ସୋ’ ହିଁ ପଡ଼ିବ । ଓଡ଼ିଆରେ ‘ଆକାଶର ଅସରନ୍ତି କଥା’, ହିନ୍ଦୀରେ ‘ରହସ୍ୟମୟ ବିଶ୍ବ’ ଓ ଇଂରାଜୀରେ ‘ସିକ୍ରେଟ୍‌ସ୍‌ ଅଫ୍‌ ସନ୍‌’ । ଏହି ସବୁ ସୋ’ ୩୦ରୁ ୪୦ମିନିଟ୍‌ ଭିତରେ ରହିଛି । ମଝିରେ ମଝିରେ ସୋ’ ବି ପରିବର୍ତ୍ତନ କରାଯିବାର ଯୋଜନା ହେଉଥିବା ଶ୍ରୀ ପଟ୍ଟନାୟକ କହିଛନ୍ତି ।

Exit mobile version