

ସତ୍ୟଶିଖା ( ଭୁବନେଶ୍ଵର ) ୩୦ .୦୮.୨୦୨୦ : ସେପ୍ଟେମ୍ବର ୧ରୁ ଦେଶ ସହ ରାଜ୍ୟରେ ଅନଲକ-୪ ଆରମ୍ଭ ହେବାକୁ ଯାଉଛି । ଅନ୍ୟପଟେ କରୋନା ସଂକ୍ରମଣ ଦ୍ରୁତ ଗତିରେ ବଢି ଚାଲିଛି । ଗତ କିଛି ଦିନ ହେବ ରାଜ୍ୟରେ ଦୈନିକ ୩ ହଜାରରୁ ଉର୍ଦ୍ଧ୍ଵ ନୂତନ ଆକ୍ରାନ୍ତ ଚିହ୍ନଟ ହେବା ପରେ ସଂକ୍ରମିତଙ୍କ ସଂଖ୍ୟା ଲକ୍ଷେ ଟପିଲାଣି । ଅନ୍ୟପଟେ ଆକ୍ରାନ୍ତଙ୍କୁ ତାଳ ଦେଇ କରୋନା ରୋଗୀ ସୁସ୍ଥ ହୋଇ ଘରକୁ ଫେରୁଛନ୍ତି । ଏହି କ୍ରମରେ ଗତ ୨୪ ଘଣ୍ଟାରେ ରାଜ୍ୟର ୩୦ ଜିଲ୍ଲାରୁ ୨୫୧୯ ଆକ୍ରାନ୍ତ ଆରୋଗ୍ୟଲାଭ କରିଛନ୍ତି । ଏହାକୁ ମିଶାଇ ଓଡିଶାରେ ସୁସ୍ଥଙ୍କ ସଂଖ୍ୟା ୭୩୨୩୩କୁ ବୃଦ୍ଧି ଘଟିଛି । ରାଜ୍ୟ ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ତରଫରୁ ଟ୍ଵିଟ୍ ଯୋଗେ ଏହାର ସୂଚନା ଦିଆଯାଇଛି ।
ବିଭାଗ ଅନୁଯାୟୀ ୨୪ ଘଣ୍ଟାରେ ଖୋର୍ଦ୍ଧା ଜିଲ୍ଲାରେ ୪୧୯ ସର୍ବାଧିକ ରୋଗୀ ସୁସ୍ଥ ହୋଇଛନ୍ତି । ସେହି ପରି ଗଞ୍ଜାମରୁ ୨୧୬, ପୁରୀ ଜିଲ୍ଲାରୁ ୨୧୦, ରାୟଗଡା ଜିଲ୍ଲାରୁ ୨୧୦, କୋରାପୁଟରୁ ୧୬୯, ମୟୂରଭଞ୍ଜରୁ ୧୫୦, କଟକ ଜିଲ୍ଲାରୁ ୧୨୯, ବାଲେଶ୍ଵରରୁ ୧୦୦, ନୟାଗଡରୁ ୯୫, ସମ୍ବଲପୁରରୁ ୮୫, ମାଲକାନଗିରି ଜିଲ୍ଲାରୁ ୮୪ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।
ସେହି ପରି ଭଦ୍ରକରୁ ୭୭, ଢେଙ୍କାନାଳରୁ ୭୬, ନବରଙ୍ଗପୁରରୁ ୫୮, କନ୍ଧମାଳରୁ ୪୮, ବଲାଙ୍ଗିରରୁ ୪୫, ସୁନ୍ଦରଗଡରୁ ୪୨, ଗଜପତିରୁ ୪୦, କେନ୍ଦ୍ରାପଡାରୁ ୩୯, ଝାରସୁଗୁଡାରୁ ୩୮, କେନ୍ଦୁଝରରୁ ୩୮, ସୋନପୁରରୁ ୩୩, ନୂଆପଡାରୁ ୨୮, ଜଗତସିଂହପୁରରୁ ୨୭, ବରଗଡରୁ ୨୫, କଳାହାଣ୍ଡିରୁ ୧୯, ଯାଜପୁରରୁ ୧୨, ଦେବଗଡରୁ ୭, ବୌଦ୍ଧରୁ ୪ ଓ ଅନୁଗୁଳ ଜିଲ୍ଲାରୁ ଜଣେ ରୋଗୀ କରୋନାରୁ ମୁକ୍ତ ହୋଇଛନ୍ତି ।
ସୂଚନାଯୋଗ୍ୟ, ଗତ ୨୪ ଘଣ୍ଟାରେ ରାଜ୍ୟରେ ୩୦୧୪ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହା ପରେ ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଲକ୍ଷେ ଟପି ୧୦୦୯୩୪ରେ ପହଞ୍ଚିଛି । ସେହି ପରି କରୋନା ମହାମାରୀରେ ଏହି ସମୟରେ ୧୨ ଜଣଙ୍କ ମୃତ୍ୟୁ ଘଟିବା ପରେ ମୃତ୍ୟୁ ସଂଖ୍ୟା ୪୮୨କୁ ବୃଦ୍ଧି ଘଟିଛି । ସେହି ପରି ଆଜିର ସୁସ୍ଥ ସଂଖ୍ୟାକୁ ମିଶାଇ ରାଜ୍ୟରେ ଏ ପର୍ଯ୍ୟନ୍ତ ୭୩,୨୩୩ ରୋଗୀ କରୋନାରୁ ମୁକ୍ତ ହୋଇଛନ୍ତି ।