

ସତ୍ୟଶିଖା (ନୂଆଦିଲ୍ଲୀ) ୨୬/୧୨/୨୦୨୦ : ଜେଲ ପରିସରରୁ ଜଣେ ହତ୍ୟା ଅଭିଯୁକ୍ତଙ୍କୁ ଅପହରଣ କରାଯାଇଛି । ଏଭଳି ଆଶ୍ଚର୍ଯ୍ୟଜନକ ଘଟଣା ଘଟିଛି ଦେଶର ତିହାର ଜେଲରେ । କଡ଼ା ସୁରକ୍ଷା ବଳୟ ଭିତରେ ରହୁଥିବା ଦେଶର ଏହି ପ୍ରମୁଖ ଜେଲରୁ ଅଭିଯୁକ୍ତଙ୍କୁ ଅପହରଣ କରି ନିଆଯିବା ଘଟଣା ଏବେ ପୁଲିସର କାର୍ଯ୍ୟକଳାପ ଉପରେ ସନ୍ଦେହ ସୃଷ୍ଟି କରିଛି । ଶୁକ୍ରବାର ସକାଳେ କିଛି ପୁଲିସ କର୍ମୀ ଏବଂ ୨/୩ ଜଣ ଅନ୍ୟ ଲୋକ ଜେଲରେ ପ୍ରବେଶ କରି ସମ୍ପୃକ୍ତ ହତ୍ୟା ଅଭିଯୁକ୍ତଙ୍କୁ ମାରପିଟ୍ କରିବା ସହିତ ଉଠାଇ ନେଇଥିବା ସୂଚନା ମିଳିଛି । କିନ୍ତୁ ଜେଲ୍ ଗେଟ୍ରେ ପ୍ରବେଶ ସମୟରେ ସେମାନଙ୍କ ନାମ ଏଣ୍ଟ୍ରି କରାଯାଇନାହିଁ । ଅଭିଯୁକ୍ତ ଜଣକ ଜେଲ୍ରେ ମାଜିଷ୍ଟ୍ରେଟଙ୍କ ସାମ୍ନାରେ ଆତ୍ମସମର୍ପଣ କରିବାକୁ ଆସିଥିବା ସମୟରେ ଏପରି ଘଟଣା ଘଟିଛି ।
ଏହି ଘଟଣାକୁ ତିହାର ଜେଲର ଡ୍ୟୁଟି ମେଟ୍ରୋପଲିଟାନ ମାଜିଷ୍ଟ୍ରେଟ୍ ରାଘବ ଶର୍ମା ଗମ୍ଭୀରତାର ସହିତ ନେଇଛନ୍ତି । ମାଜିଷ୍ଟ୍ରେଟ ସୁଭାଷ ପ୍ୟାଲେସ ଥାନା ଅଧିକାରୀ ଏବଂ ମାମଲାର ତଦନ୍ତ ଅଧିକାରୀଙ୍କୁ ସମନ୍ ଜାରି କରିଛନ୍ତି । ଏହା ସହିତ ଏସିପିଙ୍କୁ ଅଭିଯୁକ୍ତ ବିଷୟରେ ସୂଚନା ସଂଗ୍ରହ କରି ରିପୋର୍ଟ ଦାଖଲ କରିବାକୁ ନିର୍ଦେଶ ଦିଆଯାଇଛି ।
ସୂଚନା ଅନୁସାରେ, ସୁଭାଷ ପ୍ୟାଲେସ ଥାନା ଅଞ୍ଚଳର ଅଭିଯୁକ୍ତ କାର୍ତ୍ତିକ ଓରଫ ମାଧବ ରୋହଣୀ ଅଦାଲତରେ ଆତ୍ମସମର୍ପଣ କରିବା ଲାଗି ଗତ ୨୨ ତାରିଖରେ ଆବେଦନ କରିଥିଲା । ଭିଡିଓ କନ୍ଫରେନ୍ସରେ ଶୁଣାଣି ହୋଇଥିବାରୁ ଅଦାଲତ ତା’କୁ ଜେଲରେ ଡ୍ୟୁଟି ମାଜିଷ୍ଟ୍ରେଟ୍ଙ୍କ ସମ୍ମୁଖରେ ଆତ୍ମସମର୍ପଣ କରିବାକୁ କହିଥିଲେ । ଏଥିଲାଗି ଅଭିଯୁକ୍ତ ତା’ ଓକିଲ ଅନୱର ଅହମ୍ମଦ ଖାନ ସହିତ ତିହାର ଜେଲ ଆସିଥିଲେ । ଜେଲର ୱାଟର ପାର୍କରେ ସେମାନେ ଛିଡ଼ା ହୋଇଥିବାବେଳେ କିଛି ଲୋକ ଆସି ସେମାନଙ୍କୁ ମାରପିଟ୍ କରିବା ସହିତ ଅଭିଯୁକ୍ତ କାର୍ତ୍ତିକକୁ ସେଠାରୁ ଉଠାଇ ନେଇଥିଲେ ।