

ସତ୍ୟଶିଖା(ଅଲଓ୍ବାର ) ୨୯.୦୫.୨୦୨୧: ବଜାରକୁ ଆସୁଛି ଅପମିଶ୍ରିତ ବାବା ରାମଦେବଙ୍କ ପତଞ୍ଜଳୀ ସୋରିଷ ତେଲ ? ରାଜସ୍ଥାନର ଅଲଓ୍ବାରରେ ପତଞ୍ଜଳୀ ବ୍ରାଣ୍ଡ ନାଁରେ ସୋରିଷ ତେଲ ପ୍ୟାକିଂ କରୁଥିବା ଏକ ମିଲ ସିଜ୍ ହୋଇଛି। ମିଲ୍ରୁ ପତଞ୍ଜଳୀର ବହୁ ପରିମାଣର ପ୍ୟାକିଂ ସାମଗ୍ରୀ ଜବତ କରାଯାଇଛି । ପତଞ୍ଜଳୀ ନାଁରେ ଅପମିଶ୍ରିତ ସୋରିଷ ତେଲ ଚୋରାଚାଲାଣ ନେଇ ମଧ୍ୟ ଅଭିଯୋଗ ହୋଇଛି। ଗୁରୁବାର ପୁରା ମିଲ୍ର ଭିଡିଓଗ୍ରାଫି ହେବା ସହ ସାମ୍ପଲ୍ ସଂଗ୍ରହ କରିଛି ଜିଲ୍ଲା ପ୍ରଶାସନ ।
ମିଳିଥିବା ସୂଚନା ଅନୁସାରେ ବୁଧବାର ବିଳମ୍ବିତ ରାତିରେ ଅଲଓ୍ବାର ଜିଲ୍ଲା ପ୍ରଶାସନ ପକ୍ଷରୁ ଖୈରଥଳର ଇସ୍ମାଇଲପୁରରେ ଥିବା ସିଙ୍ଘାନିଆ ତୈଳ ମିଲ୍ରେ ଚଢ଼ାଉ କରାଯାଇଥିଲା । ଏହା ପରେ ମିଲ୍କୁ ସିଲ୍ କରାଯାଇଛି। ଏହା ସହ ଏମଡିଏମ ଯୋଗେଶ ଡାଗୁରଙ୍କ ନେତୃତ୍ବରେ ତଦନ୍ତ କମିଟି ଗୁରୁବାର ସନ୍ଧ୍ୟାରେ ମିଲ୍ରେ ପହଞ୍ଚି ମାମଲାର ଯାଞ୍ଚ କରିଥିବା ଜଣାପଡ଼ିଛି । ଏନେଇ ମିଲ୍ ମାଲିକଙ୍କୁ ପଚରାଯିବାରୁ ସେ କହିଛନ୍ତି, ବାବା ରାମଦେବଙ୍କ ପତଞ୍ଜଳୀର ପ୍ୟାକିଂ ପାଇଁ ତାଙ୍କୁ ଅନୁମତି ମିଳିଛି। ଏହା ସହ ପତଞ୍ଜଳୀ ବ୍ରାଣ୍ଡର ପ୍ୟାକିଂ ପାଇଁ ମିଳିଥିବା ଅନୁମତି ପତ୍ର ସହ ଫ୍ୟାକ୍ଟ୍ରି ଲାଇସେନ୍ସ ପୈଠ କରିବାକୁ ଜିଲ୍ଲା ପ୍ରଶାସନ ନିର୍ଦେଶ ଦେଇଛି।
ତେବେ ମିଳିଥିବା ସୂଚନା ଅନୁସାରେ ଏହି ଫ୍ୟାକ୍ଟ୍ରିରୁ ପ୍ରସ୍ତୁତ ହେଉଥିବା ସୋରିଷ ତେଲ ରାମଦେବଙ୍କ କମ୍ପାନୀ ପତଞ୍ଜଳୀକୁ ଯାଉଥିଲା। ସେଠାରୁ କମ୍ପାନୀ ଷ୍ଟାମ୍ପ ବାଜି ବଜାରକୁ ଆସୁଥିଲା। ଏନେଇ ଅଭିଯୋଗ ହେବା ପରେ ଜିଲ୍ଲାପାଳ ତୁରନ୍ତ କାର୍ଯ୍ୟନୁଷ୍ଠାନ ନେବା ସହ ଯୋଗେଶ ଡାଗୁରଙ୍କ ସମେତ ୩ ଜଣିଆ ତଦନ୍ତ କମିଟି ଗଠନ କରିଛନ୍ତି ।