ଜୁନ୍‌ରେ ଭଲ ବର୍ଷା ଆକଳନ କରିଥିଲା ପାଣିପାଗ ବିଭାଗ। ମାତ୍ର ଏଯାଏଁ ସେମିତି ବର୍ଷା ହେଲାନି।

ସତ୍ୟଶିଖା :୧୭/୦୬/୨୦୨୫:ମୌସୁମୀ ଆଗୁଆ ଆସି ଏମିତି  ହଜିଗଲା ଯେ ବିସ୍ତୃତ ଅଞ୍ଚଳ ଶୁଖିଲା ପଡ଼ିଛି। ବର୍ତ୍ତମାନ ସୁଦ୍ଧା ଜୁନ୍‌ରେ ୧୯ ଜିଲ୍ଲାରେ ନିଅଣ୍ଟିଆ ବର୍ଷା ସ୍ଥିତି ଦେଖିବାକୁ ମିଳିଛି ।  ସେଥିରୁ ୫ ଜିଲ୍ଲା ପୂରା ଶୁଖିଲା ପଡ଼ିଛି।  ପାଣିପାଗର ତାଜା ପୂର୍ବାନୁମାନ ଅନୁସାରେ ଏବେ ବିଶେଷ ବର୍ଷା ନାହିଁ ରାଜ୍ୟରେ।

ସୋଆ ପରିବେଶ ଓ ଜଳବାୟୁ କେନ୍ଦ୍ର (ସିଇସି) ନିର୍ଦ୍ଦେଶକ ଡକ୍ଟର ଶରତ ଚନ୍ଦ୍ର ସାହୁ  କହିଛନ୍ତି, ମଙ୍ଗଳବାର କିଛି ଜାଗାରେ ବର୍ଷା ହୋଇପାରେ। ତା’ପରେ ବିଶେଷ ବର୍ଷା ନାହିଁ । ଆର୍ଦ୍ରତା ଅଧିକ ଥିବାରୁ କିଛି କିଛି ଜାଗାରେ ଘଡ଼ଘଡ଼ି ସହ ବର୍ଷା ହେବ। ମାତ୍ର ବିସ୍ତୃତ ଅଞ୍ଚଳ ଶୁଖିଲା ରହିବ। ଆଗକୁ ଓଡ଼ିଶା ଏବଂ ପଶ୍ଚିମବଙ୍ଗ ପାଖରେ ଘୂର୍ଣ୍ଣିବଳୟ ସୃଷ୍ଟି ହେବା ସମ୍ଭାବନା ଅଛି । ଏହାପ୍ରଭାବରେ ଆସନ୍ତା ୨୩/୨୪ ତାରିଖବେଳକୁ ବର୍ଷା ବଢ଼ିପାରେ। ତା’ପରେ ପୁଣି ବର୍ଷା କମିଯିବ। ଜୁନ୍‌ ମାସଟା ନିଅଣ୍ଟିଆ ବର୍ଷାରେ ସରିଯାଇପାରେ। ଭୁବନେଶ୍ୱର ପାଣିପାଗ କେନ୍ଦ୍ର କହିଛି, ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି । ଆସନ୍ତା ୨ ଦିନ ଭିତରେ ରାଜ୍ୟର ବାକି ଅଞ୍ଚଳକୁ ମୌସୁମୀ ଅଗ୍ରସର ହେବା ନେଇ ପାଗ ଅନୁକୂଳ ରହିଛି। ଆସନ୍ତା ଦୁଇଦିନରେ ତାପମାତ୍ରା ୨ରୁ ୪ ଡିଗ୍ରୀ ସେଲସିୟସ୍‌ କମିପାରେ। ମଙ୍ଗଳବାର ରାଜ୍ୟର ଅଧିକାଂଶ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହୋଇପାରେ। ଝାରସୁଗୁଡ଼ା, ଦେବଗଡ଼, ବାଲେଶ୍ୱର, ଯାଜପୁର, ସମ୍ବଲପୁର, ଅନୁଗୁଳ, ଢେଙ୍କାନାଳ ଓ ବରଗଡ଼ର ସ୍ଥାନେ ସ୍ଥାନେ ପ୍ରବଳ ବର୍ଷା ହୋଇପାରେ। କିଛି ଜିଲ୍ଲାରେ ଘଡ଼ଘଡ଼ି ସହ ପବନ ଆଶଙ୍କା ରହିଛି । ୧୮ ତାରିଖରେ ରାଜ୍ୟର ଅଧିକାଂଶ ସ୍ଥାନରେ ହାଲୁକାରୁ ମଧ୍ୟମ କେନ୍ଦୁଝର ଏବଂ ସୁନ୍ଦରଗଡ଼ରେ ପ୍ରବଳ ବର୍ଷା ହୋଇପାରେ। ୧୯ରୁ ବର୍ଷା ପରିମାଣ କମିପାରେ।

