

ସତ୍ୟଶିଖା ( ଭୁବନେଶ୍ୱର )୦୬ /୧୧ /୨୦୨୧: ଆରମ୍ଭ ହେଲାଣି ଶୀତ ଋତୁ । ଓଡ଼ିଶାକୁ ଛୁଟୁଛି ବିଦେଶୀ ପକ୍ଷୀଙ୍କ ସୁଅ । ହୀରାକୁଦ ନଦୀ ବନ୍ଧର ବିସ୍ତୀର୍ଣ୍ଣ ଜଳ ରାଶିକୁ ବିଦେଶାଗତ ପକ୍ଷୀଙ୍କ ଆଗମନ ଆରମ୍ଭ ହୋଇଯାଇଛି । ଜଳଭଣ୍ଡାରକୁ ଲାଗି ରହିଥିବା ଅନେକ ସ୍ଥାନରେ ବିଦେଶୀ ପକ୍ଷୀ ବସୁଥିବା ଦେଖିବାକୁ ମିଳିଛି । ପକ୍ଷୀଙ୍କ ଆଗମନ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରୁଛି । କିନ୍ତୁ ପକ୍ଷୀଙ୍କ ସୁରକ୍ଷାକୁ ନେଇ ଚିନ୍ତା ବଢିଛି ।
କିଚିରି ମିଚିରି ଶବ୍ଦରେ ଫାଟି ପଡୁଛି ହୀରାକୁଦ ଜଳଭଣ୍ଡାର । ହଜାର ହଜାର କିଲୋମିଟର ଅତିକ୍ରମ କରି ହୀରାକୁଦ ଜଳଭଣ୍ଡାରକୁ ଆସିବା ଆରମ୍ଭ କଲେଣି ବିଦେଶୀ ପକ୍ଷୀ । ହ୍ୱୀସଲିଂ ଡ଼କ, ଲେଜର ହ୍ୱୀସଲିଂ ଡ଼କ, ପୋଚାର୍ଡ଼, ସୋଭେଲ, ର୍ଟନ, ଗିବ୍ସ ଏବଂ କୁଟ୍ ପ୍ରଜାତିର ପକ୍ଷୀ ହୀରାକୁଦ ଅଞ୍ଚଳରେ ଦେଖିବାକୁ ମିଳିଛି । ଗତ ବର୍ଷ ବହୁ ପ୍ରଜାତିର ପକ୍ଷୀ ଆସିଥିବା ବେଳେ ଏବର୍ଷ ମଧ୍ୟ ଅଧିକ ପ୍ରଜାତିର ପକ୍ଷୀ ଆସିବେ ବୋଲି ଆଶା କରାଯାଉଛି । ହୀରାକୁଦ ଜଳଭଣ୍ଡାରକୁ ଛାଡି ଦେଲେ, ପାଓାଲ କେନାଲ, ମହାନଦୀର କିଛି ଅଂଶରେ ପକ୍ଷୀମାନଙ୍କୁ ଦେଖିବାକୁ ମିଳିଛି । ଏପରି ସ୍ଥଳେ ପକ୍ଷୀଙ୍କ ସୁରକ୍ଷା ନେଇ ଚିନ୍ତା ବଢିଛି । ବିଭିନ୍ନ ଟିମ ଗଠନ କରି ଜଳଭଣ୍ଡାରରେ ପାଟ୍ରୋଲିଂ କରାଯାଉଛି । ମତ୍ସ୍ୟଜିବୀଙ୍କୁ ମଧ୍ୟ ସଚେତନ କରଯାଇଛି । ପକ୍ଷୀ ଚଳପ୍ରଚଳ କରୁଥିବା ଅଞ୍ଚଳକୁ ସାଧାରଣ ଲୋକଙ୍କୁ ବାରଣ କରିଛି ବନ ବିଭାଗ ।