କାଗଜପତ୍ର ନୁହେଁ ସୁରକ୍ଷାକୁ ଗୁରୁତ୍ବ

ସତ୍ୟଶିଖା (ଭୁବନେଶ୍ୱର) ୦୭/୧୨/୨୦୨୦ : ଜାନୁଆରୀ ପହିଲାରୁ ସଡ଼କ ସୁରକ୍ଷା ନିୟମ ଉଲ୍ଲଘଂନକାରୀଙ୍କୁ ଆଉ ନିସ୍ତାର ନାହିଁ । ରାଜ୍ୟର ସଡ଼କ ଦୁର୍ଘଟଣାଜନିତ ମୃତ୍ୟୁହାର ୪୧ ପ୍ରତିଶତ ହୋଇଥିବାରୁ ଏହାକୁ ନେଇ ରାଜ୍ୟ ସରକାର ସଡ଼କ ସୁରକ୍ଷା ଉଲ୍ଲଘଂନକାରୀଙ୍କ ପ୍ରତି କଠୋର ଆଭିମୁଖ୍ୟ ଗ୍ରହଣ କରିଛନ୍ତି । ବାଇକ୍ ପଛରେ ବସିଥିବା ଯାତ୍ରୀ ହେଲ୍ମେଟ୍ ନ ପିନ୍ଧିଲେ ବାଇକ୍ ଆରୋହୀଙ୍କ ଲାଇସେନ୍ସକୁ ତିନି ମାସ ପାଇଁ ବାତିଲ୍ କରାଯିବ । ସେହିପରି ଯେଉଁ ଗାଡ଼ିଚାଳକ ହେଲ୍ମେଟ୍ ବା ସିଟ୍ବେଲ୍ଟ ପିନ୍ଧି ନ ଥିବେ, ଦ୍ରୁତଗତିରେ ଗାଡ଼ି ଚଳାଉଥିବେ, ବାଇକ୍ରେ ୩ ଯାତ୍ରୀ ଥିଲେ, ଗାଡ଼ି ଚଳାଇବା ସମୟରେ ମୋବାଇଲ୍ ଫୋନ୍ରେ କଥା ହେଉଥିଲେ, ଟ୍ରାଫିକ୍ ଛକରେ ନାଲି ଆଲୋକ ନିୟମକୁ ଭାଙ୍ଗୁଥିଲେ ଓ ନିଶାସକ୍ତ ଅବସ୍ଥାରେ ଗାଡ଼ି ଚଳାଉଥିଲେ ସେମାନଙ୍କ ଡ୍ରାଇଭିଂ ଲାଇସେନ୍ସକୁ ମଧ୍ୟ ୩ ମାସ ବାତିଲ୍ କରାଯିବାର ନିୟମ ହୋଇଛି ।ଏନେଇ ସମସ୍ତ ଆଞ୍ଚଳିକ ପରିବହନ ଅଧିକାରୀ ଓ ପୁଲିସ ଜୋରିମାନା ଏବଂ ଲାଇସେନ୍ସ ବାତିଲ୍ କରିବାର କ୍ଷମତାପ୍ରାପ୍ତ ହୋଇଛନ୍ତି । ଗାଡିର କାଗଜପତ୍ର ଯାଞ୍ଚ ଅପେକ୍ଷା ଉପରୋକ୍ତ ଦିଗ ପ୍ରତି କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ ନିଷ୍ପତ୍ତି ହୋଇଥିବା ରାଜ୍ୟ ସଡ଼କ ପରିବହନମନ୍ତ୍ରୀ ପଦ୍ମନାଭ ବେହେରା ରବିବାର ଗଣମାଧ୍ୟମ ପ୍ରତିନିଧିଙ୍କୁ ସୂଚନା ଦେଇଛନ୍ତି । ସୁପ୍ରିମକୋର୍ଟଙ୍କ ସଡ଼କ ସୁରକ୍ଷା ପାଇଁ ଗଠିତ କମିଟି କିଛି ଦିନ ତଳେ ମୁଖ୍ୟ ଶାସନ ସଚିବଙ୍କୁ ରାଜ୍ୟର ସଡ଼କ ସୁରକ୍ଷା ସ୍ଥିତି ସମ୍ପର୍କିତ ତଥ୍ୟ ଲୋଡିଥିଲା । ଏନେଇ ଗତ ମାସରେ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା । ମୁଖ୍ୟ ଶାସନସଚିବ ନିର୍ଦେଶକ୍ରମେ ହେଲ୍ମେଟ୍ ଯାଞ୍ଚ ବ୍ୟବସ୍ଥାକୁ କଡ଼ାକଡ଼ି କରାଯିବା ଲାଗି ନିଷ୍ପତ୍ତି ହୋଇଥିଲା ।
ସେହିପରି ଜାନୁଆରୀ ପହିଲାରୁ ପିଲିଅନ୍ ରାଇଡର ବା ବାଇକ୍ ପଛରେ ବସିଥିବା ଯାତ୍ରୀ ହେଲ୍ମେଟ୍ ପିନ୍ଧିବା ବାଧ୍ୟତାମୂଳକ ବୋଲି ସୂଚନା ଦେଇଛନ୍ତି ପରିବହନ କମିସନର ସଞ୍ଜୀବ ପଣ୍ଡା । ପିଲିଅନ୍ ରାଇଡରଙ୍କ୍ୁ ନେଇ ନିୟମ ଓ ଅନ୍ୟ ସମସ୍ତ ସଡ଼କ ସୁରକ୍ଷା ନିୟମ ଉଲ୍ଲଘଂନକାରୀଙ୍କ ବିରୋଧରେ ପୂର୍ବରୁ କାର୍ଯ୍ୟାନୁଷ୍ଠାନ ଲାଗୁ ହୋଇଛି । ଇତିମଧ୍ୟରେ ଶହ ଶହ ଗାଡ଼ି ଚାଳକଙ୍କର ଡ୍ରାଇଭିଂ ଲାଇସେନ୍ସ ବାତିଲ୍ ହୋଇସାରିଛି । ଅନେକ ଗାଡ଼ି ଚାଳକଙ୍କୁ ଡ୍ରାଇଭିଂ ଲାଇସେନ୍ସ ବାତିଲ୍ ନେଇ ସୂଚନା ଦିଆଯାଇଛି । ସୂଚନା ପାଇବା ସତ୍ତ୍ବେ ଯଦି ଗାଡ଼ି ଚାଳକ ସଡ଼କ ସୁରକ୍ଷା ନିୟମ ଉଲ୍ଲଘଂନ କରିବା ବେଳେ ଧରାପଡନ୍ତି ତେବେ ସେମାନଙ୍କ ପାଇଁ ଆଇନ୍ରେ କଠୋର ବ୍ୟବସ୍ଥା ରହିଛି । ଅଧିକ ଜୋରିମାନା ସହ କାରାଦଣ୍ଡ ଭୋଗିବା ନେଇ ଆଇନ୍ରେ ବ୍ୟବସ୍ଥା ରହିଛି ବୋଲି ପରିବହନ କମିସନର ଶ୍ରୀ ପଣ୍ଡା ସୂଚନା ଦେଇଛନ୍ତି ।