ନିୟନ୍ତ୍ରଣ ବାହାରେ ମହାପ୍ରସାଦ ଦର, କାର୍ଯ୍ୟକାରୀ ହେଉନି ସୁପ୍ରିମକୋର୍ଟଙ୍କ ନିର୍ଦେଶ


ସତ୍ୟଶିଖା (ପୁରୀ) ୦୫/୦୨/୨୦୨୧ : ମହାପ୍ରସାଦ ଦର ନିୟନ୍ତ୍ରଣ କରିବାରେ ବିଫଳ ହୋଇଛି ଶ୍ରୀମନ୍ଦିର ପ୍ରଶାସନ । ଏହାର ସୁଯୋଗ ନେଇ କେତେକ ସୁଆର ମହାସୁଆର ସେବକ ମନଇଚ୍ଛା ଦର ବୃଦ୍ଧିକରି ଚାଲିଛନ୍ତି । ମହାପ୍ରସାଦ ଦର ପ୍ରାୟ ୩ଗୁଣ ବୃଦ୍ଧି ପାଇଥିବା ଅଭିଯୋଗ ହୋଇଛି । ଏଥିଯୋଗୁଁ ସହରବାସୀଙ୍କ ସମେତ ପର୍ଯ୍ୟଟକ ଓ ତୀର୍ଥଯାତ୍ରୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖାଦେଇଛି । ଉତ୍ତମ ପରିବେଶରେ ମହାପ୍ରସାଦ ପ୍ରସ୍ତୁତି, ରୋଷଶାଳାରେ ରହିଥିବା ଚୁଲିଗୁଡିକୁ ପରିଚାଳନା କରିବା ଏବଂ ମହାପ୍ରସାଦ ଦର ନିୟନ୍ତ୍ରଣ ପାଇଁ ସର୍ବୋଚ୍ଚ ନ୍ୟାୟାଳୟ ଦେଇଥିବା ନିର୍ଦେଶକୁ ପାଳନ କରୁନି ମନ୍ଦିର ପ୍ରଶାସନ । ପରିଚାଳନା କମିଟି ବୈଠକରେ ବାରମ୍ବାର ନିଷ୍ପତ୍ତି ସତ୍ତ୍ବେ ଦରତାଲିକା ଲଗାଯାଉ ନାହିଁ । ପ୍ରଶାସନର ଅବହେଳା ଯୋଗୁଁ କେତେକ ସୁଆର ସେବକ ମନଇଚ୍ଛା ମହାପ୍ରସାଦ ଦର ବୃଦ୍ଧି କରୁଛନ୍ତି ।
ମହାପ୍ରସାଦ ପ୍ରସ୍ତୁତ ଏବଂ ବିକ୍ରି ହେଉଥିବା ମାଟିକୁଡୁଆ ଆକାର ଦିନକୁ ଦିନ ଛୋଟ ହେଉଥିବା ବେଳେ ଏହାର ଗୁଣାତ୍ମକ ମାନ ବୃଦ୍ଧି ପାଉନାହିଁ । କୋଭିଡ କଟକଣାଠାରୁ ସୁଆର ମହାସୁଆର ନିଯୋଗ ମହାପ୍ରସାଦ ପ୍ରସ୍ତୁତ କରି ଭକ୍ତଙ୍କୁ ବିକ୍ରି କରୁଛି । ଏହାଛଡା କେତେକ ସୁଆର ମହାସୁଆର ସେବକ ଆନନ୍ଦବଜାରରେ ମହାପ୍ରସାଦ ବିକ୍ରି କରୁଛନ୍ତି । ଶ୍ରୀମନ୍ଦିର ପ୍ରଶାସନ ମହାପ୍ରସାଦ ଦର ନିର୍ଦ୍ଧାରଣ କରିବା ସହ ଆନନ୍ଦବଜାରରେ ମାତ୍ର ଗୋଟିଏ ଦିନ ପାଇଁ ଦରତାଲିକା ଲଗାଇଥିଲା । ସୁଆର ସେବକଙ୍କ ବିରୋଧ ଯୋଗୁଁ ରାତାରାତି ଦରତାଲିକା ହଟାଇ ଦିଆଯାଇଥିଲା । ସ୍ଵାସ୍ଥକର ପରିବେଶରେ ମହାପ୍ରସାଦ ପ୍ରସ୍ତୁତି ଏବଂ ବିକ୍ରି ସମେତ ଆନନ୍ଦବଜାର ଏବଂ ରୋଷଶାଳାର ଉପଯୁକ୍ତ ପରିଚାଳନା ପାଇଁ ଜଷ୍ଟିସ୍ ବି.ପି ଦାସଙ୍କୁ ନେଇ ଗଠିତ କମିଶନ ସୁପାରିସ କରିଥିଲେ । କିନ୍ତୁ ସୁଆର ସେବକଙ୍କ ଉପରେ ମହାପ୍ରସାଦ ପ୍ରସ୍ତୁତି, ବିକ୍ରି ଏବଂ ଦର ନିର୍ଦ୍ଧାରଣ ଦାୟିତ୍ବ ଲଦିଦେଇ ମନ୍ଦିର ପ୍ରଶାସନ ନିରବ ହୋଇ ବସିଛି । ମହାପ୍ରସାଦର ଅତ୍ୟଧିକ ଦରବୃଦ୍ଧି ଯୋଗୁଁ ବହୁ ଗରିବ ଭକ୍ତ ମହାପ୍ରସାଦ କିଣିବାରୁ ବଞ୍ଚିତ ହେଉଛନ୍ତି । ଏ କ୍ଷେତ୍ରରେ ମନ୍ଦିର ପ୍ରଶାସନର ରହସ୍ୟଜନକ ନିରବତା ସାଧାରଣରେ ସନ୍ଦେହ ସୃଷ୍ଟି କରିଛି । ଶ୍ରୀମନ୍ଦିର ସୁଆର ମହାସୁଆର ନିଯୋଗ ସାଧାରଣ ସମ୍ପାଦକ କୃଷ୍ଣଚନ୍ଦ୍ର ପ୍ରତିହାରୀଙ୍କୁ ଏ ସମ୍ପର୍କରେ ପଚାରିବାରୁ ସେ କହିଲେ ପୂର୍ବାପେକ୍ଷା ଡାଲି, ଚାଉଳ, ଘିଅ, କୁଡୁଆ ଏବଂ ପରିବା ଦର ବୃଦ୍ଧି ପାଇଛି । ତାହାକୁ ଦୃଷ୍ଟିରେ ରଖି ମହାପ୍ରସାଦ ଦର ବୃଦ୍ଧି ହେବା ସ୍ଵାଭାବିକ । କରୋନା କଟକଣା ଯୋଗୁଁ ଅଳ୍ପ ସେବକ ମହାପ୍ରସାଦ ପ୍ରସ୍ତୁତ କରୁଛନ୍ତି । ଏଥିଯୋଗୁଁ ଲୋକଙ୍କ ଆବଶ୍ୟକତା ଅନୁଯାୟୀ ମହାପ୍ରସାଦ ଯୋଗାଇ ଦିଆଯାଇ ପାରୁନଥିବା ସେ କହିଛନ୍ତି ।