ରାଜନୀତିରାଜ୍ୟ

ଖୋଲିଲା ପୌର, ପଞ୍ଚାୟତ ନିର୍ବାଚନ ବାଟ

ସତ୍ୟଶିଖା ( ଭୁବନେଶ୍ୱର ) ୦୨ /୦୯ /୨୦୨୧ :ରାଜ୍ୟରେ ପଞ୍ଚାୟତ ଓ ପୌର ନିର୍ବାଚନରେ ସଂରକ୍ଷଣ ସୀମା ସର୍ବାଧିକ ୫୦ ପ୍ରତିଶତ ରହିବ। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ପଞ୍ଚାୟତ ଓ ପୌର ନିର୍ବାଚନରେ ସଂରକ୍ଷଣ ସୀମାକୁ ୫୦ ପ୍ରତିଶତ ଭିତରେ ସୀମୀତ ରଖିବା ପାଇଁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି। ଏଥିପାଇଁ ଆଇନରେ ଆବଶ୍ୟକ ସଂଶୋଧନକୁ ବୁଧବାର ସନ୍ଧ୍ୟାରେ ରାଜ୍ୟ କ୍ୟାବିନେଟ ମଞ୍ଜୁରୀ ପ୍ରଦାନ କରିଥିବା ଜଣାପଡ଼ିଛି।
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଆଭାସିରେ ଅନୁଷ୍ଠିତ କ୍ୟାବିନେଟ୍‌ ବୈଠକରେ ଏହିନିଷ୍ପତ୍ତି ହୋଇଛି। ବିଧାନସଭା ଅଧିବେଶନ ଚାଲିଥିବା ଯୋଗୁ କ୍ୟାବିନେଟ ବୈଠକ ସମ୍ପର୍କରେ ସରକାରୀ ଭାବେ କୌଣସି ସୂଚନା ଦିଆଯାଇନି। ତେବେ ବିଶେଷ ସୂତ୍ରରୁ ମିଳିଥିବା ଖବର ଅନୁସାରେ,
ଉଭୟ ପଞ୍ଚାୟତ ଓ ପୌର ନିର୍ବାଚନରେ ସଂରକ୍ଷଣ ସୀମାକୁ ୫୦ ପ୍ରତିଶତ ମଧ୍ୟରେ ସୀମିତ ରଖିବାକୁ ରାଜ୍ୟ କ୍ୟାବିନେଟ୍ ଆଜି ଏ ସମ୍ବନ୍ଧିତ ୫ଟି ଆଇନରେ ସଂଶୋଧନ ଆଣିବା ଲାଗି ପ୍ରସ୍ତାବକୁ ମଞ୍ଜୁରୀ ଦେଇଛନ୍ତି। ଏହି ସଂଶୋଧିତ ବିଲ୍ ଚଳିତ ଅଧିବେଶନରେ ଗୃହରେ ଆଗତ କରାଯିବ।
ପୌର ଓ ପଞ୍ଚାୟତ ନିର୍ବାଚନରେ ଅନୁସୂଚିତ ଜାତି, ଜନଜାତି, ପଛୁଆ ବର୍ଗଙ୍କ ନିମନ୍ତେ ସଂରକ୍ଷଣସୀମା ସର୍ବାଧିକ ୫୦ ପ୍ରତିଶତ ରଖିବା ଲାଗି ରାଜ୍ୟ ସରକାର ଓଡ଼ିଶା ପୌର ଆଇନ-୧୯୫୦ ଏବଂ ଓଡ଼ିଶା ପୌର ନିଗମ ଆଇନ-୨୦୦୩ ସମେତ ଓଡ଼ିଶା ଗ୍ରାମ ପଞ୍ଚାୟତ ଆଇନ-୧୯୬୪, ଓଡ଼ିଶା ପଞ୍ଚାୟତ ସମିତି ଆଇନ-୧୯୯୯ ଏବଂ ଓଡ଼ିଶା ଜିଲ୍ଲା ପରିଷଦ ଆଇନ-୧୯୯୧ରେ ସଂଶୋଧନକରିବାକୁ ନିଷ୍ପତ୍ତି ନେଇଛନ୍ତି। ଏହି ସମସ୍ତ ଆଇନରେ ସଂଶୋଧନ ପ୍ରସ୍ତାବକୁ ଆଜି ରାଜ୍ୟ କ୍ୟାବିନେଟ ମୋହର ମାରିଛି।

Show More
Back to top button