ସତ୍ୟଶିଖା ୦୯/୦୨/୨୦୨୧ : ଇଣ୍ଟରନେଟ୍ ଭିତ୍ତିକ ଓଟିଟି ପ୍ଲାଟଫର୍ମର ବିଷୟବସ୍ତୁକୁ ନେଇ ରାଜ୍ୟସଭାରେ କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ପ୍ରକାଶ ଜାଭଡେକର କହିଛନ୍ତି ଯେ ଏହାକୁ ନିୟନ୍ତ୍ରଣ କରିବା ପାଇଁ ନିର୍ଦ୍ଦେଶାବଳୀ ପ୍ରସ୍ତୁତ ହୋଇଛି ଏବଂ ଖୁବ ଶୀଘ୍ର କାର୍ଯ୍ୟକାରୀ ହେବାକୁ ଯାଉଛି । ନେଟଫ୍ଲିକ୍ସ ଏବଂ ଅନ୍ୟାନ୍ୟ ଓଟିଟି ପ୍ଲାଟଫର୍ମଗୁଡିକର ପ୍ରସାରିତ ବିଷୟବସ୍ତୁ ଭାରତୀୟ ମୂଲ୍ୟବୋଧକୁ ପ୍ରଭାବିତ କରିଥାଏ ବୋଲି ବିଜେପି ସାଂସଦ ମହେଶ ଯୋଶୀ କହିଛନ୍ତି । ସେ କହିଛନ୍ତି, ଏହି କାର୍ଯ୍ୟକ୍ରମରେ ବ୍ୟବହୃତ ଭାଷା ଲିଙ୍ଗଗତ ଭେଦଭାବକୁ ପ୍ରତିଫଳିତ କରିଥାଏ ଏବଂ ଅଙ୍ଗ ପ୍ରଦର୍ଶନ କରିଥାଏ । ସରକାର ବିଳମ୍ବ ନ କରି ଉଶୀଘ୍ର ଏହି ପ୍ଲାଟଫର୍ମଗୁଡିକୁ ନିୟନ୍ତ୍ରଣ କରିବାକୁ ଆଇନ ଆଣିବା ଆବଶ୍ୟକ ବୋଲି ସେ କହିଛନ୍ତି ।
ଗୃହର ଅନ୍ୟ କେତେ ଜଣ ସଦସ୍ୟ ମଧ୍ୟ ଏହି ପ୍ରସଙ୍ଗ ଉତଥାପନ କରିଥିଲେ । ସମାଜବାଦୀ ପାର୍ଟିର ସାଂସଦ ରାମ ଗୋପାଳ ଯାଦବ ସରକାରଙ୍କ ଦ୍ୱାରା ଯୁଗ୍ମ ସଚିବ ପଦବୀରେ ଲାଟେରାଲ ଇଣ୍ଡକ୍ସନ୍ ପ୍ରସଙ୍ଗ ଉଠାଇଥିଲେ । ଏଥିପାଇଁ ଆଇଏଏସ୍ ସଂଘ ଅସନ୍ତୋଷ ପ୍ରକାଶ କରିଥିବା ସେ କହିଛନ୍ତି । ସେ କହିଛନ୍ତି ଯେ ୟୁପିଏସସି ପାଇଁ ପ୍ରସ୍ତୁତ ହେଉଥିବା ଲକ୍ଷ ଲକ୍ଷ ଆଶାୟୀ ମଧ୍ୟ ଅସନ୍ତୋଷ ପ୍ରକାଶ କରିଛନ୍ତି । ଗତ ନଅଟି ନିଯୁକ୍ତିରେ କୌଣସି ତଫସିଲଭୁକ୍ତ ଜାତି ଓ ଜନଜାତି ପ୍ରାର୍ଥୀଙ୍କୁ ଏଥିରେ ଅନ୍ତର୍ଭୁକ୍ତ କରାଯାଇ ନାହିଁ ବୋଲି ସେ କହିଛନ୍ତି ।