ନ୍ୟୁଜ୍ରାଜ୍ୟସାହିତ୍ୟ ଓ ସଂସ୍କୃତି

୨୧ରୁ ତୋଷାଳି ମେଳା

ସତ୍ୟଶିଖା (ଭୁବନେଶ୍ୱର) ୧୯/୦୧/୨୦୨୧ : ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗ ଦ୍ୱାରା ଚଳିତବର୍ଷ ପଞ୍ଚଦଶ ‘ତୋଷାଳି ଜାତୀୟ ହସ୍ତଶିଳ୍ପ ମେଳା’ ଆସନ୍ତା ୨୧ତାରିଖରୁ ଜନତା ମଇଦାନରେ ଆୟୋଜିତ ହେବ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଦର୍ଶନୀର ଉଦ୍‌ଘାଟନ କରିବେ । ଦେଶର ବିଭିନ୍ନ ସ୍ଥାନରୁ କାରିଗର ଓ ବୁଣାକାର ଏହି ହସ୍ତଶିଳ୍ପ ମେଳାରେ ଅଂଶଗ୍ରହଣ କରିବେ । ଏଥିରେ ସେମାନଙ୍କର ପାରମ୍ପରିକ ତଥା ସମସାମୟିକ ହସ୍ତତନ୍ତ ଓ ହସ୍ତଶିଳ୍ପ ଉତ୍ପାଦ ପ୍ରଦର୍ଶିତ ହେବ । ବୁଣାକାର ଓ ହସ୍ତଶିଳ୍ପ କାରିଗରମାନଙ୍କ ଦ୍ୱାରା ପ୍ରସ୍ତୁତ ସାମଗ୍ରୀ ବିକ୍ରି ପାଇଁ ଆବଶ୍ୟକ ବଜାର ସୃଷ୍ଟି କରି ସେମାନଙ୍କୁ ସ୍ୱାବଲମ୍ବୀ କରିବା ଓ ରାଜ୍ୟରେ କାର୍ଯ୍ୟରତ ଶିଳ୍ପୀ, କାରିଗର, ବୁଣାକାରଙ୍କ ମଧ୍ୟରେ ଭାବଗତ ଆଦାନପ୍ରଦାନର ସୁଯୋଗ ସୃଷ୍ଟି କରିବା ଏହି ମେଳାର ଆଭିମୁଖ୍ୟ ବୋଲି ଆଜି ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ମନ୍ତ୍ରୀ ପଦ୍ମନୀ ଦିଆନ କହିଛନ୍ତି ।କୋଭିଡ୍‌-୧୯ ଯୋଗୁଁ କାରିଗର ଓ ବୁଣାକାରମାନେ ସେମାନଙ୍କ ଉତ୍ପାଦର ମାର୍କେଟିଂ ପାଇଁ ବହୁତ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ସାମାଜିକ ଦୂରତା ବଜାୟ ରଖିବା ପାଇଁ ପର୍ଯ୍ୟାପ୍ତସଂଖ୍ୟକ ସୁରକ୍ଷାକର୍ମୀ ବିଭିନ୍ନ ବ୍ଲକରେ ନିୟୋଜିତ ହେବେ । ପ୍ରତ୍ୟେକ ପ୍ରବେଶ ଦ୍ୱାରରେ ଥର୍ମାଲ୍ ସ୍କ୍ରିନିଂ କରାଯିବ । ନିୟମିତ ବ୍ୟବଧାନରେ ମେଳା ପରିସର ପରିମଳ ପାଇଁ ଉପଯୁକ୍ତ ଯତ୍ନ ନିଆଯିବ । ମେଳା ପରିସରରେ ପ୍ରଦର୍ଶକ, ପରିଦର୍ଶକ ଓ ଅଧକାରୀଙ୍କ ପାଇଁ ମାସ୍କ ଏବଂ ସାମାଜିକ ଦୂରତା ବ୍ୟବହାର ବାଧ୍ୟତାମୂଳକ କରାଯାଇଛି । ବୟସ୍କ ତଥା ଦିବ୍ୟାଙ୍ଗଙ୍କ ପାଇଁ ହୁଇଲ୍ ଚେୟାର ସହିତ ଏକ ସ୍ୱତନ୍ତ୍ର ହେଲ୍ପ୍ ଡେସ୍କ ଓ ପାର୍କିଂ ବ୍ୟବସ୍ଥା କରାଯାଇଛି । ଅପରାହ୍‌ଣ ୩ଟାରୁ ସନ୍ଧ୍ୟା ସାଢ଼େ ୫ଟା ପର୍ଯ୍ୟନ୍ତ ଦିବ୍ୟାଙ୍ଗ ପରିଦର୍ଶକଙ୍କୁ ସହାୟତା ଯୋଗାଇବାର ବ୍ୟବସ୍ଥା ରହିବ । ମେଳାରେ ୨୫୦ଟି ହସ୍ତତନ୍ତ ଏବଂ ହସ୍ତଶିଳ୍ପ ଷ୍ଟଲ ସ୍ଥାନିତ ହେବ । ବିଭିନ୍ନ ରାଜ୍ୟରୁ ୪୦ବୁଣାକାର, ୪୦ କାରିଗର, ଭାରତ ସରକାରଙ୍କ ଦ୍ୱାରା ପ୍ରାୟୋଜିତ ହୋଇଥିବା ୧୧୦ ଜଣ କାରିଗର ଓ ୬୦ ଜଣ ବୁଣାକାରଙ୍କୁ ଯଥାକ୍ରମେ ରାଜ୍ୟ କୁଟୀର ଓ ହସ୍ତଶିଳ୍ପ ନିର୍ଦ୍ଦେଶାଳୟକୁ ସାମିଲ କରାଯିବ । ମେଳା ଦିନ ୨ଟାରୁ ରାତି ୯ଟା ପର୍ଯ୍ୟନ୍ତ ଚାଲିବ ବୋଲି ମନ୍ତ୍ରୀ ଶ୍ରୀମତୀ ଦିଆନ କହିଛନ୍ତି ।

Show More
Back to top button