ରାଜନୀତିରାଜ୍ୟ

ପିପିଲି ଉପ ନିର୍ବାଚନ ସ୍ଥଗିତ

ସତ୍ୟଶିଖା(ଭୁବନେଶ୍ୱର) ୧୫.୦୪.୨୦୨୧: ବୁଧବାର କଂଗ୍ରେସ ପ୍ରାର୍ଥୀ ଅଜିତ୍ ମଙ୍ଗରାଜଙ୍କ ଦେହାନ୍ତ ଯୋଗୁଁ ପିପିଲି ଉପ ନିର୍ବାଚନ ସ୍ଥଗିତ ରଖାଯାଇଛି। ଉପ ନିର୍ବାଚନ ସ୍ଥଗିତ ନେଇ ପୁରୀ ଅତିରିକ୍ତ ଜିଲ୍ଲାପାଳ ଘୋଷଣା କରିଛନ୍ତି। ଏପ୍ରିଲ ୧୭ରେ ନିର୍ବାଚନ ହେବାର ଥିଲା। ମତଦାନକୁ ଆଉ ୩ ଦିନ ବାକି ଥିବା ବେଳେ ବୁଧବାର କଂଗ୍ରେସ ପ୍ରାର୍ଥୀ ଅଜିତ୍ ମଙ୍ଗରାଜଙ୍କ କରୋନାରେ ପ୍ରାଣହାନୀ ଘଟିଛି।

ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶୀଲ ଲୋହାନୀ କହିଛନ୍ତି ଯେ, ପ୍ରାର୍ଥୀଙ୍କ ଦେହାନ୍ତ ସଂପର୍କରେ ରିଟର୍ଣ୍ଣିଂ ଅଫିସରଙ୍କ ରିପୋର୍ଟକୁ ଅପେକ୍ଷା କରିଛୁ। ଜିଲ୍ଲା ରିଟର୍ଣ୍ଣିଂ ଅଫିସରଙ୍କ ରିପୋର୍ଟକୁ ନିର୍ବାଚନ କମିଶନଙ୍କୁ ପଠାଯିବ। ନିର୍ବାଚନ ଆୟୋଗ ନିର୍ବାଚନ ନେଇ ସାନି ତାରିଖ ଘୋଷଣା କରିବେ ବୋଲି ମୁଖ୍ୟ ନିର୍ବାଚନ ଅଧିକାରୀ କହିଛନ୍ତି। ଏହି ପରିପ୍ରେକ୍ଷୀରେ କଂଗ୍ରେସ ଦଳକୁ ନୂଆ ପ୍ରାର୍ଥୀ ମିଳିବ।

ସୂଚନାଯୋଗ୍ୟ, ନିର୍ବାଚନ ପ୍ରଚାର ସମୟରେ ଏପ୍ରିଲ ୭ ତାରିଖରେ କଂଗ୍ରେସ ପ୍ରାର୍ଥୀ ଅଜିତ୍ ମଙ୍ଗରାଜ ଅସୁସ୍ଥ ହୋଇଥିଲେ।  ୧୦ ତାରିଖରେ ସେ କରୋନା ପଜିଟିଭ୍ ଚିହ୍ନଟ ହୋଇଥିଲେ। ଏହା ପରେ ଅଜିତ୍‌ଙ୍କ ଭୁବନେଶ୍ଵରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସା ଚାଲିଥିଲା। ତେବେ ଚିକିତ୍ସାଧୀନ ଅବସ୍ଥାରେ ବୁଧବାର ଅଜିତ୍‌ଙ୍କ ପରଲୋକ ଘଟିଛି। ତାଙ୍କ ନିଧନ ଏବେ ପିପିଲି ଉପ ନିର୍ବାଚନକୁ ଶକ୍ତ ଝଟକା ଲାଗିଛି।

୨୦୧୯ ନିର୍ବାଚନରେ ପରାଜିତ  ଅଜିତ୍ ମଙ୍ଗରାଜଙ୍କ ଉପରେ କଂଗ୍ରେସ ହାଇକମାଣ୍ଡ ପୁଣି ଥରେ ଭରସା ପ୍ରକଟ୍ କରିଥିଲେ। ପିପିଲି ଉପ ନିର୍ବାଚନରେ ସେ କଂଗ୍ରେସର ପ୍ରାର୍ଥୀ ହୋଇଥିଲେ। ଅନ୍ୟପଟେ ବିଜେଡି ପକ୍ଷରୁ ଦିବଙ୍ଗତ ନେତା ପ୍ରଦୀପ ମହରାଥୀଙ୍କ ପୁତ୍ର ରୁଦ୍ରପ୍ରତାପ ମହାରଥୀ ମଇଦାନକୁ ଓହ୍ଲାଇଥିବା ବେଳେ ବିଜେପି ଆଶ୍ରିତ ପଟ୍ଟନାୟକଙ୍କୁ ପ୍ରାର୍ଥୀ କରିଛି। ତିନି ଦଳ ପକ୍ଷରୁ ଜୋରଦାର ପ୍ରଚାର ଅଭିଯାନ ଚାଲିଥିଲା।

Show More
Back to top button