ନ୍ୟୁଜ୍

ଓଡ଼ିଶା ଓ ଛତିଶଗଡ଼ ଭିତରେ ଥିବା ମହାନଦୀ ବିବାଦର ଖୁବ୍ ଶୀଘ୍ର ସମାଧାନ ହେବ ।

ସତ୍ୟଶିଖା ୨୫/୦୭/୨୦୨୫:ଖୁବ୍ ଶୀଘ୍ର ମହାନଦୀ ବିବାଦର ହେବ ସମାଧାନ । କେନ୍ଦ୍ରୀୟ ଜଳ କମିଶନରେ ସମାଧାନ ଉଦ୍ୟମ ମନ୍ଥର ଗତିରେ ଚାଲିଥିବାରୁ କେନ୍ଦ୍ର ସରକାରଙ୍କ ସହଯୋଗରେ ଉଭୟ ରାଜ୍ୟ ମଧ୍ୟରେ ଆପୋଷ ଆଲୋଚନା କରାଯାଇ ଏହି ସମସ୍ୟାର ସମାଧାନ କରାଯିବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଏଥିରେ କେନ୍ଦ୍ର ଜଳ କମିଶନ ବୈଷୟିକ ସହଯୋଗ ପ୍ରଦାନ କରିପାରିବ । ଏହା ଦ୍ବାରା ଓଡ଼ିଶା ଓ ଛତିଶଗଡ଼ ମଧ୍ୟରେ ଥିବା ଦୀର୍ଘ ଦିନର ବିବାଦ ସମାଧାନ ହୋଇପାରିବ ଏବଂ ଉଭୟ ରାଜ୍ୟ ମଧ୍ୟରେ ସୁସମ୍ପର୍କ ବୃଦ୍ଧି ପାଇବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ। ସେହିଭଳି  ଦୁଇ ରାଜ୍ୟର ଉଚ୍ଚସ୍ତରୀୟ ପଦାଧିକାରୀ ମାନଙ୍କ ମଧ୍ୟରେ ଏ ସମ୍ପର୍କରେ ଆଲୋଚନା ଜାରି ରହିଥିବା କୁହାଯାଇଛି ।

ଗତକାଲି ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ବୈଠକ ପରେ ଆଜି ରାଜସ୍ବ ମନ୍ତ୍ରୀ କହିଛନ୍ତି ଯେ, ଆଗରୁ ଛତିଶଗଡ଼ ସହ ସମ୍ପର୍କ ନ ଥିଲା। ଏବେ ପ୍ରଶାସନିକ ଅଧିକାରୀଙ୍କ ସହ ଆଲୋଚନା ହେଲାଣି । ଖୁବ୍ ଶୀଘ୍ର ଦୁଇରାଜ୍ୟ ମଧ୍ୟରେ ଆପୋଷ ଆଲୋଚନା ହୋଇ ସମସ୍ୟାର ସମାଧାନ କରାଯିବ । ବିଜେଡି କହିଛି, ସେତେବେଳେ ଛଡିଶଗଡ଼ରେ ଓ କେନ୍ଦ୍ରରେ ଡବଲ ଇଞ୍ଜିନ୍  ସରକାର ଥିଲା । କେନ୍ଦ୍ର ସରକାର ଚାହିଁଥିଲେ ସମାଧାନ ହୋଇପାରିଥାନ୍ତା କିନ୍ତୁ କଲେନି । ଏବେ ଟ୍ରିପଲ ଇଞ୍ଜିନ୍ ସରକାରରେ ସମାଧାନ କରନ୍ତୁ । ସେହିଭଳି ଆପୋଷ ଆଲୋଚନାକୁ ଯିବା ପୂର୍ବରୁ ଏହି ପ୍ରସଙ୍ଗକୁ ମୂଳ ଆଧାର ବୋଲି ବିଚାର କରି ଓଡ଼ିଶା ସରକାର ବିବେଚନା କରିବା ଉଚିତ ବୋଲି  କହିଛନ୍ତି କଂଗ୍ରେସ ନେତା ସୁଦର୍ଶନ ଦାସ ।

ଗତ ଫେବ୍ରୁଆରୀ ମାସରେ ରାଜସ୍ଥାନରେ ହୋଇଥିବା ସର୍ବ ଭାରତୀୟ ରାଜ୍ୟ ଜଳ ସମ୍ପଦ ମନ୍ତ୍ରୀମାନଙ୍କର ସମ୍ମିଳନୀରେ ଏବଂ ମାର୍ଚ୍ଚରେ ଭୁବନେଶ୍ବରରେ  ହୋଇଥିବା ବିଶ୍ବ ଜଳଦିବସ ଅବସରରେ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ବିଷ୍ଣୁଦେଓ ସାଏ ଏବଂ ମୁଖ୍ୟମନ୍ତ୍ରୀ   ମୋହନ ଚରଣ ମାଝୀଙ୍କ ମଧ୍ୟରେ ଏ ବିଷୟରେ ଆଲୋଚନା ହୋଇଥିଲା । ଉଭୟ ମୁଖ୍ୟମନ୍ତ୍ରୀ ଏହାର ଆପୋଷ ସମାଧାନ ଉପରେ ଗୁରୁତ୍ବାରୋପ କରିଥିଲେ।

 

Show More
Back to top button