

ସତ୍ୟଶିଖା(ନୂଆଦିଲ୍ଲୀ) ୦୬ .୦୫.୨୦୨୧: କରୋନା ସଂକ୍ରମଣରେ ଗୁରୁତର ହୋଇ ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ଆରଏଲଡି ମୁଖ୍ୟ ଅଜିତ ସିଂଙ୍କର ମୃତ୍ୟୁ ଘଟିଛି। ଗୁରୁବାର ସକାଳେ ସେ ନିଃଶ୍ୱାସ ତ୍ୟାଗ କରିଛନ୍ତି। ୮୨ ବର୍ଷୀୟ ଅଜିତ ସିଂ କରୋନା ସଂକ୍ରମିତ ହୋଇଥିଲେ ଏବଂ ଗତ ଦୁଇ ଦିନ ଧରି ତାଙ୍କ ଅବସ୍ଥା ଗୁରୁତର ହୋଇପଡ଼ିଥିଲା। ତାଙ୍କ ଫୁସଫୁସକୁ କରୋନା ସଂକ୍ରମିତ ହୋଇଯାଇଥିବାରୁ ସେ ଗୁରୁତର ହୋଇପଡ଼ିଥିଲେ ବୋଲି ଜଣାପଡ଼ିଛି।
ଚୌଧୁରୀ ଅଜିତ ସିଂ ହେଉଛନ୍ତି ପୂର୍ବତନ ପ୍ରଧାନମନ୍ତ୍ରୀ ଚୌଧରୀ ଚରଣ ସିଂଙ୍କ ପୁଅ। ସେ ୟୁପିର ବାଗପତ ଲୋକସଭା ଆସନରୁ ସାତଥର ଲୋକସଭାକୁ ନିର୍ବାଚିତ ହୋଇଥିଲେ। ଅଜିତ ସିଂ ଦେଶର ଜଣେ ବଡ଼ ଜାଠ ନେତା। ପଶ୍ଚିମ ୟୁପିରେ ତାଙ୍କର ଏକ ସ୍ୱତନ୍ତ୍ର ସ୍ଥାନ ରହିଛି। ସେ କେନ୍ଦ୍ରରେ ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ମଧ୍ୟ ଥିଲେ।
ଚୌଧରୀ ଅଜିତ ସିଂ ୧୯୮୬ ମସିହାରେ ରାଜନୀତିରେ ପ୍ରବେଶ କରିଥିଲେ। ପୂର୍ବତନ ପ୍ରଧାନମନ୍ତ୍ରୀ ଚୌଧୁରୀ ଚରଣ ସିଂ ଅସୁସ୍ଥ ହୋଇପଡିବା ପରେ ୧୯୮୬ରେ ଅଜିତ ରାଜ୍ୟସଭାକୁ ଯାଇଥିଲେ। ୧୯୮୭ରୁ ୧୯୮୮ ପର୍ଯ୍ୟନ୍ତ ସେ ଲୋକ ଦଳ (ଏ) ଏବଂ ଜନତା ପାର୍ଟିର ସଭାପତି ମଧ୍ୟ ଥିଲେ।