

ସତ୍ୟଶିଖା (ମୁମ୍ବାଇ) ୦୪/୦୨/୨୦୨୧ : ବୃହତ ମୁମ୍ବାଇ ମ୍ୟୁନିସିପାଲ କର୍ପୋରେସନ (ବିଏମ୍ସି)ର ଯୁଗ୍ମ କମିଶନର ରମେଶ ପାୱାର ପାଣି ବଦଳରେ ସାନିଟାଇଜର୍ ପିଇ ଦେଇଛନ୍ତି । ସେ ଦୁର୍ଭାଗ୍ୟବଶତଃ ପାଣି ବଦଳରେ ହ୍ୟାଣ୍ଡ ସାନିଟାଇଜର ପିଇଦେଇଥିବା ଦେଖିବାକୁ ମିଳିଛି । ତେବେ ଏଥିରେ ତାଙ୍କର କୌଣସି କ୍ଷତି ହୋଇନଥିବା ସୂଚନା ମିଳିଛି ।
ସୂଚନା ଅନୁସାରେ, ବିଏମ୍ସିର ସାଧାରଣ ପରିଷଦର ବୈଠକ ବୁଧବାର ଅପରାହ୍ନରେ କାର୍ଯ୍ୟାଳୟ ପରିସରରେ ବସିଥିଲା । ଶିକ୍ଷା ସଂକ୍ରାନ୍ତ ବଜେଟ ଉପସ୍ଥାପନ ଲାଗି ପାୱାର ଅନ୍ୟ ଅତିଥିଙ୍କ ସହ ଉପସ୍ଥିତ ରହିଥିଲେ । ତେବେ ବଜେଟ ଉପସ୍ଥାପନ କରିବା ପୂର୍ବରୁ ପାୱାର ନିଜ ଟେବୁଲ ଉପରେ ଏକ ବୋତଲରେ ରଖାଯାଇଥିବା ସାନିଟାଇଜରକୁ ପାଣି ଭାବି ପିଇଦେଇଥିଲେ ।
କିନ୍ତୁ ଢ଼ୋକେ ପିଇବା ପରେ ତାହା ପାଣି ନୁହେଁ ବୋଲି ସେ ଜାଣିପାରିଥିଲେ । ଏ ସମ୍ପର୍କରେ ପାୱାର କହିଛନ୍ତି ଯେ, ଟେବୁଲରେ ରଖାଯାଇଥିବା ପାଣି ବୋତଲ ଓ ସାନିଟାଇଜର ବୋତଲ ସମାନ ଭଳି ଦେଖାଯାଉଥିଲା । ତେଣୁ ସେ ପାଣି ବଦଳରେ ସାନିଟାଇଜର ବୋତଲ ଉଠାଇ ପିଇଦେଇଥିଲେ । ପାଟିରେ ପଡିବା ମାତ୍ରେ ତାହା ପାଣି ଭଳି ଲାଗି ନଥିଲା । ତେଣୁ ତାକୁ ସେ ଢ଼ୋକି ନଥିଲେ । ତାହା ସାନିଟାଇଜର ବୋଲି ଜାଣିବା ପରେ ପାଟିରୁ ବାହାର କରିଦେଇଥିଲେ। ଏହା ପରେ ସେ ପାଟିକୁ ପାଣିରେ ଭଲ ଭାବେ ଧୋଇଥିଲେ । ଏହାପରେ ବଜେଟ ଉପସ୍ଥାପନ କରିଥିଲେ ।