

ସତ୍ୟଶିଖା ( ସୁରଟ ) ୩୦ .୦୮.୨୦୨୦ : ଘରୋଇ କଳହର କରୁଣ ପରିଣତି । ସାମାନ୍ୟ ଘରୋଇ କଳହରୁ ନିଜ ସ୍ତ୍ରୀର ଗଳା ଚିପି ହତ୍ୟା କରିଛି ସ୍ୱାମୀ । ଏଭଳି ଅଭାବନୀୟ ଘଟଣା ଗୁଜୁରାଟ ସୁରଟ ଅଞ୍ଚଳରେ ଦେଖିବାକୁ ମିଳିଛି । ହତ୍ୟାକାଣ୍ଡ ସମୟରେ ଦମ୍ପତ୍ତିଙ୍କ ୮ ବର୍ଷର ପୁଅ ଘରେ ଉପସ୍ଥିତ ଥିଲେ । ଶିଶୁଟି ପୋଲିସକୁ ପୂରା ଘଟଣା ସଂପର୍କରେ ଜଣାଇଥିଲା । ଶିଶୁଟ ବୟାନ ପରେ ପୋଲିସ ଅଭିଯୁକ୍ତ ସ୍ୱାମୀକୁ ଗିରଫ କରିଛି ।
ଏହି ହତ୍ୟା ଘଟଣା ସୁରଟ ସହର ସରଥାଣା ଅଞ୍ଚଳର ନୀଲମ ପାର୍କ ସୋସାଇଟିରେ ଘଟିଛି । ଅଭିଯୁକ୍ତ ସ୍ୱାମୀଙ୍କ ନାଁ ରସିକ ଭାଇ । ତାଙ୍କ ବୟସ ୪୦ ବର୍ଷ । ରସିକ ଭାଇ ତାଙ୍କ ସ୍ତ୍ରୀ ହଂସା ଏବଂ ୮ ବର୍ଷର ପୁଅ ତନୟଙ୍କ ସହ ରହୁଥିଲେ । ଶୁକ୍ରବାର ସକାଳେ ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ଝଗଡା ହୋଇଥିଲା । ବ୍ୟକ୍ତିଗତ କାରଣରୁ ଉଭୟଙ୍କ ମଧ୍ୟରେ ଝଗଡା ହୋଇଥିଲା । ଝଗଡା ଏତେ ବଢି ଯାଇଥିଲା ଯେ ସ୍ତ୍ରୀ ହଂସାଙ୍କ ଗଳା ଚିପି ହତ୍ୟା କରିଥିଲେ ।
ଏହାପରେ ଅଭିଯୁକ୍ତ ଘରେ ସ୍ତ୍ରୀର ମୃତଦେହ ଏଭଳି ଝୁଲାଇ ଦେଇଥିଲା ଯେମିତି କି ସେ ଆତ୍ମହତ୍ୟା କରିଥିବା ଜଣାପଡିବ । ପରେ ଘଟଣା ନେଇ ପୋଲିସକୁ ଖବର ଦିଆଯାଇଥିଲା । ଘଟଣାସ୍ଥଳରେ ପୋଲିସ ପହଞ୍ଚିଥିଲା । ଅଭିଯୁକ୍ତ ସ୍ୱାମୀ ପୋଲିସକୁ ସ୍ତ୍ରୀ ଆତ୍ମହତ୍ୟା କରିଛି ବୋଲି କହିଥିଲା । ଫଳରେ ପୋଲିସ ମୃତଦେହ ଜବତ କରି ପୋଷ୍ଟମର୍ଟମ ପାଇଁ ହସ୍ପିଟାଲକୁ ପଠାଇଦେଇଥିଲା ।
ପୋଲିସ ଘଟଣାର ତଦନ୍ତ କରୁଥିବା ବେଳେ ଘରେ ଉପସ୍ଥିତ ଥିବା ୮ ବର୍ଷୀୟ ପୁଅ ପୋଲିସକୁ କହିଥିଲା ଯେ ତାଙ୍କ ମା’କୁ ତାଙ୍କ ବାପା ଗଳା ଚିପି ହତ୍ୟା କରିଛନ୍ତି । ଫଳରେ ପୋଲିସ ଅଭିଯୁକ୍ତ ସ୍ୱାମୀଙ୍କୁ ପଚରାଉଚରା କରିଥିଲା । ଅଭିଯୁକ୍ତ ଜଣଙ୍କ ଦୋଷ ମାନିଯାଇଥିଲା । ସ୍ତ୍ରୀକୁ ଗଳା ଚିପି ହତ୍ୟା କରିଥିବା ପୋଲିସ ନିକଟରେ ସ୍ପଷ୍ଟ କରିଥିଲା । ଏହାପରେ ପୋଲିସ ଅଭିଯୁକ୍ତ ସ୍ୱାମୀକୁ ଗିରଫ କରି ତଦନ୍ତ ଜାରି ରଖିଛି ।