ସତ୍ୟଶିଖା (ଭୁବନେଶ୍ୱର) ୧୮/୧୨/୨୦୨୦ : ଏବର୍ଷ ଶୀତର ଦେଖା ନାହିଁ । ଡିସେମ୍ବର ସରିବାକୁ ବସିଲାଣି । କିନ୍ତୁ ପୂର୍ବବର୍ଷ ଭଳି ଶୀତ ପଡିନି । ବର୍ଷେ ତଳେ ଡିସେମ୍ବର ପ୍ରଥମ ସପ୍ତାହରେ ଦାରିଙ୍ଗିବାଡ଼ି, କେନ୍ଦୁଝରରେ ବରଫ ପଡ଼ୁଥିଲା । ଠକ୍ଠକ୍ ହୋଇ ଶୀତରେ ଥରୁଥିଲା ସୋନପୁର, ଭବାନୀପାଟଣା । ଉପକୂଳ ଓଡ଼ିଶା ବି କାଲୁଆ ପବନରେ ଥରଥର ହେଉଥିଲା । କିନ୍ତୁ ଏବେସୁଦ୍ଧା ବାକ୍ସରୁ ବାହାରିନି ଶୀତ ବସ୍ତ୍ର। ସର୍ବନିମ୍ନ ତାପମାତ୍ରା ୧୫-୧୮ ଡିଗ୍ରୀ ପାଖାପାଖି ରହୁଛି । କାଁ ଭାଁ କେଇ ଥର ୧୦ ଡିଗ୍ରୀ ତଳକୁ ଖସିଛି ତାପମାତ୍ରା ।
ପୂର୍ବର ସ୍ଥିତି ଅନୁଧ୍ୟାନରୁ ଜଣାପଡ଼ିଛି, ୨୦୧୯ ଓ ୨୦୧୮ ତୁଳନାରେ ଏବର୍ଷ ଶୀତ ପ୍ରକୋପ କମ୍ ଅଛି । ୨୦୧୯ ଓ ୨୦୧୮ ଡିସେମ୍ବର ଶେଷ ସପ୍ତାହରେ ଭୁବନେଶ୍ୱରରେ ସର୍ବନିମ୍ନ ତାପମାତ୍ରା ଖସି ୮ରୁ ୯ ଡିଗ୍ରୀ ପାଖାପାଖି ପହଞ୍ଚିଯାଇଥିଲା । ୨୦୧୮ରେ କୋରାପୁଟରେ ପାରଦ ୪.୮ ଡିଗ୍ରୀ ଓ ୨୦୧୭ରେ ୭.୯ ଡିଗ୍ରୀକୁ କମିଯାଇଥିଲା ।