ସତ୍ୟଶିଖା ( ଭୁବନେଶ୍ୱର ) ୦୬.୦୮.୨୦୨୦ : କୋଣାର୍କ ସ୍ୱତନ୍ତ୍ର ଏକ୍ସପ୍ରେସ ଭୁବନେଶ୍ୱରରୁ ଶୁକ୍ରବାର ବାତିଲ ରହିବ । ମାତ୍ରାଧିକ ବର୍ଷା ଦ୍ୱାରା ମୁମ୍ବାଇରେ ରେଳଧାରଣା ଉପରେ ପାଣି ଜମିରହିଥିବା ଯୋଗୁଁ ଗତକାଲି ମୁମ୍ବାଇରୁ ଛାଡିବାକୁ ଥିବା ୦୧୦୧୯ ମୁମ୍ବାଇ-ଭୁବନେଶ୍ୱର କୋଣାର୍କ ସ୍ୱତନ୍ତ୍ର ଟ୍ରେନକୁ ବାତିଲ କରାଯାଇଅଛି । ସଂଯୋଗକାରୀ ଟ୍ରେନ ନଆସିବା ଯୋଗୁଁ ଆସନ୍ତାକାଲି ଭୁବନେଶ୍ୱରରୁ ଛାଡିବାକୁ ଥିବା ୦୧୦୨୦ ଭୁବନେଶ୍ୱର-ମୁମ୍ବାଇ କୋଣାର୍କ ସ୍ୱତନ୍ତ୍ର ଟ୍ରେନ ଭୁବନେଶ୍ୱରଠାରୁ ବାତିଲ ରହିବ ।
ସୂଚନାନୁସାରେ, ବର୍ଷାରେ ବେହାଲ ମୁମ୍ବାଇ । ୧୦ ଘଣ୍ଟାର ବର୍ଷାରେ ବୁଡ଼ିଲା ମୁମ୍ବାଇ । ଭାଙ୍ଗିଛି ୪୬ ବର୍ଷ ପୁରୁଣା ରେକର୍ଡ । ୧୨ ଘଣ୍ଟାରେ ୨୯୪ ମିଲିମିଟର ବର୍ଷା ରେକର୍ଡ କରାଯାଇଛି । ସେପଟେ ଆହୁରି ବର୍ଷା ନେଇ ସତର୍କ କରାଇଛି ପାଣିପାଗ ବିଭାଗ । ମୁମ୍ବାଇର ଅନେକ ଅଞ୍ଚଳରେ ଜାରି ହୋଇଛି ରେଡଆଲର୍ଟ । ପ୍ରବଳ ବର୍ଷାରେ ୨ ଲୋକାଲ ଟ୍ରେନରେ ଫଶିଥିବା ୫୦୦ରୁ ଅଧିକ ଲୋକଙ୍କୁ ଉଦ୍ଧାର କରାଯାଇଛି । ରାସ୍ତାରେ ପାଣି ଚାଲୁଛି, ବିଭିନ୍ନ ସ୍ଥାନରେ ଟ୍ରାଫିକ ସ୍ଥିତି ଅସମ୍ଭାଳ ହୋଇପଡ଼ିଛି । ଏଭଳି ସ୍ଥିତିରେ ଘରୁ ନ ବାହାରିବାକୁ ଅନୁରୋଧ କରିଛନ୍ତି ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ । ସେପଟେ ମହାରାଷ୍ଟ୍ରକୁ ସହାୟତା ଯୋଗାଇଦେବାକୁ ଆଶ୍ୱାସନା ଦେଇଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ୧୯୭୪ ପରେ ୨୪ ଘଣ୍ଟାରେ ମୁମ୍ବାଇରେ ସବୁଠୁ ଅଧିକ ବର୍ଷା ରେକର୍ଡ କରାଯାଇଛି ।