ମାନିଲେନି ଶଟ୍ ଡାଉନ୍ କଟକଣା: ୪୫ ଜଣଙ୍କୁ କ୍ୱାରେଣ୍ଟାଇନ୍ ସେଣ୍ଟରକୁ ପଠାଇଲା ପୁଲିସ୍, ୬୪ ଅଟକ


ଭୁବନେଶ୍ୱର (ସତ୍ୟଶିଖା): ରାଜଧାନୀ ଭୁବନେଶ୍ୱରରେ ୪୮ ଘଣ୍ଟିଆ ଶଟ୍ ଡାଉନ୍ ଜାରି ରହିଛି। ଏହା ଆସନ୍ତାକାଲି ରାତି ୮ଟା ପର୍ଯ୍ୟନ୍ତ ଚାଲିବ। ତେବେ କିଛି ଲୋକ କଟକଣାକୁ ମାନୁ ନଥିବା ଦେଖିବାକୁ ମିଳିଛି। ଶେଷ ଖବର ମିଳିବା ସୁଦ୍ଧା ଶଟ୍ ଡାଉନ୍ କଟକଣା ଭାଙ୍ଗିବା ଅଭିଯୋଗରେ କମିଶନରେଟ୍ ପୁଲିସ୍ ଭୁବନେଶ୍ୱରରୁ ୪୫ ଜଣଙ୍କୁ ବାଧ୍ୟତାମୂଳକ ଭାବେ ସରକାରୀ କ୍ୱାରେଣ୍ଟାଇନ୍ ସେଣ୍ଟରକୁ ପଠାଇ ସାରିଛି। ସେହିପରି ନିୟମ ଭାଙ୍ଗିବା ଅଭିଯୋଗରେ ଆହୁରି ୬୪ ଜଣଙ୍କୁ ଅଟକ ରଖିଛି। ଭୁବନେଶ୍ୱର ଡିସିପି ଏହି ସୂଚନା ଦେଇଛି।
କରୋନା ମୁକାବିଲା ପାଇଁ ଗତକାଲ ରାତିଠୁ ଟ୍ୱିନ୍ ସିଟି ଭୁବନେଶ୍ୱର ଓ କଟକ ସହିତ ଭଦ୍ରକରେ ୪୮ ଘଣ୍ଟିଆ ଶଟ୍ ଡାଉନ୍ ଲାଗୁ ହୋଇଛି। ଶଟ୍ ଡାଉନ୍କୁ କଡ଼ାକଡ଼ି ଭାବେ ପାଳନ କରିବାକୁ ସମସ୍ତଙ୍କୁ କୁହାଯାଇଛି। ଏଥିପାଇଁ ରାଜଧାନୀର ବିଭିନ୍ନ ଛକ, ରାସ୍ତା ଓ ଗଳିରେ ଫୋର୍ସ ମୁତୟନ ହୋଇଛନ୍ତି।
ଆହୁରି ପଢ଼ନ୍ତୁ
ଭୁବନେଶ୍ୱର ମହାନଗର ସହ ଏହାର ପାର୍ଶ୍ୱବର୍ତ୍ତୀ ଅନେକ ଅଞ୍ଚଳକୁ ମଧ୍ୟ ଶଟ୍ ଡାଉନ୍ରେ ସାମିଲ କରାଯାଇଛି। ଭୁବନେଶ୍ୱରର ବାସୁଆଘାଇ, ଶିଶୁପାଳ, ଲିଙ୍ଗିପୁର, ରଣସିଂହପୁର, ମଳିପଡ଼ା, ଅନ୍ଧାରୁଆ, ଯାଁଳା, କଳାରାହାଙ୍ଗ, ରଘୁନାଥପୁର, ବରିମୁଣ୍ଡ, ଦାରୁଠେଙ୍ଗ, ଚନ୍ଦକା, ଧଉଳି, ତମାଣ୍ଡୋ, ସିଜୁଆ, ବାଳକାଟୀ, ପ୍ରତାପଶାସନ, ବାଲିଅନ୍ତା, ଜଗନ୍ନାଥପୁର ଓ ଜଟଣୀ ପ୍ରଧାନସାହି ଅଞ୍ଚଳକୁ ଶଟ୍ ଡାଉନ୍ରେ ସାମିଲ କରାଯାଇଛି।
ଅନ୍ୟପକ୍ଷରେ ଭଦ୍ରକରେ ମଧ୍ୟ ୯ ଜଣଙ୍କୁ ପୁଲିସ୍ ଉଠାଇ ନେଇ କ୍ୱାରେଣ୍ଟାଇନ୍ ସେଣ୍ଟରେ ଭର୍ତ୍ତି କରିଛି।
ଗତକାଲି ଡିଜିପି ଅଭୟ ଶଟ୍ ଡାଉନ୍ କଟକଣା ବିଷୟରେ ସୂଚନା ଦେବା ବେଳେ ସ୍ପଷ୍ଟ ଭାବେ କହିଥିଲେ ଯେ ଏହି ସମୟରେ ଯିଏ ଘର ବାହାରେ ବୁଲିବ ପୁଲିସ୍ ଉଠାଇ ନେବ। ସେମାନଙ୍କୁ ଉଠାଇ ନେଇ ୧୪ ଦିନ କ୍ୱାରେଣ୍ଟାଇନ୍ରେ ରଖାଯିବ। ଏହା ସହିତ ମାମଲା ରୁଜୁ କରାଯିବ ଓ ଜୋରିମାନା ମଧ୍ୟ ଆଦାୟ କରାଯିବ।