ଦେଶବିଦେଶ

ଜାପାନ ରାଜକୁମାରୀ ପ୍ରେମ କରୁଛନ୍ତି, କିନ୍ତୁ ବାହା ହେଉନାହାନ୍ତି… କାହିଁକି?

ସତ୍ୟଶିଖା (ଟୋକିଓ) ୧୭/୧୧/୨୦୨୦ : ଜାପାନର ରାଜକୁମାରୀ ରାଜପଦ ହରାଇବା ଡରରେ ପୁଣି ଥରେ ନିଜ ବିବାହକୁ ଘୁଞ୍ଚାଇ ଦେଇଛନ୍ତି । ପାଖାପାଖି ୭ବର୍ଷ ହେବ ନିଜ ପ୍ରେମିକଙ୍କ ସହ ବିବାହ କରିବାକୁ ଅପେକ୍ଷା କରିଥିବା ଜାପାନର ରାଜକୁମାରୀ ମାକୋଙ୍କୁ ସେଠାକାର ନିୟମ ଯୋଗୁଁ ପୁଣି ଥରେ ନିଜ ବିବାହ ଘୁଞ୍ଚାଇବାକୁ ପଡ଼ିଛି । ଜାପାନର ନିୟମ ଏବଂ ରାଜ ପରିବାରର ପରମ୍ପରା ମୁତାବକ ଯଦି ରାଜକୁମାରୀ ମାକୋ କୌଣସି ବାହାର ବ୍ୟକ୍ତିଙ୍କୁ ବିବାହ କରୁଛନ୍ତି ତେବେ ତାଙ୍କୁ ନିଜ ରାଜକୁମାରୀ ପଦ ତ୍ୟାଗ କରିବାକୁ ହେବ ଏବଂ ସାଧାରଣ ଲୋକଙ୍କ ଭଳି ଜୀବନ ଅତିବାହିତ କରିବାକୁ ପଡ଼ିବ । ଏହି ଡର ଯୋଗୁଁ ରାଜକୁମାରୀ ପୁଣି ଥରେ ନିଜ ପ୍ରେମିକଙ୍କ ସହ ବିବାହକୁ ସ୍ଥଗିତ ରଖିଛନ୍ତି । ରାଜକୁମାରୀ ମାକୋ ଘୋଷଣା କରିଥିଲେ ଯେ ସେ ନିଜ ବିବାହକୁ ପୁଣି ଥରେ ସ୍ଥଗିତ ରଖୁଛନ୍ତି । ୨୮ବର୍ଷୀୟ ରାଜକୁମାରୀ ଏହା ପୂର୍ବରୁ ୨୦୧୭ମସିହାରେ ନିଜ ବିବାହ ଘୁଞ୍ଚାଇ ଦେଇଥିଲେ ।ଏହା ପରେ ରାଜକୁମାରୀ ମାକୋ ଉଚ୍ଚ ଶିକ୍ଷା ପାଇଁ ବ୍ରିଟେନ୍ ଚାଲି ଯାଇଥିଲେ । ମାକୋଙ୍କ ପ୍ରେମିକଙ୍କ ନାଁ କଇ କୋମୁରୋ । ସେ ସମୁଦ୍ର କୂଳରେ ପର୍ଯ୍ୟଟନକୁ ଗୁରୁତ୍ବ ଦେବା କାମ କରନ୍ତି । କୋମୁରେ ସ୍କିଇଂ ମଧ୍ୟ କରନ୍ତି ଏବଂ ତାଙ୍କୁ ଭାଓଲିନ୍ ବଜାଇବା,ରୋଷେଇ କରିବା ଖୁବ୍ ପସନ୍ଦ । ବିବାହ ତାରିଖ ସ୍ଥଗିତ ରଖିବା ପରେ ମାକୋ କହିଥିଲେ ଯେ ଏହି ସମୟରେ ଭବିଷ୍ୟତର ଯୋଜନା ବିଷୟରେ କିଛି କହିବା ଅତ୍ୟନ୍ତ କଷ୍ଟ କିନ୍ତୁ ସେମାନେ ପରସ୍ପରକୁ ଛାଡ଼ି ରହିପାରିବେ ନାହିଁ । ସେମାନେ ପରସ୍ପରର ଭଲ ଏବଂ ଖରାପ ସମୟରେ ଏକାଠି ରହିଥାନ୍ତି ଏବଂ ପରସ୍ପରର ସାଥ ଦେଇଥାନ୍ତି । ତାଙ୍କ ପରିବାରରେ ଶେ​‌ଷ ଥର ରାଜକୁମାରୀ ମାକୋଙ୍କ ପିଉସୀ ସୟୋକାଙ୍କୁ ରାଜକୁମାରୀ ପଦ ହରାଇବାକୁ ପଡ଼ିଥିଲା କାରଣ ସୟୋକା ୨୦୦୫ମସିହାରେ ଟୋକିଓର ଜଣେ ଅଧିକାରୀଙ୍କୁ ବିବାହ କରିଥିଲେ । ତାଙ୍କୁ ସମସ୍ତ ପ୍ରକାର ରାଜକୀୟ ସୁବିଧା ତ୍ୟାଗ କରିବାକୁ ପଡ଼ିଥିଲା ।ଏହି ବିବାଦୀୟ ପରମ୍ପରା ଅନୁସାରେ ଜଣେ ସାଧାରଣ ଯୁବକଙ୍କୁ ବିବାହ କରିବା କାରଣରୁ ଏବେ ମାକୋ ରାଜ ପରିବାରର ସମସ୍ତ ମହିଳା ସଦସ୍ୟଙ୍କ ଭଳି ମିଳୁଥିବା ନିଜର ରାଜପଦ ହରାଇବେ । ଏହି ଆଇନ୍ ରାଜ ପରିବାରର ପୁରୁଷଙ୍କ ଉପରେ ଲାଗୁ ହୋଇନଥାଏ । ନିଜ ପଦ ଯିବା ଡରରେ ରାଜକୁମାରୀ ମାକୋ ଦୀର୍ଘ ବର୍ଷ ଯାଏଁ ନିଜ ପ୍ରେମ ସମ୍ପର୍କକୁ ଗୁପ୍ତ ରଖିଥିଲେ । ୨୦୧୩ମସିହାରେ ତାଙ୍କ ପ୍ରେମିକ ତାଙ୍କୁ ବିବାହ ପ୍ରସ୍ତାବ ଦେଇଥିଲେ ।

Show More
Back to top button