କେଜରିଓ୍ବାଲ ସରକାର ଲାଗୁ କଲେ କଟକଣା ଆଜିଠାରୁ ଚାଲିବ ନାହିଁ ଜେନରେଟର

ସତ୍ୟଶିଖା (ନୂଆଦିଲ୍ଲୀ) ୧୫/୧୦/୨୦୨୦ : ଦିଲ୍ଲୀରେ ବାୟୁ ପ୍ରଦୂଷଣ କମ୍ କରିବା ପାଇଁ ସରକାର ଗୋଟିଏ ପରେ ଗୋଟିଏ ବଡ଼ ନିଷ୍ପତ୍ତି ନେଉଛନ୍ତି । କନଷ୍ଟ୍ରକସନ ଓ ଡେମୋଲିସନ ସାଇଟରେ ନିୟମ ପରିବର୍ତନ କରିବା ପରେ ଏବେ ଦିଲ୍ଲୀ ସରକାର ଜେନରେଟର ଉପରେ କଟକଣା ଲଗାଇଛନ୍ତି । ପର୍ଯ୍ୟାବରଣ ମନ୍ତ୍ରୀ ଗୋପାଳ ରାୟ ଟ୍ୱିଟ୍ କରି କହିଛନ୍ତି ବାୟୁ ପ୍ରଦୂଷଣ ରୋକିବା ପାଇଁ ଦିଲ୍ଲୀ ସରକାର ଡିଜେଲ, ପେଟ୍ରୋଲ, କିରୋସିନରେ ଚାଲୁଥିବା ଜେନରେଟର ଉପରେ ଆଜି ଠାରୁ କଟକଣା ଲାଗୁ ହୋଇଛି ।
ପୂର୍ବରୁ ଅର୍ଥାତ୍ ସୋମବାର ମଧ୍ୟ ପ୍ରଦୂଷଣ କମ୍ ଦିଗରେ ବଡ଼ ପଦକ୍ଷେପ ଗ୍ରହଣ କରାଯାଇ ଥିଲା । ସବୁ ଛୋଟ ବଡ଼ କନଷ୍ଟ୍ରକସନ ସାଇଟରେ ୫ଟି ନିୟମ ପାଳନ କରିବା ଅନିବାର୍ଯ୍ୟ ବୋଲି କୁହାଯାଇ ଥିଲା। ତେବେ ଶୀତ ଆସିବା ପୂର୍ବରୁ ବାୟୁ ଗୁଣବତ୍ତା ଖରାପ ହୋଇଛି। ଏ ପାଇଁ ଅକ୍ଟୋବର ପ୍ରାରମ୍ଭରୁ ନିଶ୍ୱାସପ୍ରଶ୍ୱାସ ନେବା କଷ୍ଟକର ହୋଇପଡ଼ିଛି। ଏୟାର କ୍ବାଲିଟି (ଏକ୍ୟୁଆଇ) ଏତେ ମାତ୍ରାରେ ଖରାପ ହୋଇଯାଇଛି ଯେ ଜନଗହଳିପୂଣ୍ଣ ସ୍ଥାନରେ ଆଖି ପୋଡୁଛି।
ଯୁଦ୍ଧକାଳୀନ ଭିତ୍ତିରେ ପ୍ରଦୂଷଣ କମ୍ କରିବା ଦିଗରେ ଅଣ୍ଟା ଭିଡ଼ିଛନ୍ତି ଦିଲ୍ଲୀ ସରକାର। ଏ ପାଇଁ ଆଣ୍ଟି ଡଷ୍ଟ ଅଭିଯାନ ମଧ୍ୟ ଆରମ୍ଭ କରାଯାଇଛି। ଏହା ସହ ଦିଲ୍ଲୀରେ ୧୪ଟି ଟିମ ଭିନ୍ନ ଭିନ୍ନ ଇଲକାରେ ଡଷ୍ଟ ମାପଦଣ୍ଡ ଉଲ୍ଲଘଂନକାରୀଙ୍କ ବିରୋଧରେ କାର୍ଯ୍ୟ କରୁଛନ୍ତି।