ଦକ୍ଷିଣ ଓଡ଼ିଶାରୁ ମୌସୁମୀ ରାଜ୍ୟକୁ ପ୍ରବେଶ କରିଥିବାବେଳେ ମାଲକାନଗିରିରେ ଏବେ ସୁଦ୍ଧା ସବୁଠାରୁ କମ୍‌ ବର୍ଷା ହୋଇଛି।  ଜୁନ୍‌ ପହିଲାରୁ ଏବେ ସୁଦ୍ଧା ମାଲକାନଗିରିରେ ୯୭% ବର୍ଷା କମ୍‌ ରହିଛି । ୫ଟି ଜିଲ୍ଲାରେ ୬୦% ରୁ ୯୭% ପର୍ଯ୍ୟନ୍ତ ବର୍ଷା ନିଅଣ୍ଟିଆ ଥିବାବେଳେ  ୧୪ଟି ଜିଲ୍ଲାରେ ୨୦%ରୁ ୫୭% ପର୍ଯ୍ୟନ୍ତ କମ୍‌  ରହିଛି । ଝାରସୁଗୁଡ଼ାରୁ ୮୭%, ମୟୂରଭଞ୍ଜରେ  ୭୦%, ବରଗଡ଼ରେ ୬୨%, ନୂଆପଡ଼ାରେ ୬୦% ବର୍ଷା ନିଅଣ୍ଟିଆ ଅଛି । ନବରଙ୍ଗପୁରରେ  ସ୍ୱାଭାବିକଠାରୁ ୫୭% ବର୍ଷା କମ୍‌ ଥିବାବେଳେ  ବଲାଙ୍ଗିରରେ ୫୫%, ସମ୍ବଲପୁରରେ ୪୯%,  କେନ୍ଦୁଝରରେ ୪୬%, ପୁରୀରେ ୪୧%, ବାଲେଶ୍ୱରରେ ୪୧%, ଅନୁଗୁଳରେ ୪୧%,  କୋରାପୁଟରେ ୩୬%, ଭଦ୍ରକରେ ୩୫%, କଳାହାଣ୍ଡିରେ ୩୪%, ଦେବଗଡ଼ରେ ୩୪%,  ଯାଜପୁରରେ ୩୨%, ସୁନ୍ଦରଗଡ଼ରେ ୨୭%, ରାୟଗଡ଼ାରେ ୨୫% ନିଅଣ୍ଟିଆ ବର୍ଷା ହୋଇଛି। ଗଞ୍ଜାମ, ନୟାଗଡ଼, ଖୋର୍ଦ୍ଧା, ଢେଙ୍କାନାଳ, ସୋନପୁର, ବୌଦ୍ଧ, ଜଗତସିଂହପୁର,  କେନ୍ଦ୍ରାପଡ଼ା, କଟକ, ସୋନପୁର, ବୌଦ୍ଧ,  କନ୍ଧମାଳ, ଗଜପତିରେ ବର୍ଷା ପରିମାଣ ସ୍ୱାଭାବିକ  ଅଛି । ରାଜ୍ୟରେ ଏହି ୧୬ ଦିନରେ ହାରାହାରି ୫୭ ମିଲିମିଟର ବର୍ଷା ହୋଇଛି, ଯାହାକି ସ୍ୱାଭାବିକ   ତୁଳନାରେ ୩୧% ନିଅଣ୍ଟିଆ। ସବୁଠାରୁ କମ୍‌   ମାଲକାନଗିରିରେ ୨.୮ ମିମି, ଝାରସୁଗୁଡ଼ାରେ ୮ ମିମି ବର୍ଷା ରେକର୍ଡ ହୋଇଛି।  ରାଜ୍ୟରେ ତାପମାତ୍ରା କମିଥିଲେ ମଧ୍ୟ ଉପକୂଳରେ ଏବେ ଗୁଳୁଗୁଳି ଭୀଷଣ ରହିଛି। ଆଜି ସକାଳରୁ ଅପରାହ୍ନ ସାଢ଼େ ୫ଟା ଭିତରେ  ଚାନ୍ଦବାଲିରେ ୪୭.୪ ମିମି, ଝାରସୁଗୁଡ଼ାରେ   ୨୮.୬, କେନ୍ଦୁଝରରେ ୧୫.୬, ଭଦ୍ରକରେ  ୧୯, ବରଗଡ଼ରେ ୧୩.୭, ରାଉରକେଲାରେ   ୩୫.୮ ମିମି ବର୍ଷା ହୋଇଛି । ବାଲେଶ୍ୱର,  ଯାଜପୁରରେ ହାଲୁକା ବର୍ଷା ହୋଇଛି ।

Exit mobile version