

ସତ୍ୟଶିଖା(ଭୁବନେଶ୍ୱର) ୧୯.୦୬.୨୦୨୧: ଡବଲ ଡୋଜ୍ ଟିକା ନେଇନଥିଲେ ଜୁଲାଇ ପହିଲାରୁ ରାଜଧାନୀ ଭୁବନେଶ୍ୱରରେ କାର୍ଯ୍ୟ କରୁଥିବା ସରକାରୀ କର୍ମଚାରୀଙ୍କୁ ଅଫିସ୍ ଆସିବାକୁ ଅନୁମତି ମିଳିବ ନାହିଁ। ଆଉ ସେମାନଙ୍କର ଅଫିସରେ ଅନୁପସ୍ଥିତିକୁ ଉଦ୍ଦେଶ୍ୟମୂଳକ ଛୁଟି ଭାବେ ବିବେଚନା କରାଯିବ। ଆଜି ଏଭଳି ଢଙ୍ଗରେ ରାଜ୍ୟ ସରକାର ରାଜଧାନୀ ଭୁବନେଶ୍ୱରରେ ଥିବା ବିଭିନ୍ନ ବିଭାଗୀୟ କାର୍ଯ୍ୟାଳୟ, ମୁଖ୍ୟ ଦପ୍ତର, ଶାଖା ଅଫିସ୍ ଓ ସରକାରୀ ଉଦ୍ୟୋଗରେ କାର୍ଯ୍ୟରତ କର୍ମଚାରୀଙ୍କ ନିମନ୍ତେ ନିର୍ଦ୍ଦେଶନାମା ଜାରି କରିଛନ୍ତି।
ରାଜ୍ୟ ସାଧାରଣ ପ୍ରଶାସନ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ସଞ୍ଜିବ ଚୋପ୍ରା ଆଜି ସମସ୍ତ ବିଭାଗୀୟ ମୁଖ୍ୟଙ୍କୁ ଏହି ନିର୍ଦ୍ଦେଶନାମା ପଠାଇ ଭୁବନେଶ୍ୱରରେ ଥିବା ଅଫିସଗୁଡ଼ିକରେ କାର୍ଯ୍ୟରତ କର୍ମଚାରୀଙ୍କ ନିମନ୍ତେ ଏହା ଉଦ୍ଦିଷ୍ଟ ବୋଲି ଜଣାଇଛନ୍ତି।
ଶ୍ରୀ ଚୋପ୍ରା ଉଲ୍ଲେଖ କରିଛନ୍ତି ଯେ ଜୁନ୍ ୧୦ରୁ ୨୦ତାରିଖ ପର୍ଯ୍ୟନ୍ତ ଭୁବନେଶ୍ୱରରେ ଥିବା ସମସ୍ତ ବିଭାଗ, ସବଅର୍ଡିନେଟ୍ ଅଫିସ୍, ସରକାରୀ ଉଦ୍ୟୋଗ ଓ ନିଗମର କର୍ମଚାରୀଙ୍କ ପାଇଁ ସ୍ୱତନ୍ତ୍ର ଟିକାକରଣ ଅଭିଯାନ ହୋଇଛି। ଏହି ପ୍ରକ୍ରିୟାରେ ପ୍ରାୟ ୬ହଜାର କର୍ମଚାରୀଙ୍କୁ ପ୍ରଥମ ଡୋଜ୍ ଟିକା ଦିଆସରିଛି। ଦ୍ୱିତୀୟ ଡୋଜ୍ ଟିକା ଅଭିଯାନ ଗତକାଲି ଅର୍ଥାତ୍ ଜୁନ୍ ୧୭ରୁ ଜାରି ରହିଛି ।