
ସତ୍ୟଶିଖା (ନୂଆଦିଲ୍ଲୀ) ୧୨/୦୧/୨୦୨୧ : ୨୦୨୦ ଜାନୁଆରୀରେ ଆୟୋଜିତ କଞ୍ଜ୍ୟୁମର ଇଲେକ୍ଟ୍ରୋନିକ୍ସ ସୋ’ରେ ସୋନି କର୍ପୋରେସନ୍ ସମସ୍ତଙ୍କୁ ଚକିତ କରିଥିଲା । କମ୍ପାନୀ ଏହାର ସମ୍ପୂର୍ଣ୍ଣ ଇଲେକ୍ଟ୍ରିକ୍ କାର ‘ଭିଜନ୍-ଏସ୍’ର ଉନ୍ମୋଚନ କରିଥିଲା । ଏହି ଜାପାନିଜ କମ୍ପାନି ଉକ୍ତ ସମୟରେ ସୂଚନା ଦେଇଥିଲା ଯେ, ହାଇଏଣ୍ଡ ଟେକ୍ନୋଲୋଜି ଯେପରିକି କ୍ୟାମେରା ସେନ୍ସର, ଏଣ୍ଟର୍ଟେନ୍ମେଣ୍ଟ ସିଷ୍ଟମ୍ ଏବଂ ଆହୁରି ଅନେକ ବୈଶିଷ୍ଟ୍ୟ ସହ ଏହି ଚାଳକବିହୀନ ଗାଡି ବଜାରକୁ ଆସିବ । ୨୦୨୦ ଜୁଲାଇରେ ସୋନିର ଭିଜନ୍-ଏସ୍ ପ୍ରୋଟୋଟାଇପ୍ ଟୋକିଓ ପହଞ୍ଚିଥିଲା । ଏଠାରେ ଏହାର ସେନ୍ସିଂ ଏବଂ ଅଡିଓ ଟେକ୍ନୋଲୋଜିକୁ ଅଧିକ ବିକଶିତ କରାଯାଇଛି । କିନ୍ତୁ ଏହି ଗାଡି ନିକଟ ଭବିଷ୍ୟତରେ ବିକ୍ରି ପାଇଁ ଉପଲବ୍ଧ ହେବ ନାହିଁ । ପ୍ରଥମେ କମ୍ପାନି ଅଷ୍ଟ୍ରିଆ ସଡ଼କରେ ଏହି ଇଲେକ୍ଟ୍ରିକ୍ କାରର ପରୀକ୍ଷଣ ଆରମ୍ଭ କରିବ ।ସୋନି ଭିଜନ୍ ଏସ୍ ପାଇଁ ଇଲେକ୍ଟ୍ରିକ୍ କାର ପ୍ଲାଟ୍ଫର୍ମ ମାଗ୍ନା ଯୋଗାଇଛି । ମାଗ୍ନା ହେଉଛି ଏକ ଅଟୋମୋଟିଭ୍ ସପ୍ଲାୟର । ଏକ ଇନ୍-ହାଉସ୍ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ଏବଂ ରୋବୋଟିକ୍ ଟିମ୍ ଦ୍ୱାରା ନିର୍ମିତ ଏହି ଗାଡିକୁ ସଡ଼କରେ ସମ୍ପୂର୍ଣ୍ଣ ରୂପେ ପରୀକ୍ଷା କରାଯାଇଛି । ଏନେଇ ସୋନି କର୍ପୋରେସନ ସୂଚନା ଦେଇଛି । ଏହି ଇଭି ଏବଂ ଏହାର ଭିଜନ୍-ଏସ୍ ପ୍ଲାଟ୍ଫର୍ମ ନିର୍ଦ୍ଧାରିତ ସୁରକ୍ଷା ମାନଦଣ୍ଡ ପାଳନ କରିବ ବୋଲି କମ୍ପାନି ସ୍ପଷ୍ଟ କରିଛି । ୟୁରୋପ ରୋଡରେ ଗଡ଼ିବା ପାଇଁ ଏହି ଗାଡି ଯେପରି ସମ୍ପୂର୍ଣ୍ଣ ରୂପେ ସକ୍ଷମ ହେବ ତାହାକୁ ସୁନିଶ୍ଚିତ କରାଯିବ । ଏଥିପାଇଁ ସୋନି ମାଗ୍ନା-ଷ୍ଟେୟାର ସହ କାର୍ଯ୍ୟ କରୁଥିବା ଜଣାପଡ଼ିଛି । ସୋନିର ଚାଳକବିହୀନ ପ୍ରୋଟୋଟାଇପ୍ ୩୩ଟି ସେନ୍ସର ସହ ଆସୁଛି । ଏହା ଗାଡି ଭିତରେ ଏବଂ ବାହାରେ ଥିବା ଲୋକଙ୍କୁ ଅନୁଭବ କରିପାରିବ । ବାହାରେ ଯାତାୟତ କରୁଥିବା ଗାଡିଗୁଡିକୁ ଏହା ଚିହ୍ନଟ କରିପାରିବ ବୋଲି କମ୍ପାନୀ ପକ୍ଷରୁ ସୂଚନା ଦିଆଯାଇଛି ।